Tuesday, March 31, 2026
35.4 C
Odisha

    ପୁରୀକୁ ଗଡ଼ିଲା ଡବଲ୍‌ ଡେକର୍‌

    ଆଗକୁ ପଢନ୍ତୁ

    ଦୁଇ ମହଲା ବସ୍‌ରେ ଶ୍ରୀକ୍ଷେତ୍ର ଭ୍ରମଣରେ ଆସିବେ ପର୍ଯ୍ୟଟକ। ବସ୍‌ ଛାତ ଉପରେ ସେଣ୍ଟ୍ରାଲ ଏସିର ମଜା ନେବା ସହ ଝରକା ନିକଟରୁ ପ୍ରକୃତିର ରୂପ ସଂଦର୍ଶନ କରିବାର ନିଆରା ଅନୁଭବ ନେବେ। ଡବଲ୍‌ ଡେକର୍‌ ବସ୍‌ ଆଣିଦେବ ଏହି ସୁଯୋଗ। ରାଜ୍ୟ ସରକାର ପର୍ଯ୍ୟଟକଙ୍କୁ ନିଆରା ଅନୁଭବ ଭେଟି ଦେବା ଉଦ୍ଦେଶ୍ୟରେ ଡବଲ୍‌ ଡେକର୍‌ ବସ୍‌ର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଏ ନେଇ ଆଜି କ୍ୟାପିଟାଲ୍‌ ରିଜନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଭୁବନେଶ୍ବରରୁ ପୁରୀ ମଧ୍ୟରେ ଡବଲ୍‌ ଡେକର୍‌ ବସ୍‌ର ଟ୍ରାଏଲ୍‌ ରନ୍‌ କରାଯାଇଛି। ଗତକାଲି ଆଞ୍ଚଳିକ ପରିବହନ ଦପ୍ତର ପକ୍ଷରୁ ସର୍ଭେ ହେବା ପରେ ଆଜି ବସ୍‌ ପୁରୀରେ ପହଞ୍ଚି ଭୁବନେଶ୍ବର ଫେରିଯାଇଛି। ୯.୫ ମିଟର ଲମ୍ବ, ୪.୮ ମିଟର ଉଚ୍ଚତାର ଏହି ବସ୍‌ ପ୍ରଥମଥର ପାଇଁ ପୁରୀରେ ଗଡ଼ିଛି। ବ୍ୟାଟେରିଚାଳିତ ଏହି ବସ୍‌ରେ ସମୁଦାୟ ୬୬ଟି ସିଟ୍‌ ସାଙ୍ଗକୁ ଫାଷ୍ଟ ଏଡ୍‌, ସିସିଟିଭି, ସେଣ୍ଟ୍ରାଲ୍ ଏସି ତଥା ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ସହ ଅଗ୍ନି ନିର୍ବାପକ (ଫାୟାର ଏକ୍ସଟିଙ୍ଗୁଇସ୍‌) ବ୍ୟବସ୍ଥା ରହିଛି। ବସ୍‌ର ଉପର ମହଲାକୁ ଚଢ଼ିବା ଏବଂ ଓହ୍ଲେଇବା ପାଇଁ ଦୁଇ ପାର୍ଶ୍ବରେ ଦୁଇଟି ସିଡ଼ି ରହିଛି।

    ରବିବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୨ଟା ସମୟରେ ଡବଲ୍‌ ଡେକର୍‌ ବସ୍‌ ପୁରୀ ମାଳତୀପାଟପୁର ବସ୍‌ଷ୍ଟାଣ୍ଡ୍‌ରେ ପହଞ୍ଚିଥିଲା। ସେଠାରୁ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର (ଜେବିପିସି) ଅଭିମୁଖେ ଆସିବା ପରେ ସମୁଦ୍ରକୂଳ ଥାନା ନିକ ଟକୁ ଯାଇ ସେଠାରୁ ସମଙ୍ଗ ପାର୍କିଂ ନିକଟକୁ ଆସିଥିଲା। ପ୍ରଥମ ପର୍ଯ୍ୟାୟରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଅଧିକାରୀ, ପୁଲିସ୍‌ ଅଧିକାରୀ ଓ କ୍ରୁଟ୍‌ର କର୍ମକର୍ତ୍ତା ବସ୍‌ରେ ପୁରୀ ଆସିଥିଲେ। ଏହି ବସ୍‌ରେ ପ୍ରଥମେ ପ୍ରବାସୀ ଭାରତୀୟମାନେ ପୁରୀକୁ ଆସିବାର କାର୍ଯ୍ୟକ୍ରମ ରହିଛି। ଆଞ୍ଚଳିକ ପରିବହନ ଦପ୍ତରର ସ୍ବତନ୍ତ୍ର ଅଧିକାରୀ ରବିନ ପଟ୍ଟନାୟକ କହିଛନ୍ତି, ଡବଲ୍‌ ଡେକର୍‌ ବସ୍‌ ଭୁବନେଶ୍ବରରୁ ପୁରୀ ଆସିବା ପୂର୍ବରୁ ଆମକୁ ସର୍ଭେ ପାଇଁ କୁହାଯାଇଥିଲା। କାଲି ରାସ୍ତା ସର୍ଭେ ପରେ ଆଜି ବିନା ପ୍ରତିବନ୍ଧକରେ ବସ୍‌ ପୁରୀରେ ପହଞ୍ଚିଛି। ବ୍ୟାଟେରିଚାଳିତ ବସ୍‌ ହୋଇଥିବାରୁ ଏହାକୁ ରିଚାର୍ଜ କରିବା ପାଇଁ ସମଙ୍ଗ ନିକଟରେ ଏକ ବ୍ୟାଟେରି ଚାର୍ଜିଂ ପଏଣ୍ଟ ସ୍ଥାପନ ହୋଇଛି। ଏହି ଡବଲ୍‌ ଡେକର୍‌ ବସ୍‌ ଥରେ ଚାର୍ଜ ହେଲେ ୧୮୦ରୁ ୨୦୦ କିମି ଗଡ଼ିବ। ତେବେ ବସ୍‌ର ଯାତାୟାତ ରୁଟ୍‌ ସମ୍ପର୍କରେ କୌଣସି ସୂଚନା ଆସିନାହିଁ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.4 ° C
    35.4 °
    35.4 °
    22 %
    2.9kmh
    45 %
    Tue
    37 °
    Wed
    38 °
    Thu
    40 °
    Fri
    39 °
    Sat
    40 °

    ସମ୍ବନ୍ଧିତ