ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ୧୫୨ ଏବଂ ତାମିଲନାଡୁରେ ୨୩୪ଟି ସିଟ୍ ପାଇଁ ଭୋଟିଂ ହେଉଛି । ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟ ଆଜି ଅନୁଷ୍ଠିତ ହେଉଛି । ଏହି ପର୍ଯ୍ୟାୟରେ ୧୫୨ଟି ଆସନ ପାଇଁ ଭୋଟ୍ ହେଉଛିଥିବାବେଳେ ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ଆସନ ପାଇଁ ଭୋଟ୍ ହେଉଛି । ବିଜେପି ଏହି ଦୁଇଟି ରାଜ୍ୟରେ କ୍ଷମତାକୁ ଆସିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରୁଛି ।
ସୂଚନାନୁଯାୟୀ, ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୁଇଟି ରାଜ୍ୟରେ ଭୋଟିଂ କାର୍ଯ୍ୟକ୍ରମ ଜାରି ରହିବ । ସକାଳ ୯ଟା ସୁଦ୍ଧା ପଶ୍ଚିମବଙ୍ଗରେ ୧୮.୭୬% ଏବଂ ତାମିଲନାଡୁରେ ୧୭.୬୯% ମତଦାନ ଖୋଇଛି । ପଶ୍ଚିମବଙ୍ଗ ସମେତ ଉତ୍ତର ଭାରତ ଏବଂ ମଧ୍ୟ ଭାରତରେ ଗରମ ପ୍ରବାହ ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଏପରି ପରିସ୍ଥିତିରେ ଅଧିକାଂଶ ଭୋଟର କେବଳ ସକାଳ ଏବଂ ସନ୍ଧ୍ୟାରେ ମତଦାନ କରିପାରିବେ । ଅପରାହ୍ନରେ ପ୍ରବଳ ଗରମ ହେତୁ ମତଦାନ କମ୍ ହୋଇପାରେ । ତାମିଲନାଡୁ ବିଧାନସଭା ନିର୍ବାଚନରେ ୫.୭୩ କୋଟିରୁ ଅଧିକ ଭୋଟର ୪,୦୨୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ।
ଅନ୍ୟପଟେ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀମାନଙ୍କୁ ସକାଳ ୭ଟାରୁ ସନ୍ଧ୍ୟା ୬ ଟା ଯାଏଁ ସେମାନଙ୍କ ନିର୍ବାଚନ ମଣ୍ଡଳୀ ଛାଡି ନଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ୧୬ଟି ଜିଲ୍ଲାର ୧୫୨ଟି ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ଭୋଟ୍ ଗ୍ରହଣ କରାଯିବ । ନିର୍ବାଚନ ପାଇଁ ମୈଦାନରେ ମୋଟ୍ ୧୪୭୮ ଜଣ ପ୍ରାର୍ଥୀ ରହିଛନ୍ତି । ପ୍ରାୟ ୪୪,୩୭୬ ଟି ମତଦାନ କେନ୍ଦ୍ରରେ ୩୬ ନିୟୁତରୁ ଅଧିକ ଭୋଟର ସେମାନଙ୍କର ମତଦାନ ଦେବେ ।
ଏଥିରେ ୧୮.୪ ନିୟୁତ ପୁରୁଷ, ୧୭.୫ ନିୟୁତ ମହିଳା ଏବଂ ୪୬୫ ତୃତୀୟ ଲିଙ୍ଗୀ ଭୋଟର ସାମିଲ ରହିଛନ୍ତି । ଏହାରି ମଧ୍ୟରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରାର୍ଥୀମାନେ ମତଦାନ ସମୟରେ ସେମାନଙ୍କ ନିର୍ବାଚନମଣ୍ଡଳୀରେ ରହିବା ଉଚିତ ଏବଂ ନିର୍ବାଚନ ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିପାରୁଥିବା ଯେକୌଣସି କାର୍ଯ୍ୟକଳାପରୁ ନିବୃତ୍ତ ରହିବା ଉଚିତ। ” ସମସ୍ତ ପ୍ରାର୍ଥୀ ନିଶ୍ଚିତ କରିବେ ଯେ ମତଦାନ ଏକ ମୁକ୍ତ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ଉପାୟରେ ଅନୁଷ୍ଠିତ ହେବ ଏବଂ ଭୋଟରମାନେ କୌଣସି ଭୟ ବିନା ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ବ୍ୟବହାର କରିପାରିବେ” ବୋଲି ସେ କହିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟର ମତଦାନ ଏପ୍ରିଲ୍ ୨୯ ତାରିଖରେ ହେବ ଏବଂ ଭୋଟ୍ ଗଣନା ମେ ୪ ତାରିଖରେ ହେବ ।
