Friday, October 2, 2026
22.9 C
Odisha

    ପୁରୀରେ କାଠ ରାମ୍ପରେ ଧାଡ଼ି ଦର୍ଶନ, ଉତ୍କଣ୍ଠାରେ ଭକ୍ତ

    ଆଗକୁ ପଢନ୍ତୁ

    ପୁରୀ : ପାର୍ବଣ ଋତୁରେ ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ ଦର୍ଶନ ବ୍ୟବସ୍ଥା। ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ଶ୍ରୀମନ୍ଦିର ପ୍ରଶାସନ ଗରୁଡ଼ ସ୍ତମ୍ଭଠାରୁ ବାହାର କାଠ ପରିସର ୧୬ ପିଲର ଅଞ୍ଚଳରେ ୬ ଥାକିଆ ଦର୍ଶନ ବ୍ୟବସ୍ଥା ଆପଣାଇବାକୁ ଯାଉଛନ୍ତି। ବୃଦ୍ଧ, ବୟସ୍କ, ଶିଶୁ ଏବଂ ମହିଳା ପୃଥକ‌ ଭାବେ ଗୋଟିଏ ପଟରୁ ସୁଉଚ୍ଚ ରାମ୍ପରେ ଯାଇ ଗୋଟିଏ ଧାଡ଼ିକୁ ବ୍ୟବହାର କରିବା ସହ ଦର୍ଶନ କରି ଅପର ପାର୍ଶ୍ବରେ ଥିବା ରାମ୍ପ ସାହାଯ୍ୟରେ ଓହ୍ଲାଇ ଫେରି ପାରିବେ। ଫଳରେ ଠେଲାପେଲା ତଥା ଭିଡ଼ ନିୟନ୍ତ୍ରଣ କରାଯାଇ ଦର୍ଶନରେ ଶୃଙ୍ଖଳା ଅଣାଯାଇ ପାରିବ। ମହିଳା ଓ ବରିଷ୍ଠ ନାଗରିକ ଘଣ୍ଟି ଦ୍ବାର ଓ ପୁରୁଷମାନେ ସାତ ପାହାଚ ନିକଟବର୍ତ୍ତୀ ଗାରଦ ଦ୍ବାରରେ ପ୍ରସ୍ଥାନ କରିପାରିବେ। ଆସନ୍ତା ୧୫ତାରିଖରୁ ଏହି ଦର୍ଶନ ବ୍ୟବସ୍ଥା ପରୀକ୍ଷାମୂଳକ ଭାବରେ ଲାଗୁ କରାଯିବାର ସମ୍ଭାବନା ରହିଛି। ଏଥିରେ କୌଣସି ତ୍ରୁଟି ଦେଖାଦେଲେ ସଂଶୋଧନ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

    ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଦର୍ଶନ ବ୍ୟବସ୍ଥା ନିଷ୍ପତ୍ତି ବାରମ୍ବାର ବଦଳୁଛି। ଭିଭିଆଇପି ଦର୍ଶନ ପାଇଁ ନାଟ ମଣ୍ଡପରେ ରହିଥିବା ଗଳାବାଟ ବର୍ତ୍ତମାନ ସୁଦ୍ଧା ବନ୍ଦ ହୋଇନାହିଁ। ଶ୍ରୀମନ୍ଦିର ବାହାରେ ଭକ୍ତଙ୍କୁ ନିୟନ୍ତ୍ରଣ କରିବା ପାଇଁ ଯେଉଁ ପ୍ରବେଶ ଏବଂ ପ୍ରସ୍ଥାନ ବ୍ୟବସ୍ଥା ଲାଗୁ କରାଯାଇଛି ବାହାର କାଠ ଏବଂ ନାଟ ମଣ୍ଡପ ନିକଟରେ ଦର୍ଶନ ବେଳେ ପୁନର୍ବାର ଠେଲାପେଲା ଆଶଙ୍କା ରହିଛି। ନୀତି ବହୁଳ ଦିନରେ ମହାପ୍ରଭୁଙ୍କ ନୀତିରେ ଯେଭଳି କୌଣସି ବ୍ୟାଘାତ ନ ଘଟେ, ସେଥିପାଇଁ ଦୃଷ୍ଟି ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ନୀତି ବହୁଳ ଦିନରେ ୬ଥାକିଆ ରାମ୍ପ ଅପସାରଣ ଯୋଗ୍ୟ ବ୍ୟାରିକେଡ୍‌ ପାଇଁ ନକ୍ସା ଚୂଡ଼ାନ୍ତ ହୋଇଥିଲା। ନୀତି ସମୟରେ ତାହା ସେହି ଅଞ୍ଚଳରୁ ସହଜରେ ହଟାଯାଇ ପାରିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ପାଇଁ ଗତ ୮ମାସ ହେଲା ଭୁବନେଶ୍ବର ନୂଆପଲ୍ଲୀରେ ପ୍ରାୟ ଦେଢ଼କୋଟି ଟଙ୍କାର କାଠର ରାମ୍ପ ନିର୍ମାଣ ହୋଇ ରକ୍ଷଣାବେକ୍ଷଣ ଅଭାବରୁ ଧୂଳିଧୂସର ଅବସ୍ଥାରେ ପଡ଼ି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ