କେନ୍ଦୁଝର: ବିବାହ ପରେ ହସ ଖୁସିରେ ବସ୍ ରେ ଫେରୁଥିଲେ ବରଯାତ୍ରୀ । ହେଲେ ଫେରିବା ସମୟରେ ଘଟିଲା ବଡ଼ ଦୁର୍ଘଟଣା । ଟ୍ରକକୁ ପଛରୁ ପିଟିଲା ବରଯାତ୍ରୀ ବସ୍ । ଆଉ ଦେଖୁ ଦେଖୁ ଆଖି ସାମ୍ନାରେ ଖେଳିଗଲା ଅନ୍ଧକାର ।
ବରଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ , ଜଣେ ମୃତ । ଦୁର୍ଘଟଣାରେ ୧୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ୫୨୦ ନମ୍ବର ଜାତୀୟ ରାଜପଥ କରଣ ସାହି ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଟ୍ରକ୍ ପଛକୁ ପିଟିଛି ଯାତ୍ରୀବାହୀ ବସ୍ ।
ଖବର ମୁତାବକ, ବାଂଶପାଳ ବ୍ଲକ୍ ଜାଗର ଗାଁରୁ ବଳିତା ଗାଁକୁ ବରଯାତ୍ରୀଙ୍କୁ ନେଇ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି । ମୃତକ ଜଣକ ହେଲେ ବସର ହେଲପର୍ । ତେବେ ସମସ୍ତ ଆହତଙ୍କୁ ନିକଟସ୍ଥ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।
ବରଯାତ୍ରୀଙ୍କ ଭିତରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।