Tuesday, September 8, 2026
31.1 C
Odisha

    ବାତ୍ୟା ମୋନ୍ଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

    ଆଗକୁ ପଢନ୍ତୁ

    ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ବାତ୍ୟା ମନ୍ଥାର ମୁକାବିଲା ସମ୍ପର୍କରେ ସମୀକ୍ଷା କରି ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ପ୍ରତ୍ୟେକ ବିପର୍ଯ୍ୟୟରେ ଆମର ଏକମାତ୍ର ଲକ୍ଷ୍ୟ ହେଉଛି ଜିରୋ କାଜୁଆଲ୍‌ଟି । ବାତ୍ୟା ଆନ୍ଧ୍ରପ୍ରଦେଶରେ ଅତିକ୍ରମ କରୁଥିଲେ ମଧ୍ୟ ବିଶେଷ କରି ଦକ୍ଷିଣ ଓଡିଶାରେ ବ୍ୟାପକ ବର୍ଷା ସହିତ ପବନ ହେବାର ମଧ୍ୟ ସମ୍ଭାବନା ରହିଛି। ତେଣୁ, କୌଣସି ବିପଦ ସଂକୁଳ ଅଞ୍ଚଳରେ ଯେପରି ଜଣେ ବି ଲୋକ ରହିଯିବ ନାହିଁ, ସମସ୍ତେ ବାତ୍ୟା-ବନ୍ୟା ଆଶ୍ରୟ ସ୍ଥଳ କିମ୍ବା ଅନ୍ୟ ସୁରକ୍ଷିତ ସ୍ଥାନାନ୍ତରିତ ହେବେ, ତାକୁ ଅଧିକାରୀମାନେ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଗତବର୍ଷ ମଧ୍ୟ ବାତ୍ୟା ଦାନା ସମୟରେ ଆମେ ସଫଳ ଭାବରେ ଲୋକଙ୍କୁ ସ୍ଥାନାନ୍ତରିତ କରି ଜିରୋ କାଜୁଆଲ୍‌ଟି ହାସଲ କରିଥିଲୁ । ବାତ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କ ସ୍ଥାନାନ୍ତରଣ ହେଉଛି ଆମର ଏକ ପ୍ରମୁଖ ଷ୍ଟ୍ରାଟେଜି । ତେଣୁ, ଏହି ଦିଗ ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରିବାକୁ ସେ ପରାମର୍ଶ ଦେଇଥିଲେ।

    ବାତ୍ୟାପରେ ଯେପରି ବିଭିନ୍ନ ଜରୁରୀ ବ୍ୟବସ୍ଥା ତୁରନ୍ତ ପୁନଃକ୍ଷମ କରାଯାଇପାରିବ ସେଥିପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ଇଞ୍ଜିନିୟରିଂ ବିଭାଗ ଗୁଡିକକୁ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟା ପରେ ପରେ ଯେପରି ଭାଙ୍ଗିଯାଇଥିବା ଗଛ ଗୁଡିକ ଯୋଗୁ ରାସ୍ତା ଅବରୋଧ ନହୁଏ, ସେଥିପ୍ରତି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ସମୟ ହେଉଛି ଫସଲ ଅମଳର ସମୟ । ତେଣୁ, ବାତ୍ୟା ପରେ ପରେ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ଚାଷୀ ଭାଇମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

    ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତ ତିନି ଦିନ ଧରି ବାତ୍ୟା ମୁକାବିଲା ସମ୍ପର୍କରେ ନିୟମିତ ସମୀକ୍ଷା କରାଯାଉଛି ଓ ପ୍ରସ୍ତୁତିକୁ ସୁଦୃଢ କରାଯାଉଛି। ପ୍ରାୟ ସମସ୍ତ ବିଭାଗ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ତେବେ, ବିଭାଗୀୟ ସଚିବ ତଥା ଜିଲ୍ଲାପାଳ ମାନେ ସମସ୍ତ ପ୍ରସ୍ତୁତିକୁ ଠିକ୍ ଭାବେ ମନିଟରିଂ କରି ସମସ୍ତ ପଦକ୍ଷେପକୁ ସୁନିଶ୍ଚିତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।

    ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର, ପୋଲିସ ମହାନିର୍ଦ୍ଦେଶକ ଓ ବିଭିନ୍ନ ବିଭାଗର ସଚିବ ମାନେ ବିଭାଗୀୟ ପ୍ରସ୍ତୁତି ଉପରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ତଥ୍ୟ ଉପସ୍ଥାପନା କରିଥିଲେ। ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଆଦି ୮ଟି ଜିଲ୍ଲାରେ ବାତ୍ୟାର ସର୍ବାଧିକ ପ୍ରଭାବ ରହିବ । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ୨୦୪୮ଟି ବାତ୍ୟା-ବନ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ କରି ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୮ଟି ଜିଲ୍ଲାରେ ୧୧,୩୯୬ ଜଣ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଆବଶ୍ୟକହେଲେ ଆହୁରି ୩୦,୫୫୪ ଜଣଙ୍କୁ ସ୍ଥାନାନ୍ତରିତ କରାଯିବ । ୧୮୭୧ ଜଣ ଗର୍ଭବତୀ ମହିଳାଙ୍କୁ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି ଏବଂ ଆହୁରି ୮୨୨ ଜଣଙ୍କୁ ସ୍ଥାନାନ୍ତରିତ କରାଯିବ । ସମୁଦାୟ ୨୬୯୩ ଜଣ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯିବ ।

    ବାତ୍ୟାର ମୁକାବିଲା ପାଇଁ ୩୦ ଟି ଓଡ୍ରାଫ, ୫ଟି ଏନ୍‌.ଡି.ଆର୍‌.ଏଫ ଏବଂ ୧୨୩ଟି ଅଗ୍ନିଶମ ଦଳକୁ ମୁତୟନ କରାଯାଇଛି। ଆହୁରି ଅଧିକ ଟିମ୍ ଆଲର୍ଟରେ ଅଛନ୍ତି । ଆବଶ୍ୟକ ପଡିଲେ ନିୟୋଜିତ କରାଯିବ । ପ୍ରଭାବିତ ହେବାକୁ ଥିବା ୮ଟି ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଆବଶ୍ୟକହେଲେ ଛୁଟିର ସମୟସୀମା ବଢାଯିବ। ନିରବଛିନ୍ନ ବିଦ୍ୟୁତ ସରବରାହ ଓ ପାନୀୟ ଜଳ ଯୋଗାଣ ପାଇଁ ଇଞ୍ଜିନିୟରିଂ ବିଭାଗ ଗୁଡିକ ପ୍ରସ୍ତୁତ ହୋଇ ଅଛନ୍ତି । ବିକଳ୍ପ ଭାବେ ସମସ୍ତ ଜରୁରୀ ସେବା ସଂସ୍ଥା ଗୁଡିକରେ ଡିଜି ସେଟ୍ ମହଜୁଦ ରଖାଯାଇଛି। ସମସ୍ତ ପ୍ରଭାବିତ ଅଞ୍ଚଳର ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ପର୍ଯ୍ୟାପ୍ତ ପରିମାଣର ସାପକାମୁଡା ଇଞ୍ଜେକ୍‌ସନ୍‌, ଔଷଧ ଓ ଚିକିତ୍ସା କିଟ୍ ମହଜୁଦ୍ ରଖାଯାଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଓ ପାହାଡିଆ ଅଞ୍ଚଳରେ ଭ୍ରମଣ ପାଇଁ ପର୍ଯ୍ୟଟକ ମାନଙ୍କୁ ନିଷେଧ କରାଯାଇଛି। ମତ୍ସ୍ୟଜୀବୀ ମାନଙ୍କୁ ମଧ୍ୟ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.1 ° C
    31.1 °
    31.1 °
    64 %
    3.7kmh
    95 %
    Tue
    31 °
    Wed
    31 °
    Thu
    30 °
    Fri
    29 °
    Sat
    30 °

    ସମ୍ବନ୍ଧିତ