Sunday, September 13, 2026
27.6 C
Odisha

    ପ୍ରଧାନମନ୍ତ୍ରୀଙ୍କ ସ୍ନାତକ ଡିଗ୍ରୀ ସାର୍ବଜନୀନ ହେବନି: ଦିଲ୍ଲୀ ହାଇକୋର୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   :  ଦିଲ୍ଲୀ ବିଶ୍ଵବିଦ୍ୟାଳୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ନାତକ ଡିଗ୍ରୀର ବିବରଣୀ ସାର୍ବଜନୀନ କରିବାକୁ ବାଧ୍ୟ ନୁହେଁ। ଡିଗ୍ରୀ ଜାରି କରିବାକୁ କେନ୍ଦ୍ରୀୟ ସୂଚନା କମିସନଙ୍କ ଆଦେଶକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରି ଆଜି ଏହି ରାୟ ଶୁଣାଇଛନ୍ତି।

    ସୂଚନା ଅନୁସାରେ, ୨୦୧୬ରେ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ୧୯୭୮ ସ୍ନାତକ ବ୍ୟାଚରେ ପାସ କରିଥିବା ଛାତ୍ରଛାତ୍ରୀଙ୍କ ରେକର୍ଡ ଯାଞ୍ଚ କରିବାକୁ ଅନୁମତି ଦେଇଥିଲେ। କୁହାଯାଉଛି ଯେ, ସେ ସମୟରେ ପ୍ରଧାନମନ୍ତ୍ରୀ ବି ଏହି ପରୀକ୍ଷାରେ ପାସ କରିଥିଲେ। ସିଆଇସିଙ୍କ ଏହି ଆଦେଶକୁ ଦିଲ୍ଲୀ ବିଶ୍ଵବିଦ୍ୟାଳୟ ପକ୍ଷରୁ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା। ୨୦୧୭ ଜାନୁୟାରୀରେ ପ୍ରଥମ ଶୁଣାଣିରେ କୋର୍ଟ ଏହା ଉପରେ ରୋକ ଲଗାଇଥିଲେ। ଆଜି ଶୁଣାଣି ସମୟରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଯୁକ୍ତିରେ ଦର୍ଶାଇଥିଲେ ଯେ, ସିଆଇସିର ଆଦେଶକୁ ରଦ୍ଦ କରିଦିଆଯିବା ଉଚିତ। କାରଣ ଗୋପନୀୟତାର ଅଧିକାର ସୂଚନା ଅଧିକାରଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ। ତେବେ ବିଶ୍ଵବିଦ୍ୟାଳୟ ପକ୍ଷରୁ କୋର୍ଟଙ୍କୁ କୁହାଯାଇଥିଲା ଯେ, ସେମାନେ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ରେକର୍ଡ କୋର୍ଟଙ୍କ ସମ୍ମୁଖରେ ଦାଖଲ କରିବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଆରଟିଆଇ ଅଧିନିମୟ ଅଧୀନରେ ଅଜଣା ବ୍ୟକ୍ତିଙ୍କ ଦ୍ଵାରା ଯାଞ୍ଚ ଲାଗି ତାହାକୁ ସାର୍ବଜନୀନ କରାଯାଇ ପାରିବ ନାହିଁ।

    ତେବେ ଆରଟିଆଇ ଜରିଆରେ ଆବେଦନ କରିଥିବା ନୀରଜ ଶର୍ମାଙ୍କ ତରଫରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ ସଞ୍ଜୟ ହେଗଡେ ସିଆଇସିଙ୍କ ଆଦେଶକୁ ସୁରକ୍ଷା ଦେଇ କହିଥିଲେ, ଆରଟିଆଇ ଅଧିନିୟମ ବ୍ୟାପକ ଜନହିତ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଶୈକ୍ଷିକ ରେକର୍ଡର ସାର୍ବଜନୀନ କରିବାର ଅନୁମତି ଦେଇଥାଏ। ଆରଟିଆଇ ଦ୍ଵାରା ମଗାଯାଇଥିବା ତଥ୍ୟ ସାଧାରଣତଃ ଯେକୌଣସି ବିଶ୍ଵବିଦ୍ୟାଳୟ ଦ୍ଵାରା ପ୍ରକାଶିତ କରାଯାଉଛି। ପୂର୍ବରୁ ଏହାକୁ ନୋଟିସ ବୋର୍ଡ, ସଂସ୍ଥାର ଓ୍ବେବସାଇଟ ଏବଂ ଏପରି କି ଖବରକାଗଜରେ ବି ପ୍ରକାଶ କରାଯାଉଥିଲା। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ବିଚାରପତି ଦିଲ୍ଲୀ ବିଶ୍ଵବିଦ୍ୟାଳୟ ପକ୍ଷରୁ  କରାଯାଇଥିବା ଅପିଲକୁ ଗ୍ରହଣ କରିବା ସହିତ କମିସନଙ୍କ ଆଦେଶକୁ ରଦ୍ଦ କରିଦେଇଥିଲେ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    75 %
    2.2kmh
    66 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ