ନୂଆଦିଲ୍ଲୀ : ଶିଖ୍ ବିଚ୍ଛିନ୍ନତାବାଦୀ ନେତା ପନୁନ୍ ହତ୍ୟା ଷଡ଼ଯନ୍ତ୍ରରେ ଦୋଷ ମାନିଲେ ଭାରତୀୟ ନାଗରିକ ନିଖିଲ ଗୁପ୍ତା । ଆମେରିକା କୋର୍ଟରେ ଦୋଷ ସ୍ୱୀକାର କଲେ ନିଖିଲ । ପନୁନଙ୍କୁ ମାରିବା ପାଇଁ ହୋଇଥିଲା ୧ ଲକ୍ଷ ଡଲାରର ଡିଲ୍ । ଆମେରିକାରେ ରହୁଥିବା ଶିଖ୍ ବିଚ୍ଛିନ୍ନତାବାଦୀ ନେତା ଗୁରପତଓ୍ୱନ୍ତ ସିଂ ପନୁନଙ୍କୁ ହତ୍ୟା କରିବା ପାଇଁ ହୋଇଥିବା ଷଡ଼ଯନ୍ତ୍ର ମାମଲାରେ ବଡ଼ ମୋଡ଼ ଆସିଛି । ୫୪ ବର୍ଷୀୟ ଭାରତୀୟ ନାଗରିକ ନିଖିଲ ଗୁପ୍ତା ନ୍ୟୁୟର୍କର ଫେଡେରାଲ କୋର୍ଟରେ ନିଜର ଅପରାଧ ସ୍ୱୀକାର କରିଛନ୍ତି ।
୨୦୨୬ ଫେବ୍ରୁଆରୀ ୧୩ ରେ ନିଖିଲ ଗୁପ୍ତା ହତ୍ୟା ପାଇଁ ସୁପାରି ଦେବା ଓ ଟଙ୍କା ହେରଫେର ଭଳି ସଂଘାତିକ ଅଭିଯୋଗକୁ ମାନିଛନ୍ତି । ଏହି ଅପରାଧ ପାଇଁ ତାଙ୍କୁ ୪୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ । ଆସନ୍ତା ମେ ୧୫ରେ କୋର୍ଟ ଚୂଡ଼ାନ୍ତ ଦଣ୍ଡାଦେଶ ଶୁଣାଇବେ । ଆମେରିକା ପୋଲିସର ଅଭିଯୋଗ ଅନୁଯାୟୀ, ନିଖିଲ ଗୁପ୍ତା ଜଣେ ଭାରତୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ ପନୁନଙ୍କୁ ମାରିବା ପାଇଁ ଜଣେ ‘ହିଟମ୍ୟାନ୍’ ଖୋଜୁଥିଲେ । ତେଣୁ ସେ ଭଡ଼ାଟିଆ ହତ୍ୟାକାରୀ ଭାବି ଜଣଙ୍କ ସହ କଥା ହେଉଥିଲେ । ସେହି ବ୍ୟକ୍ତି ଜଣକ ପ୍ରକୃତରେ ଆମେରିକା ଗୁପ୍ତଚର ସଂସ୍ଥାର ଜଣେ ଏଜେଣ୍ଟ ଥିଲେ ।
ଏହି ହତ୍ୟା ପାଇଁ ମୋଟ ୧ ଲକ୍ଷ ଡଲାରର ଚୁକ୍ତି ହୋଇଥିଲା ଓ ଅଗ୍ରୀମ ଭାବେ ୧୫ ହଜାର ଡଲାର ଦିଆଯାଇଥିଲା । ଏହି ଘଟଣାକୁ ନେଇ ଭାରତ ଏବଂ ଆମେରିକା ମଧ୍ୟରେ କୂଟନୈତିକ ତିକ୍ତତା ଦେଖାଦେଇଛି । ଭାରତ ସରକାର ଏହି ଷଡ଼ଯନ୍ତ୍ରରେ କୌଣସି ସରକାରୀ ସମ୍ପୃକ୍ତିକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଏହାକୁ ‘ଭିତ୍ତିହୀନ’ ବୋଲି କହିଛନ୍ତି ।

