କେନ୍ଦ୍ରାପଡା: କଥାରେ ଅଛି ବାଡ଼ ଯଦି ଫସଲ ଖାଏ ତେବେ ଗୁହାରି କରିବ କାହାକୁ ? ନିଜ କଷ୍ଟ ଉପାର୍ଜିତ ଟଙ୍କାକୁ ସୁରକ୍ଷିତ ରଖିବାପାଇଁ ଲୋକମାନେ ପୋଷ୍ଟ ଅଫିସରେ ଜମାଖାତା ଖୋଲି ଟଙ୍କା ରଖିଥିଲେ । ହେଲେ ତାଙ୍କ ଟଙ୍କାକୁ ଯେ,ସୁରକ୍ଷିତ ରଖିବା କଥା ସେ ଯେ ଟଙ୍କା ହଡ଼ପ କରିବ କିଏ ବା ଜାଣିଥିଲା । ଆମେ କହୁଛୁ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ବରୁଣା ଉପ-ଡାକଘରରେ ହୋଇଥିବା ଜମାଟଙ୍କା ହଡ଼ପ ସମ୍ପର୍କରେ । ଏଠି ଦାୟିତ୍ୱରେ ଥିବା ପୋଷ୍ଟମାଷ୍ଟର ଖାଇଦେଲେ ଜମାକାରୀଙ୍କ ଟଙ୍କା । ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ପାଖାପାଖି ୨୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ।
ପୋଷ୍ଟମାଷ୍ଟର ଆଶିକ୍ କୁମାର ମାହାଲି ଜମାକାରୀମାନଙ୍କର ୨୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଛି । ୫୦ରୁ ଉର୍ଦ୍ଧ୍ବ ଜମାକାରୀ ଜାଣିନଥିବା ବେଳେ ତାଙ୍କ ଜମାଖାତାରୁ ପୋଷ୍ଟମାଷ୍ଟର ଟଙ୍କା ଉଠାଇ ନେଇଛନ୍ତି । ଏବେ ଘଟଣା ପଦାକୁ ଆସିବା ପରେ ଜମାକାରୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଅନ୍ୟ ଜମାକାରୀମାନେ ତାଙ୍କ ଖାତାରୁ ଟଙ୍କା ହଡ଼ପ ହୋଇଛି ନା ସୁରକ୍ଷିତ ଅଛି କି ନାହିଁ ଜାଣିବା ପାଇଁ ଏବେ ପୋଷ୍ଟ ଅଫିସରେ ଭିଡ଼ ଜମାଇଛନ୍ତି ।ବରୁଣା ଉପ-ଡାକଘରେ ୨ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ଜମାଖାତା ରହିଛି । ସେମାନଙ୍କ ମଧ୍ୟରୁ ଶତାଧିକ ଲୋକଙ୍କ ଜମାଖାତା ପୋଷ୍ଟମାଷ୍ଟର ନିଜ ପାଖରେ ରଖିଛନ୍ତି । ଜମାକାରୀମାନଙ୍କ ଅଜାଣତରେ ପୋଷ୍ଟ ମାଷ୍ଟର ଲକ୍ଷ ଲକ୍ଷ ଟଙ୍କା ଉଠାଇ ହଡ଼ପ କରିଥିବା ଅଭିଯୋଗ ହୋଇଛି । ଏନେଇ ଡାକବିଭାଗର ଉଚ୍ଚପଦସ୍ତ ଅଧିକାରୀଙ୍କ ନିକଟରେ ଅଭିଯୋଗ ହେବା ପରେ ସମ୍ପୃକ୍ତ ପୋଷ୍ଟ ମାଷ୍ଟର ଆଶିକ୍ କୁମାର ମହାଲିଙ୍କ ନାଁରେ ବିଭାଗ ପକ୍ଷରୁ ରାଜକନିକା ଥାନାରେ ଏତଲା ଦିଆଯାଇଛି । ଅନ୍ୟପଟେ ସମ୍ପୃକ୍ତ ପୋଷ୍ଟ ମାଷ୍ଟର ଏବେ ଫେରାର ହୋଇଯାଇଛନ୍ତି । ଏ ସମ୍ପର୍କରେ ତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

