Monday, March 3, 2025
35.8 C
Odisha

    ବଡ଼ଦାଣ୍ଡରେ ବୁଲୁଛନ୍ତି ସାଧୁ ବେଶଧାରୀ ଲୁଟେରା, ଫଳ ବ୍ୟବସାୟୀଙ୍କୁ କଲେ ଟାର୍ଗେଟ

    ଆଗକୁ ପଢନ୍ତୁ

    ପୁରୀ: ପୁରୀରେ ଘଟିଛି ଅଭାବନୀୟ ଘଟଣା । ବଡ଼ଦାଣ୍ଡରେ ବୁଲୁଛନ୍ତି ସାଧୁ ବେଶଧାରୀ ଲୁଟେରା । ଗେରୁଆ ବସ୍ତ୍ର ପିନ୍ଧି ଫଳ କିଣିବା ପରେ ନିଶା ଦେଇ ଚତୁରତାର ସହ ବ୍ୟବସାୟୀଙ୍କୁ ଉଠାଇ ନେଇ ପଳାଇଛନ୍ତି ଲୁଟେରା । ଲୁଟ୍ ର ଶିକାର ହୋଇଥିବା ଫଳ ବ୍ୟବସାୟୀ ଜଣକ ହେଉଛନ୍ତି କଟକ ଜିଲ୍ଲା ବାଙ୍କି ଥାନା ଅଧୀନ ନରଣପୁରର ରତ୍ନାକର ପ୍ରଧାନ । ଅସୁସ୍ଥ ବ୍ୟବସାୟୀଙ୍କ ସମ୍ପର୍କୀୟ କହିଛନ୍ତି, ରତ୍ନାକରଙ୍କର ବଡ଼ଶଙ୍ଖରେ ଫଳ ଦୋକାନଟିଏ ଅଛି । ଗୁରୁବାର ରାତି ପ୍ରାୟ ୮ଟାରେ ୨ ଜଣ ବ୍ୟକ୍ତି ବାଇକ୍ ଯୋଗେ ଆସି ଦୋକାନ ନିକଟରେ ପହଞ୍ଚିଥିଲେ । ସେମାନେ ରତ୍ନାକରଙ୍କୁ ବଡ଼ଶଙ୍ଖରୁ ଉଠାଇନେଇ ତାଳବଣିଆରେ ଫିଙ୍ଗି ଦେଇଥିଲେ । ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଏଯାଏ ରତ୍ନାକରଙ୍କର ଫେରୁନି ଚେତା । ଚା’ ପିଆଇ ସଂଜ୍ଞାହୀନ କରିବା ପରେ ଟଙ୍କା ଲୁଟି ନେଇଛନ୍ତି ଉକ୍ତ ଲୁଟେରା । ଶେଷରେ ରକ୍ତାକ୍ତ ଅବସ୍ଥାରେ ଫଳ ବ୍ୟବସାୟୀଙ୍କୁ ତାଳବଣିଆ ପଡ଼ିଆରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି।ତାଙ୍କ ପକେଟ୍‌ରେ ଥିବା ୮ ହଜାର ଟଙ୍କା ଲୁଟେରା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଗୁରୁବାର ରାତିରେ ଏଭଳି ଅଘଟଣ ଘଟିଥିବା ବେଳେ ଶୁକ୍ରବାର ରାତି ପର୍ଯ୍ୟନ୍ତ ବ୍ୟବସାୟୀ ଅସୁସ୍ଥ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଛନ୍ତି ।

    ଯାହା ଖବର ମିଳିଛି, ବ୍ୟବସାୟୀ ଜଣକ ପରିବାର ସହ ପୁରୀରେ ରୁହନ୍ତି । ତାଙ୍କ କହିବା କଥା ଦୁଇ ଦୁର୍ବୃତ୍ତଙ୍କ ମଧ୍ୟରେ ଜଣେ ବାବାଜୀ ବେଶରେ ଥିଲେ । ପ୍ରାୟ ୫ ଶହ ଟଙ୍କାର ଫଳ କିଣିବା ପରେ ପାଖରେ ଟଙ୍କା ନଥିବା କହିଥିଲେ । ଆମ ଲୋକ ଗୁଣ୍ଡିଚା ମନ୍ଦିର ପାଖର ଛିଡ଼ା ହୋଇଛନ୍ତି । ସାଙ୍ଗରେ ଆସ ସେଠାରୁ ଟଙ୍କା ନେଇ ଆସିବ ବୋଲି ଉଭୟ କହିଥିଲେ । କିନ୍ତୁ ଦୋକାନ ଛାଡ଼ି ଯାଇପାରିବି ନାହିଁ ବୋଲି କହିଥିଲେ ରତ୍ନାକର । ହେଲେ ଉଭୟ ତାଙ୍କୁ ନେହୁରା ହୋଇ କହିବାପରେ ବିଶ୍ଵାସର ସହ ସେମାନଙ୍କ ସହ ଚାଲି ଯାଇଥିଲେ ରତ୍ନାକର । ଗୁଣ୍ଡିଚା ମନ୍ଦିର ପଛପଟେ କିଛି ସମୟ ଅପେକ୍ଷା କରାଇ ଦୁହେଁ ତାଙ୍କୁ ଚା’ ପିଇବାକୁ ଦେଇଥିଲେ । ଚା’ ପିଇବା ପରେ ଆଉ କିଛି ଜାଣିପାରିନଥିବା ସେ କହିଛନ୍ତି ବୋଲି ତାଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି । ଅଚେତ ଅବସ୍ଥାରେ ଦୁହେଁ ତାଙ୍କୁ ସେଠାରୁ ନେଇ ତାଳବଣିଆ ପଡ଼ିଆରେ ଫିଙ୍ଗି ଦେଇଥିଲେ । ରତ୍ନାକରଙ୍କ ମୁହଁରେ ଆଘାତ ଲାଗି ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଥିଲା । ସେପଟେ ଦୋକାନରୁ ଯିବା ବେଳେ ସେଠାରେ ଜଣେ ପରିଚିତ ବ୍ୟକ୍ତିଙ୍କୁ ଛିଡ଼ା କରାଇଥିଲେ ରତ୍ନାକର । ଫେରିବାରେ ବିଳମ୍ବ ହେବାରୁ ପରିଚିତ ବ୍ୟକ୍ତି ଜଣକ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଓ ସମ୍ପର୍କୀୟମାନେ ଖୋଜାଖୋଜି କରିଥିଲେ । ରାତି ପ୍ରାୟ ୧୧ଟାରେ ତାଳବଣିଆ ପଡ଼ିଆରେ ରକ୍ତାକ୍ତ ଅବସ୍ଥାରେ ନିସ୍ତେଜ ହୋଇପଡ଼ିଥିବାବେଳେ ସେଠାରୁ ରତ୍ନାକରଙ୍କୁ ଉଦ୍ଧାର କରାଯାଇଥିଲା । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ ।

    ଦିନକରେ ବ୍ୟବସାୟ କରିଥିବା ପ୍ରାୟ ୮ ହଜାର ଟଙ୍କା ତାଙ୍କ ପକେଟ୍‌ରେ ଥିବାବେଳେ ଲୁଟେରା ଏହାକୁ ନେଇ ତାଳବଣିଆ ପଡ଼ିଆରେ ଖାଲି ପର୍ସଟିକୁ ଫିଙ୍ଗି ଲିଯାଇଛନ୍ତି । ପର୍ସଟିକୁ ଜବତ କରାଯାଇଥିବାବେଳେ ସେଥିରେ ମାତ୍ର ୨୦ ଟଙ୍କା ଥିଲା ବୋଲି ପରିବାର ଲୋକେ କହିଛନ୍ତି । ସକାଳେ କିଛି ସମୟ ପାଇଁ ଚେତା ଫେରିଥିଲା ରତ୍ନାକରଙ୍କର । ଏହି ସମୟରେ ରାତିର ଘଟଣା ସମ୍ପର୍କରେ କହିଥିଲେ ରତ୍ନାକର । ଏହାପରେ ପୁଣି ସଂଜ୍ଞାହୀନ ହୋଇପଡ଼ିଥିଲେ । ଚେତା ଫେରୁଛି, ପୁଣି ଯାଉଛି । ତେଣୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ବୟାନ ରେକର୍ଡ କରାଯାଇ ତଦନ୍ତ କରା‌ଯିବ ବୋଲି ପୋଲିସ୍ କହିଥିବା ରତ୍ନାକରଙ୍କ ସ୍ତ୍ରୀ ଓ ପୁଅ କହିଛନ୍ତି । ଘଟଣାକୁ ୨୪ଘଣ୍ଟା ରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପୋଲିସ୍ ହାତ ବର୍ତ୍ତମାନ ସୁଦ୍ଧା ଖାଲି । ଏଭଳି ଘଟଣା ପୁରୀ ସହରରେ ଆଲୋଚନାର ବିଷୟ ପାଲଟିଥିବା ସହତ ପୁରୀ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    35.8 ° C
    35.8 °
    35.8 °
    18 %
    4kmh
    13 %
    Mon
    36 °
    Tue
    36 °
    Wed
    37 °
    Thu
    35 °
    Fri
    37 °

    ସମ୍ବନ୍ଧିତ