Wednesday, October 14, 2026
23 C
Odisha

    ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ବିଆର୍ ଗୱାଇ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜଷ୍ଟିସ୍‌ ଭୂଷଣ ରାମକୃଷ୍ଣ ଗୱାଇ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ଭାରତର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବୋଚ୍ଚ ନ୍ୟାୟିକ ପଦରେ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ସ୍ଥାନରେ ଜଷ୍ଟିସ୍ ବିଆର୍ ଗୱାଇଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ପରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୱାଇଙ୍କୁ ରାଷ୍ଟ୍ରପତି ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ କେନ୍ଦ୍ର କ୍ୟାବିନେଟ୍‌ର ଅନ୍ୟ ସଦସ୍ୟମାନେ ଅଭିନନ୍ଦନ ଜଣାଇଥିଲେ। ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ମଧ୍ୟ ତାଙ୍କ ଉତ୍ତରାଧିକାରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

    ନଭେମ୍ବରରେ ଅବସର ନେବା ପୂର୍ବରୁ ପ୍ରଧାନ ବିଚାରପତି ଗୱାଇ ୬ ମାସ ପାଇଁ ଏହି ପଦରେ ରହିବେ। ଶ୍ରୀ ଗୱାଇ ବରିଷ୍ଠ ଆଇନଜୀବୀ ୧୯୮୫ରେ ବାର୍‌ରେ ଯୋଗ ଦେଇଥିଲେ ଏବଂ ବମ୍ବେ ହାଇକୋର୍ଟରେ ଅଭ୍ୟାସ କରିଥିଲେ। ସେ ୨୦୦୩ରେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଏବଂ ୨୦୦୫ରେ ସ୍ଥାୟୀ ବିଚାରପତି ହୋଇଥିଲେ। ୨୦୧୯ରେ ସେ ସୁପ୍ରିମ୍‌କୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ ସେ ଅନେକ ଐତିହାସିକ ରାୟରେ ସାମିଲ ହୋଇଛନ୍ତି, ଯେଉଁଥିରେ ୨୦୧୬ରେ କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତିକୁ ବଜାୟ ରଖିବା ଏବଂ ଇଲେକ୍ଟୋରାଲ ବଣ୍ଡ୍ ଯୋଜନାକୁ ଅସାମ୍ବିଧାନିକ ଘୋଷଣା କରିଥିବା ରାୟ ରହିଛି। ସେ ପାଖାପାଖି ୩୦୦ଟି ରାୟ ଲେଖିଛନ୍ତି, ସେଥିମଧ୍ୟରୁ ଅଧିକାଂଶ ମୌଳିକ ଅଧିକାର ସମ୍ବନ୍ଧୀୟ ସାମ୍ବିଧାନିକ ଖଣ୍ଡପୀଠ ରାୟ।

    ପ୍ରଧାନ ବିଚାରପତି କେଜି ବାଲକ୍ରିଷ୍ଣନଙ୍କ ପରେ ପ୍ରଧାନ ବିଚାରପତି ଗୱାଇ ହେଉଛନ୍ତି ଦ୍ୱିତୀୟ ଦଳିତ ଯିଏ ଦେଶର ସର୍ବୋଚ୍ଚ ଆଇନଗତ ପଦବିରେ ଆସୀନ ହୋଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୱାଇଙ୍କ ପିତା ଆର୍‌ଏସ୍‌ ଗୱାଇ ଜଣେ ସାମାଜିକ କର୍ମୀ, ଯିଏ ତିନୋଟି ରାଜ୍ୟର ରାଜ୍ୟପାଳ ଏବଂ ସଂସଦର ଉଭୟ ଗୃହର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ। ସେ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ (ଗୱାଇ) ପ୍ରତିଷ୍ଠା କରିଥିଲେ। ବରିଷ୍ଠ ଆଇନଜୀବୀ ତଥା ସାଂସଦ ଡ. ଅଭିଷେକ ମନୁ ସିଂଘଭି କହିଛନ୍ତି ଯେ ପ୍ରଧାନ ବିଚାରପତି ଗୱାଇ ହେଉଛନ୍ତି ସବୁଠାରୁ ସଫଳ ବିଚାରପତି। ତାଙ୍କର କାର୍ଯ୍ୟକାଳ ଅଧିକ ହୋଇଥିଲେ ଭଲ ହୋଇଥାନ୍ତା। ସଲିସିଟର୍‌ ଜେନେରାଲ ତୁଷାର ମେହେଟା କହିଛନ୍ତି, ଜଷ୍ଟିସ୍‌ ଗୱାଇ ଜଣେ ବିନମ୍ର ବ୍ୟକ୍ତିତ୍ୱ। ଉଚ୍ଚ ସାମ୍ବିଧାନିକ ପଦବିରେ ରହିଥିଲେ ହେଁ ସେ ବୌଦ୍ଧିକ ଦୃଷ୍ଟିରୁ ସ୍ୱାଧୀନ ଓ ନିରପେକ୍ଷ। ଆଇନର ସମସ୍ତ ଶାଖାରେ ତାଙ୍କର ବହୁତ ଅବଦାନ ରହିଛି। ସେ ଡ. ଆମ୍ବେଦକରଙ୍କ ପ୍ରକୃତ ପରମ୍ପରାକୁ ଆଗକୁ ବଢ଼ାଉଛନ୍ତି ବୋଲି ମେହେଟା କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23 ° C
    23 °
    23 °
    93 %
    1.6kmh
    5 %
    Wed
    23 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ