Thursday, October 29, 2026
23 C
Odisha

    ପ୍ରବଳ ବର୍ଷାରେ ଗଜପତିରେ ଭୂସ୍ଖଳନ, ପାହାଡ଼ ଧସି ଯାତାୟାତ ଠପ୍

    ଆଗକୁ ପଢନ୍ତୁ

    ଗଜପତି : ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଜପତିରେ ବିଗିଡ଼ିଲା ସ୍ଥିତି । କଇଁପୁର-ଗଙ୍ଗାବାଡ଼ା ରାସ୍ତାରେ ଭୂସ୍ଖଳନ। ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗତ ଦୁଇ ଦିନ ହେଲା ଗଜପତି ଜିଲ୍ଲାରେ ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ଲଗାତାର ବର୍ଷା କାରଣରୁ ଜିଲ୍ଲାର ପ୍ରମୁଖ ନଦୀ ଓ ପାହାଡ଼ିଆ ନାଳଗୁଡ଼ିକର ଜଳସ୍ତର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏପରିସ୍ଥିତିରେ ବିଭିନ୍ନ ଘାଟି ଅଞ୍ଚଳରେ ମାଟି ଅତଡ଼ା ଖସିବା ଆରମ୍ଭ ହୋଇଥିବା ବେଳେ ଗୁରୁତ୍ୱପୂର୍ଣ୍ଣ କଇଁପୁର-ଗଙ୍ଗାବାଡ଼ା ମୁଖ୍ୟ ରାସ୍ତାରେ ଭୟଙ୍କର ଭୂସ୍ଖଳନ ଘଟି ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି । ​ବର୍ଷାର ମାତ୍ରା ଅଧିକ ଥିବାରୁ କଇଁପୁର-ଗଙ୍ଗାବାଡ଼ା ରାସ୍ତାର ଏକ ପାହାଡ଼ିଆ ଅଂଶ ଧସିଯାଇଛି । ଫଳରେ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ରାସ୍ତା ଉପରେ ବିରାଟ ବିରାଟ ପଥରଖଣ୍ଡ ଓ କାଦୁଅ ମାଟି ଜମି ରହିଛି । ଏହି ମୁଖ୍ୟ ମାର୍ଗ ଦେଇ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବାରୁ ଉପାନ୍ତ ଅଞ୍ଚଳର ଲୋକେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଫସି ରହିଛନ୍ତି ।

    ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ଜେସିବି ଏବଂ ଶ୍ରମିକ ନିୟୋଜିତ କରି ରାସ୍ତା ସଫା କରିବାକୁ ଉଦ୍ୟମ ଚଳାଇଥିଲେ ହେଁ ଲଗାଣ ବର୍ଷା ଏହି ପୁନରୁଦ୍ଧାର କାର୍ଯ୍ୟରେ ପ୍ରମୁଖ ବାଧକ ସାଜିଛି । ମହେନ୍ଦ୍ରତନୟା, ବଂଶଧାରା ସମେତ ସ୍ଥାନୀୟ ପାହାଡ଼ିଆ ଝରଣା ଓ ନାଳଗୁଡ଼ିକର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି । କେତେକ ସ୍ଥାନରେ କଲଭର୍ଟ ଓ ପୋଲ ଉପରେ ପାଣି ଚାଲିବା ଯୋଗୁଁ ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ତଳିଆ ଅଞ୍ଚଳର ବିସ୍ତୀର୍ଣ୍ଣ ଚାଷଜମିରେ ବର୍ଷା ଓ ବନ୍ୟା ପାଣି ମାଡ଼ିଯାଇଛି, ଯାହା ଫଳରେ ପନିପରିବା ଏବଂ ଧାନ ଫସଲ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବା ଆଶଙ୍କା ଦେଖାଦେଇଛି । ​ଜିଲ୍ଲାରେ ଏବେ ବି ଅବିଶ୍ରାନ୍ତ ବର୍ଷା ଜାରି ରହିଥିବାରୁ ଆଗକୁ ପରିସ୍ଥିତି ଆହୁରି ଜଟିଳ ହେବା ଆଶଙ୍କା କରାଯାଉଛି । ପାହାଡ଼ିଆ ଓ ବିପଦସଙ୍କୁଳ ସ୍ଥାନରେ ଥିବା ଗ୍ରାମବାସୀଙ୍କୁ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    23 ° C
    23 °
    23 °
    95 %
    5.4kmh
    98 %
    Thu
    23 °
    Fri
    28 °
    Sat
    28 °
    Sun
    29 °
    Mon
    26 °

    ସମ୍ବନ୍ଧିତ