Wednesday, September 30, 2026
30.2 C
Odisha

    ବହୁ ଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, ସୁପ୍ରିମକୋର୍ଟରୁ ବିଦ୍ୟାଭାରତୀଙ୍କୁ ମିଳିଲାନି ଆଶ୍ୱସ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବହୁ ଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ ବଡ଼ ଅପଡେଟ୍ । ସୁପ୍ରିମକୋର୍ଟରୁ ବିଦ୍ୟାଭାରତୀଙ୍କୁ ମିଳିଲାନି ଆଶ୍ୱସ୍ତି । ବିଦ୍ୟାଭାରତୀଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ । ଓଡ଼ିଶା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ବିଦ୍ୟାଭାରତୀ ଦାଖଲ କରିଥିବା ଦୁଇଟି ସ୍ପେଶାଲ ଲିଭ୍ ପିଟିସନ୍ ବା SLPକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ତେବେ ଆଗୁଆ ଜାମିନ ପାଇଁ ସେ ସକ୍ଷମ ଅଦାଲତରେ ଆବେଦନ କରିପାରିବେ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି ।

    କାଲି ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଏବଂ ଜଷ୍ଟିସ ଚନ୍ଦ୍ରଶେଖରଙ୍କ ଖଣ୍ଡପୀଠ ଶୁଣାଣି କରିଥିଲେ। ଆବେଦନଗୁଡ଼ିକରେ ହସ୍ତକ୍ଷେପ କରିବାକୁ ଖଣ୍ଡପୀଠ ଅନିଚ୍ଛା ପ୍ରକାଶ କରି ସେଗୁଡ଼ିକୁ ଖାରଜ କରିଥିଲେ । ବିଦ୍ୟାଭାରତୀ ଓଡ଼ିଶା ହାଇକୋର୍ଟଙ୍କ ସେପ୍ଟେମ୍ବର ୩ର ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏବେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିବା ପରେ ହାଇକୋର୍ଟଙ୍କ ଆଦେଶ ବଳବତ୍ତର ରହିଛି ।

    ୨୦୨୧ ଜୁଲାଇ ୧୧ ରାତିରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ କ୍ୱାର୍ଟରରେ ACF ସୌମ୍ୟରଞ୍ଜନ ମହାପାତ୍ର ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ଜୁଲାଇ ୧୩ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ଏହାକୁ ହତ୍ୟା ବୋଲି ଅଭିଯୋଗ କରି ବିଦ୍ୟାଭାରତୀ ପଣ୍ଡା, ରୋଷେୟା ମନ୍ମଥ କୁମ୍ଭ ଓ ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରାଙ୍କ ନାଁରେ ଅଭିଯୋଗ କରିଥିଲେ ।

    ପୋଲିସ ଏବଂ ପରେ କ୍ରାଇମବ୍ରାଞ୍ଚ ତଦନ୍ତରେ ଘଟଣାକୁ ଦୁର୍ଘଟଣାଜନିତ ବୋଲି ଦର୍ଶାଯାଇଥିଲା ଏବଂ ବିଦ୍ୟାଭାରତୀଙ୍କ ବିରୋଧରେ IPCର ଧାରା ୨୮୫ ଓ ୩୦୪-A ସମେତ ଅନ୍ୟ ବ୍ୟବସ୍ଥାରେ ଚାର୍ଜସିଟ୍ ଦାଖଲ ହୋଇଥିଲା । ଏହାପରେ ସୌମ୍ୟରଞ୍ଜନଙ୍କ ବାପା ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରିଥିଲେ । ୨୦୨୩ ଏପ୍ରିଲରେ ପାରଳାଖେମୁଣ୍ଡି SDJM କୋର୍ଟ IPC ଧାରା ୩୦୨ ଓ ୧୨୦-B ଅନୁଯାୟୀ ଅପରାଧର ସଂଜ୍ଞାନ ନେଇ ଅଭିଯୁକ୍ତମାନଙ୍କୁ ସମନ କରିଥିଲେ ।

    ଏହି ପ୍ରକ୍ରିୟାକୁ ରଦ୍ଦ କରିବା ପାଇଁ ବିଦ୍ୟାଭାରତୀ ହାଇକୋର୍ଟ ଯାଇଥିଲେ। ତେବେ ହାଇକୋର୍ଟ ମାମଲାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ରଦ୍ଦ କରିବାକୁ ମନା କରିଥିଲେ । ଦୁର୍ଘଟଣାଜନିତ ମୃତ୍ୟୁ ଓ ଷଡ଼ଯନ୍ତ୍ର ଅଭିଯୋଗ-ଏହି ଦୁଇଟି ପରସ୍ପର ବିରୋଧୀ ଦାବି ଥିବାରୁ ତଥ୍ୟ ଓ ପ୍ରମାଣର ପରୀକ୍ଷା ବିଚାର ପ୍ରକ୍ରିୟାରେ ହେବା ଉଚିତ ବୋଲି ହାଇକୋର୍ଟ କହିଥିଲେ ।

    ପରବର୍ତ୍ତୀ ସମୟରେ ଟ୍ରାଏଲ କୋର୍ଟରେ ବ୍ୟକ୍ତିଗତ ହାଜିରା ସଂପର୍କିତ ରିଲିଫ୍ ପାଇଁ ମଧ୍ୟ ବିଦ୍ୟାଭାରତୀ ହାଇକୋର୍ଟ ଯାଇଥିଲେ। ସେପ୍ଟେମ୍ବର ୩ରେ ହାଇକୋର୍ଟ ହସ୍ତକ୍ଷେପ କରିନଥିବାବେଳେ ସେପ୍ଟେମ୍ବର ୯ରେ ଅକ୍ଟୋବର ୧ ସୁଦ୍ଧା ଟ୍ରାଏଲ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।ଏବେ ସୁପ୍ରିମକୋର୍ଟ SLP ଖାରଜ କରିବା ସହ ବିଦ୍ୟାଭାରତୀଙ୍କ ପାଇଁ ଆଗୁଆ ଜାମିନ ଆବେଦନର ବାଟ ଖୋଲା ରଖିଛ ନ୍ତି। ଫଳରେ ୨୦୨୩ରେ ଟ୍ରାଏଲ କୋର୍ଟ ନେଇଥିବା ସଂଜ୍ଞାନ ଆଧାରରେ ଚାଲିଥିବା ମାମଲା ଜାରି ରହିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30.2 ° C
    30.2 °
    30.2 °
    61 %
    3kmh
    54 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ