Saturday, March 21, 2026
32.6 C
Odisha

    ପିଏମ୍‌ଟିରେ ଡ୍ରାଇଭର ପଦବିରେ ନିଯୁକ୍ତି ପାଇଁ ଆଶାୟୀଙ୍କୁ ମିଳିଲା ଆଶ୍ବସ୍ତି

    ଆଗକୁ ପଢନ୍ତୁ

    ପୁଲିସ ମୋଟର ଟ୍ରାନ୍ସପୋର୍ଟ(ପିଏମଟି)ରେ ଡ୍ରାଇଭର ପଦରେ ନିଯୁକ୍ତି ପାଇଁ ଆଶାୟୀଙ୍କୁ ଆଶ୍ବସ୍ତି ମିଳିଛି। ଗତ ୪ ବର୍ଷ ହେବ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇ ନଥିବା ପ୍ରସଂଗକୁ ବିଚାରକୁ ନେଇ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୪ ବର୍ଷ କୋହଳ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପିଏମଟିରେ ୪୦୫ ଡ୍ରାଇଭର ପଦ ପୂରଣ ପାଇଁ ୨୦୨୪, ଅକ୍ଟୋବର ୩ରେ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ଜାରି ରହିଥିବା ନିଯୁକ୍ତି ପ୍ରକ୍ରିୟାରେ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୪ ବର୍ଷ କୋହଳ କରାଯିବ। ବୟସ ସୀମା କୋହଳ ପ୍ରସଂଗ ଅନ୍ତର୍ଭୁକ୍ତ କରି ଓଡ଼ିଶା ପୁଲିସ ଷ୍ଟେଟ ସଲେକ୍ସନ ବୋର୍ଡ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିବ। ସବୁ ବର୍ଗର ପ୍ରାର୍ଥୀଙ୍କୁ ଏହି ୪ ବର୍ଷ ବୟସ କୋହଳ ସୁବିଧା ମିଳିବ। ଅନ୍ ଲାଇନରେ ଏପରି ପ୍ରାର୍ଥୀମାନେ କିପରି ନିଜ ଦରଖାସ୍ତ ଦାଖଲ କରିବେ ସେ ନେଇ ବୋର୍ଡ ଆବଶ୍ୟକ ବ୍ୟବସ୍ଥା କରିବ।

    କରୋନା ମହାମାରୀ କାରଣରୁ ଗୋଟିଏ ଥର ପଇଁ ସର୍ବାଧିକ ବୟସ ସୀମା କୋହଳ ପାଇଁ ନିର୍ଦ୍ଦେଶ ଦିଆଯାଉଛି ବୋଲି ହାଇକୋର୍ଟ କହିଛନ୍ତି। ମୂଳ ନିଯୁକ୍ତି ବିଜ୍ଞପ୍ତିରେ ଉଲ୍ଲେଖ କଟ୍ ଅଫ୍ ତାରିଖ ଠାରୁ ୪ ବର୍ଷ ବୟସ କୋହଳ ସୁବିଧା ପ୍ରାର୍ଥୀ ପାଇ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରି ପାରିବେ। ଅସାଧାରଣ ପରିସ୍ଥିତିରେ ଥରକ ପାଇଁ ଏହି ବୟସ ସୀମା କୋହଳ ବ୍ୟବସ୍ଥା କରାଯାଉଛି, ଏହାକୁ କେହି ନଜିର ଭାବେ ଭବିଷ୍ୟତରେ ଗ୍ରହଣ କରାଯିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

    ମାମଲାର ବିବରଣୀରୁ ପ୍ରକାଶ ଯେ ପିଏମଟିରେ ୪୦୫ଟି ଡ୍ରାଇଭର ପଦ ପୂରଣ ପାଇଁ ‌ଷ୍ଟେଟ ସିଲେକ୍ସନ ବୋର୍ଡ ପକ୍ଷରୁ ୨୦୨୪, ଅକ୍ଟୋବର ୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୪, ଜାନୁଆରି ୧ରେ ପ୍ରାର୍ଥୀଙ୍କ ସର୍ବ ନିମ୍ନ ବୟସ ୧୮ ଓ ସର୍ବାଧିକ ୨୩ ବର୍ଷ ହୋଇଥିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। ସଂରକ୍ଷିତ ବର୍ଗଙ୍କ ପାଇଁ ସର୍ବାଧିକ ବୟସ ସୀମା କୋହଳ ବ୍ୟବସ୍ଥା ରଖାଯାଇଥିବା ନେଇ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା।   ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ପ୍ରିୟରଂଜନ ସିଂହ, ଯୁଗଳକିଶୋର ପଣ୍ଡା, ବିପ୍ଳବ ପି.ବି.ବାହାଲି, କ୍ଷୀରୋଦ କୁମାର ରାଉତ, ଅନୁରାଗ ପତି, ମନୋରଂଜନ ପାଢୀ, ମଦନ ମୋହନ ଦାସ, ଜ୍ଞାନରଂଜନ ସେଠୀ, ପ୍ରକାଶଚନ୍ଦ୍ର ଦାଶ ପ୍ରମୁଖ ମାମଲା ପରିଚାଳନା କରୁଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.6 ° C
    32.6 °
    32.6 °
    30 %
    0.6kmh
    7 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ