Thursday, August 13, 2026
25.5 C
Odisha

    ପୁଣି ‘କିଟ୍‌’ରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା: ହଷ୍ଟେଲ୍‌ କର୍ତ୍ତୃପକ୍ଷଙ୍କ ସମେତ ୧୦ ଜଣଙ୍କୁ ପଚାରଉଚରା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଅଢ଼େଇ ମାସ ତଳେ ‘କିଟ୍‌’ ବିଶ୍ବବିଦ୍ୟାଳୟରେ ନେପାଳର ବିଟେକ୍‌ ଦ୍ବିତୀୟ ବର୍ଷ ଛାତ୍ରୀ ପ୍ରକୃତି ଲାମ୍‌ସାଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲା ସରକାରଙ୍କ ଉଚ୍ଚସ୍ତରୀୟ କମିଟିରେ ବିଚାରାଧୀନ ରହିଛି। ଠିକ୍ ଏମିତି ସମୟରେ ଉକ୍ତ ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସର ପ୍ରଥମ ବର୍ଷର ଛାତ୍ରୀ ତ୍ରିସା ସ ଓରଫ ଶନି(୧୮)ଙ୍କ ଆତ୍ମହତ୍ୟା କରିଛନ୍ତି। ଏ ନେଇ ଇନ୍‌ଫୋସିଟି ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଘଟଣାସ୍ଥଳରୁ ମୃତ ଛାତ୍ରୀଙ୍କ ମୋବାଇଲ୍‌, ଲ୍ୟାପ୍‌ଟପ୍‌ ଓ କିଛି ଖାତାକୁ ଜବତ କରି ଯାଞ୍ଚ ପାଇଁ ରାଜ୍ୟ ଫରେନସିକ୍ ଲାବ୍‌ (ଏସ୍‌ଏଫ୍‌ଏସ୍‌ଏଲ୍‌)କୁ ପଠାଯାଇଛି। ଏହି ଘଟଣାରେ ନେପାଳର ବୈଦେଶିକ ମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି।

    ସୂଚନା ମୁତାବକ, ତ୍ରିସା ଗତ ୮ ମାସ ହେ‌ଲା କମ୍ପ୍ୟୁଟର ସାଇନ୍ସ ବିଭାଗରେ ନାମ ଲେଖାଇଥିଲେ। ୪ ମାସ ହେବ ‘କିଟ୍‌’ ହଷ୍ଟେଲରେ ରହୁଥିଲେ। ଚଳିତ ଗ୍ରୀଷ୍ମ ଛୁଟିରେ ନେପାଳର ସମସ୍ତ ଛାତ୍ରଛାତ୍ରୀ ଘରକୁ ଚାଲିଯାଇଥିଲେ ହେଁ କ୍ୟାମ୍ପସ୍ ପରୀକ୍ଷା ପାଇଁ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ହଷ୍ଟେଲରେ ରହିଥିଲେ। ଗୁରୁବାର ସନ୍ଧ୍ୟାରେ ତ୍ରିସାଙ୍କ ସାଙ୍ଗମାନେ ବାହାରକୁ ଯାଇଥି‌ଲେ ହେଁ ସେ ହଷ୍ଟେଲ୍‌ରେ ରହିଥିଲେ। ପୁରୁଷବନ୍ଧୁଙ୍କ ସହ ପାଟିତୁଣ୍ଡ ଯୋଗୁ ସେ ମାନସିକ ଚାପରେ ଥିଲେ ବୋଲି କୁହାଯାଉଛି। ତେବେ ସନ୍ଧ୍ୟାରେ ‌ହଷ୍ଟେଲ କର୍ମଚାରୀ ଉପସ୍ଥାନ ଯାଞ୍ଚ କରିବା ବେଳେ ତ୍ରିସା କବାଟ ଖୋଲି ନ ଥିଲେ। ବହୁ ସମୟ ଧରି କବାଟ ନ ଖୋଲିବାରୁ ସନ୍ଦେହ ବଢ଼ିଥିଲା। ଝରକା ପଟେ ସେ ଫ୍ୟାନ୍‌ରେ ଝୁଲୁଥିବା ଦେଖି କର୍ମଚାରୀମାନେ ପୁଲିସକୁ ଜଣାଇଥିଲେ। କେନ୍ଦ୍ରାଞ୍ଚଳ ଆର୍‌ଡିସି, ପୁଲିସ କମିସନର୍‌, ଅତିରିକ୍ତ ସିପି, ଡିସିପି, ଉପଜିଲ୍ଲାପାଳ, ଦୁଇଜଣ ଅତିରିକ୍ତ ଡିସିପି, ସ୍ଥାନୀୟ ଜୋନ୍‌ ଏସିପି ଓ ସାଇଣ୍ଟିଫିକ୍ ଟିମ୍‌ ଉପସ୍ଥିତିରେ କବାଟ ଭାଙ୍ଗି ଛାତ୍ରୀଙ୍କୁ ଉଦ୍ଧାର କରାଯାଇ କିମ୍‌ସ ପଠାଯାଇଥିଲା। ସେଠାରେ ଡାକ୍ତର ତ୍ରିସାଙ୍କୁ ମୃତ ଘୋଷଣା କରିଥିଲେ। ଇନ୍‌ଫୋସିଟି ଥାନା ପୁଲିସ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଛି। ଅନ୍ୟପକ୍ଷରେ ପୁଲିସ ହଷ୍ଟେଲ୍‌ କର୍ତ୍ତୃପକ୍ଷ ଓ କିଛି ସହପାଠୀଙ୍କୁ ମିଶାଇ ୧୦ ଜଣଙ୍କୁ ପଚରାଉଚରା କରିଛି।

    ଯେଉଁ ଯୁବକଙ୍କୁ ନେଇ ସନ୍ଦେହ କରାଯାଉଛି, ତାଙ୍କୁ ମଧ୍ୟ ଖୁବ୍‌ଶୀଘ୍ର ଜେରା କରାଯିବ ବୋଲି ‌ଜଣେ ଅଧିକାରୀ କହିଛନ୍ତି। ତ୍ରିସାଙ୍କ ମୋବାଇଲ୍‌ ଫୋନ୍‌ କଲ୍‌ ଡିଟେଲସ୍‌ (ସିଡିଆର) ସଂଗ୍ରହ କରି ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି। ଅନ୍ୟପଟେ ତ୍ରିସାଙ୍କ ଆତ୍ମହତ୍ୟା ଘଟଣାରେ ‘କିଟ୍’ କର୍ତ୍ତୃପକ୍ଷ ଦୁଃଖ ପ୍ରକାଶ କରିବା ସହ ପୁଲିସକୁ ତଦନ୍ତରେ ସବୁପ୍ରକାର ସହଯୋଗ କରାଯାଉଛି ବୋଲି କହିଛନ୍ତି। ସେପଟେ ଯୁବ ଓ ଛାତ୍ର କଂଗ୍ରେସ ସଂଗଠନ, ଏବିଭିପି ପକ୍ଷରୁ ‘କିଟ୍’ ମୁଖ୍ୟ ଫାଟକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କ୍ୟାମ୍ପସ୍‌ ପରିସରରେ ଉତ୍ତେଜନାମୂଳକ ସ୍ଥିତି ଯୋଗୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ‘କିଟ୍‌’ରେ ଏମିତି ବାରମ୍ବାର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଚିନ୍ତାଜନକ। ସରକାର ଘଟଣା ଉପରେ ନଜର ରଖିଛନ୍ତି। ଛାତ୍ରଛାତ୍ରୀଙ୍କ ଉପରେ ଚାପ ରହିଛି କି ନାହିଁ, ସେ ସଂପର୍କରେ ତଦନ୍ତ କରାଯାଉଛି। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ତଦନ୍ତ ଆରମ୍ଭ ହୋଇଛି। ପ୍ରାଥମିକ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓଡ଼ିଶା ସରକାର ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଏବଂ ଓଡ଼ିଶା ପୁଲିସ ଏହାର ତଦନ୍ତ କରୁଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତ୍ରିସାଙ୍କ ମୃତ୍ୟକୁ ଜାତୀୟ ମାନବାଧିକାର ‌ଆୟୋଗ (ଏନ୍‌ଏଚ୍‌ଆର୍‌ସି) ଗୁରୁତ୍ବର ସହିତ ନେଇଛନ୍ତି। ଏନ୍‌ଏଚ୍‌ଆର୍‌ସିର ସଦସ୍ୟ ପ୍ରିୟ କାନୁନଗୋ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ଘଟଣାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ‌ପୂର୍ବ ଘଟଣାରେ ଏନ୍‌ଏଚ୍‌ଆର୍‌ସିଙ୍କ ସୁପାରିସ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଥିଲେ। ଏବର ଘଟଣାକୁ ଏନ୍‌ଏଚ୍‌ଆର୍‌ସି ଗୁରୁତ୍ବର ସହିତ ନେଇଛନ୍ତି ବୋଲି ଶ୍ରୀ କାନୁନ୍‌ଗୋ ଲେଖିଛନ୍ତି।

    ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଢ଼ିଲା ୟୁଜିସି

    ଭୁବନେଶ୍ବର: ‘କିଟ୍‌’ ବିଶ୍ବବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଗୁରୁତ୍ବର ସହ ନେଇଛି। ଘଟଣାର ତଦନ୍ତ ପାଇଁ ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ ହୋଇଛି। ଇଗ୍‌ନୋର ପୂର୍ବତନ କୁଳପତି ପ୍ରଫେସର ନାଗେଶ୍ବର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଜୁକେସନାଲ୍‌ ପ୍ଲାନିଂ ଆଣ୍ଡ ଆଡମିନିଷ୍ଟ୍ରେସନ୍‌ (ଏନ୍‌ଆଇଇପିଏ)ର କୁଳପତି ପ୍ରଫେସର ଶଶିକଳା ୱାଞ୍ଜାରି, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଦକ୍ଷିଣ ବିହାରର ପୂର୍ବତନ କୁଳପତି ପ୍ରଫେସର ଏଚ୍‌ସିଏସ୍‌ ରାଠୋର ସଦସ୍ୟ ରହିଛନ୍ତି। ୟୁଜିସି ଯୁଗ୍ମ ସଚିବ ସୁନିତା ସିୱାଚ୍‌ ସଂଯୋଜକ ଅଧିକାରୀ ରହିଛନ୍ତି।
    ଏହି କମିଟି ୧୦ ଦିନ ମଧ୍ୟରେ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ କରି ୟୁଜିସି ନିକଟରେ ଦାଖଲ କରିବ ବୋଲି ୟୁଜିସି ସଚିବ ମନୀଷ ‌ଯୋଶୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.5 ° C
    25.5 °
    25.5 °
    86 %
    1.3kmh
    100 %
    Wed
    25 °
    Thu
    29 °
    Fri
    27 °
    Sat
    28 °
    Sun
    28 °

    ସମ୍ବନ୍ଧିତ