Saturday, April 4, 2026
29 C
Odisha

    ଫୁଲ ଚାଷ ଆଣିଛି ନୁଆ ସମ୍ଭାବନା,ଦୁଇ ଏକର ଜମିରୁ ବାର୍ଷିକ ରୋଜଗାର କରୁଛନ୍ତି ୧୨ ଲକ୍ଷ ଟଙ୍କା

    ଆଗକୁ ପଢନ୍ତୁ

    ବାଲେଶ୍ବର : ସୁଲୁସୁଲିଆ ପବନ ରେ ଦୋଳି ଖେଳୁଛନ୍ତି ଗଣ୍ତା ଗଣ୍ତା ଫୁଲ । ନା ଅଛି ରୋଗ ପୋକର ଚିନ୍ତା । କ୍ଷେତରେ ହସୁଛି ରଙ୍ଗବେରଙ୍ଗର ଗେଣ୍ଡୁଫୁଲ । ଆଜିର ଯୁବ ସମାଜ ଧିରେ ଧିରେ ଚାଷ କାର୍ଯ୍ଯରୁ ମୁହଁ ଫେରାଇ ନେଉଥିବା ବେଳେ ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ଦକ୍ଷିଣ ପ୍ରହରାଜପୁର ଗାଁର ରଞ୍ଜନ ସେଠୀ ପାଠ ପଢା ଶେଷ ହେବା ପରେ ଚାକିରି ପଛରେ ନଗୋଡାଇ ଫୁଲ ଚାଷକୁ ଆପଣେଇ ନିଜେ ସ୍ବାବଲମ୍ବୀ ହେବା ସହ ଗାଁର କିଛି ଲୋକଙ୍କୁ ନିଯୁକ୍ତି ମଧ୍ଯ ଦେଇଛନ୍ତି । ଦୁଇ ଏକରରୁ ଉର୍ଧ୍ବ ଜମିରେ ଗେଣ୍ଡୁ ଫୁଲ ସହ ଅନ୍ୟାନ୍ୟ ଫୁଲ ଚାଷ କରି ବାର୍ଷିକ ୧୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।ରଞ୍ଜନ ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟରୁ ୨୦୧୬ ମସିହାରେ ସ୍ନାତକୋତ୍ତର (ଏମଏ) ପାସ୍ କରିବା ପରେ ଆନ୍ଧ୍ରପ୍ରଦେଶ ସ୍ଥିତ ନାଗର୍ଜୁନ ୟୁନିଭର୍ସିଟି ରେ ବିଏଡ୍ କରିଥିଲେ । ଏହା ପରେ ଚାକିରି ପାଇବା ପାଇଁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ନିରାଶ ହୋଇଥିଲେ । ବିଶେଷ କରି ୨୦୨୦ ମସିହା କରୋନା ସମୟରେ ତାଙ୍କର ଜଣେ ଆତ୍ମୀୟ ଙ୍କ ପରାମର୍ଶ କ୍ରମେ ମାତ୍ର ଦଶ ହଜାର ଟଙ୍କା ଖର୍ଚ୍ଚରେ ସେ ନିଜ ପାଳଜମି ରେ ଆରମ୍ଭ କରିଥିଲେ ଗେଣ୍ଡୁ ଫୁଲ ଚାଷ । ଚାଷରୁ ଭଲ ଦୁଇ ଟଙ୍କା ରୋଜଗାର କରିବା ପରେ ସେ ଆଉ ପଛକୁ ଫେରି ନାହାନ୍ତି ।

    ରଞ୍ଜନଙ୍କ କହିବା ଅନୁଯାୟୀ ସେ ଏବେ ଦୁଇ ଏକର ଜମିରେ ଚେରି,ଚିନା,ବାସନ୍ତୀ,ସେବତୀ,ନାଲି ଗେଣ୍ଡୁ,ରକ୍ତ ଗେଣ୍ଡୁ ଇତ୍ୟାଦି ଚାଷ କରୁଛନ୍ତି । ଏହି ଫୁଲ ଚାଷ ପାଇଁ ସେ ଚାରା ପଶ୍ଚିମବଙ୍ଗର ଖିରାଏ ପାଉଁଶକୁଡା,କଲାଘାଟ ଆଦି ଅଞ୍ଚଳରୁ ସଂଗ୍ରହ କରନ୍ତି । ଚାରା ଲାଗିବାର ୩୫ ରୁ ୪୦ଦିନ ମଧ୍ୟରେ ଗଛରେ ଫୁଲ ଫୁଟିବା ଆରମ୍ଭ ହୁଏ । ଫୁଲ ଫୁଟିବା ଆରମ୍ଭ ହେଲେ ସେବେ ଠାରୁ ପାଖାପାଖି ୪ ମାସ ପର୍ଯ୍ଯନ୍ତ ଫୁଲ ଅମଳ ହୁଏ । ଗୋଟିଏ ଏକର ପିଛା ଏହି ଚାଷ ପାଇଁ ୫୦ ରୁ ୬୦ ହଜାର ଟଙ୍କା ଯାଏଁ ଖର୍ଚ୍ଚ କରୁଥିବା ବେଳେ ଏକର ପିଛା ଆୟ ୫ ରୁ ୬ ଲକ୍ଷ ଟଙ୍କା ପର୍ଯ୍ଯନ୍ତ ଲାଭ ହୋଇ ଥାଏ । ଫୁଲର କିଲୋ ପିଛା ମୂଲ୍ୟ ବଜାର ରେ ୪୦ ଟଙ୍କାରୁ ଶହେ ଟଙ୍କା ଯାଏଁ ହୋଇଥିବା ବେଳେ ରଥଯାତ୍ରା,ପଞ୍ଚୁକ ପର୍ବ ଆଦି ସମୟରେ ଏହା ଅଢେଇ ଶହରୁ ୩ ଶହ ଟଙ୍କା ଯାଏଁ ବିକ୍ରି ହୁଏ।

    ରଞ୍ଜନ ଉତ୍ପନ୍ନ ହେଉଥିବା ଫୁଲକୁ ଜଳେଶ୍ଵର ସମେତ ଭୋଗରାଇ,ବସ୍ତା,ବାଲିଆପାଳ,ରାସଗୋବିନ୍ଦପୁର ଏପରିକି ପଶ୍ଚିମବଙ୍ଗ ର ବିଭିନ୍ନ ଅଞ୍ଚଳକୁ ପଠାଇଥାନ୍ତି । ଜୈବିକ ଉପାୟ ରେ ଚାଷ ହେଉଥିବାରୁ ଫୁଲର ରଙ୍ଗ ଏବଂ ସୁଗନ୍ଧ ଦୃଷ୍ଟିରୁ ରଞ୍ଜନ ଙ୍କ ଫୁଲ ର ବଜାରରେ ମଧ୍ୟ ବେଶ ଚାହିଦା ରହିଛି । ରଞ୍ଜନଙ୍କ ପୁରା ପରିବାର ଏବଂ ଗାଁର ୫ ଜଣ ମଜୁରିଆ ଏହି ଫୁଲ ଚାଷ କାମରେ ଲାଗିଥାନ୍ତି । ଗତ ୪ ବର୍ଷ ହେଲା ରଞ୍ଜନ କେବଳ ଗେଣ୍ଡୁ ଫୁଲ ଚାଷକୁ ଗୁରୁତ୍ୱ ଦେଉଥିବା ବେଳେ ଚଳିତ ବର୍ଷ ଠାରୁ ବୁକେ ଓ ଫୁଲତୋଡ଼ା ପ୍ରସ୍ତୁତ ପାଇଁ ଆବଶ୍ୟକ ପଡୁଥିବା ଅନ୍ୟ ଫୁଲ ଓ ଡାଳ ସବୁ ରଞ୍ଜନ ଚାଷ କରିବେ ବୋଲି କହିଛନ୍ତି । ପୂର୍ବରୁ ସ୍ଥାନୀୟ ବ୍ଯବସାୟୀ ମାନେ ଫୁଲ ପାଇଁ ପଡୋଶୀ ପଶ୍ଚିମବଙ୍ଗ ଉପରେ ନିର୍ଭର କରୁଥିବା ବେଳେ ଏବେ ସେମାନଙ୍କ ଚାହିଦା ମେଣ୍ଟାଉଛନ୍ତି ରଞ୍ଜନ ।ଚାକିରି ପଛରେ ନ ଗୋଡାଇ ନିଜେ କିଛି କରି ସ୍ବାବଲମ୍ବୀ ହେବାର ପ୍ରୟାସ ରଞ୍ଜନଙ୍କୁ ଏହି ସଫଳତା ଆଣି ଦେଇଛି । ରଞ୍ଜନଙ୍କ ଏଭଳି ନିଆରା ପ୍ରୟାସ ପାଇଁ ସେ ଆଜି ଅନ୍ଯ ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଯଦି ଉଦ୍ଯାନ କୃଷି ବିଭାଗ ପକ୍ଷରୁ ରଞ୍ଜନ ଙ୍କୁ ଫୁଲ ଚାଷ ପାଂଇ ପ୍ରଶିକ୍ଷଣ ଏବଂ ଆର୍ଥିକ ସହାୟତା ମିଳି ପାରନ୍ତା ତାହାଲେ ସେ ଆହୁରି ଅଧିକ ଜମିରେ ଚାଷ କରି ପାରନ୍ତେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29 ° C
    29 °
    29 °
    35 %
    0.8kmh
    84 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ