Monday, September 14, 2026
25.9 C
Odisha

    ବାଲି ଚୋରାଚାଲାଣ ଘଟଣା: ସବୁ ଖେଳ ଟିପିରେ, ସରକାରୀ ବିଲ୍‌ ପାଇଁ ମଗାଯାଉନି ଟ୍ରାନ୍‌ଜିଟ୍‌ ପାସ୍‌

    ଆଗକୁ ପଢନ୍ତୁ

    ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ବାଲି ଚୋରାଚାଲାଣ ‌ରୋକିବା ପାଇଁ ପୁଲିସ ଗତ ୫ ଦିନ ହେଲା ଲଗାତାର ଚଢ଼ଉ କରୁଥିବା ବେଳେ ପ୍ରାୟ ୪୦ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିସାରିଲାଣି। କିନ୍ତୁ ଏହା ଭିତରେ ବି ପୁଲିସ ଆଖିରେ ଧୂଳି ଦେଇ ମାଫିଆମାନେ ବାଲି ଚାଲାଣ କରୁଥିବା ଦେଖିବାକୁ ମିଳୁଛି। ପୁଲିସ ଚଢ଼ଉ ପରଠାରୁ ପ୍ରାୟ ବାଲି ପରିବହନ କରୁଥିବା ଗାଡ଼ିର ଚାଳକ ଟ୍ରାନ୍‌ଜିଟ୍‌ ପାସ୍‌ ନେଇ ଯାଉଛନ୍ତି। ମାତ୍ର ସେ ଟ୍ରାନ୍‌ଜିଟ୍‌ ପାସ୍‌ କେତେ ଠିକ୍‌, କେତେ ଭୁଲ ତା’ର ଆକଳନ କରାଯାଉନି। ଫଳସ୍ବରୂପ ଗୋଟିଏ ଗୋଟିଏ ଟ୍ରାନ୍‌ଜିଟ୍‌ ପାସ୍‌ରେ ଏକାବେଳକେ ୧୦ଟି ହାଇୱାରେ ବାଲି ଚାଲାଣ ହେଉଥିବା ଘଟଣା ସାମନାକୁ ଆସୁଛି।

    ସାଧାରଣତଃ ବାଲି ଚୋରାଚାଲାଣ ୩ଟି ଉପାୟରେ ହୋଇଥାଏ। ପ୍ରଥମଟି ବିନା ଟ୍ରାନ୍‌ଜିଟ୍‌ ପାସ୍‌ (ଟିପି)ରେ, ଦ୍ବିତୀୟଟି ନକଲି ଟିପିରେ ଓ ତୃତୀୟଟି ଓଭରଲୋଡିଂରେ। ବିନା ଟ୍ରାନ୍‌ଜିଟ୍‌ ପାସ୍‌ରେ ପରିବହନ ହେଉଥିବା ବାଲିକୁ ସିଧାସଳଖ ଚୋରି ବାଲି ବୋଲି ଧରି ନିଆଯାଏ। କିନ୍ତୁ ନକଲି ଟ୍ରାନ୍‌ଜିଟ୍‌ ପାସ୍‌ର ଯାଞ୍ଚ କରିବା ପୁଲିସ୍‌ ପାଇଁ ବି କଷ୍ଟକର। ଉଦାହରଣ ସ୍ବରୂପ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତାକଡ଼ରେ ଏବେ ପେଭର୍‌ ବିଛା କାର୍ଯ୍ୟ ଚାଲିଛି। ଏହି କାମ ପାଇଁ ହାଇୱାରେ ବାଲି ଆସି ବ୍ୟବହାର ହେଉଛି। ରବିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଚେରିକୁ ଲାଗି ହାଇୱାରେ ବାଲି ପଡ଼ିଥିଲେ ହେଁ ଏହି ଗନ୍ତବ୍ୟ ସ୍ଥଳ ପାଇଁ ୨ ଦିନ ଭିତରେ ଜିଲ୍ଲାର କୌଣସି ବାଲି ସୈରାତରୁ ଟ୍ରାନ୍‌ଜିଟ୍‌ ପାସ୍‌ ଜାରି ହୋଇନଥିବା ଖଣି ବିଭାଗରୁ ଜଣାପଡ଼ିଛି। ତେବେ ବାଲି ମାଫିଆମାନେ ବାଲି ଚୋରି ପାଇଁ ନିର୍ଦ୍ଧାରିତ ଗନ୍ତବ୍ୟ ସ୍ଥଳକୁ ଟ୍ରାନ୍‌ଜିଟ୍‌ ପାସ୍‌ରେ ଉଲ୍ଲେଖ ନ କରି ଉକ୍ତ ସହର ବା ଅଞ୍ଚଳର ନାମ ଉଲ୍ଲେଖ କରୁଛନ୍ତି। ଅର୍ଥାତ୍‌ ଝାରସୁଗୁଡ଼ା ନାମରେ ଜାରି ହୋଇଥିବା ଟ୍ରାନ୍‌ଜିଟ୍‌ ପାସ୍‌ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାଲି ପଡୁଥିବା ବେଳେ ଏଠାରୁ ୧୫ କିମି ଦୂର ସରବାହାଲରେ ବି ପଡୁଛି।

     

    ଅଳ୍ପ ଦୂରତା ହୋଇଥିବାରୁ ଗୋଟିଏ ଟ୍ରାନ୍‌ଜିଟ୍‌ ପାସ୍‌ରେ ୬ ଘଣ୍ଟା ଭିତରେ ୬ ଟ୍ରିପ୍‌ ବାଲି ପକାଇ ମାଫିଆ ମାଲେମାଲ୍‌ ହେଉଥିବା ବେଳେ ସରକାରଙ୍କୁ ରାଜସ୍ବ କ୍ଷତି ସହିବାକୁ ପଡୁଛି। ସେପଟେ, ପ୍ରତି ଟ୍ରିପ୍‌ ହାଇୱାରେ ସର୍ବାଧିକ ୧୪ରୁ ୧୫ ସିୟୁଏମ୍‌ ବାଲି ପରିବହନକୁ ଅନୁମତି ଥିବା ବେଳେ ଏଥିରେ ଅତିରିକ୍ତ ୩ରୁ ୪ ସିୟୁଏମ୍‌ ବାଲି ପରିବହନ କରାଯାଉଥିବା ଜଣାପଡ଼ିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ବାଲି ମାଫିଆମାନେ ସରକାରୀ କାମର ଆଳ ଦେଖାଇ ବେଧଡ଼କ ବାଲି ପରିବହନ ତଥା ଚୋରାଚାଲାଣ କରୁଥିବା ବେଳେ ସେ ବାବଦ ପ୍ରାପ୍ୟ ସମ୍ପୂର୍ଣ୍ଣ ଧଳା ଟଙ୍କା ଭାବେ ସେମାନଙ୍କ ଆକାଉଣ୍ଟକୁ ଆସୁଛି। ନିୟମାନୁସାରେ, ପ୍ରତିଟି ସରକାରୀ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ବାଲି, ଗୋଡ଼ି ଭଳି ଲଘୁ ଖଣିଜ ପଦାର୍ଥର ବିଲ୍‌ ସମୟରେ ଟ୍ରାନ୍‌ଜିଟ୍‌ ପାସ୍‌ ଜମା କରାଯିବା କଥା। କିନ୍ତୁ ସରକାରୀ କାର୍ଯ୍ୟରେ ଏହି ଟ୍ରାନ୍‌ଜିଟ୍‌ ପାସ୍‌ ଜମା ନ କରି ମଧ୍ୟ ବିଲ୍‌ ପାସ୍‌ କରାଯାଉଥିବା ବେଳେ ଠିକାଦାରଙ୍କୁ କେବଳ ରୟାଲ୍‌ଟି ବାବଦ ଅର୍ଥ ପ୍ରଦାନ କରାଯାଉଛି। ଅର୍ଥାତ୍‌ ପ୍ରଶାସନିକ ଅଧିକାରୀମାନେ ବିଲ୍‌ ପାସ୍‌ କରିବା ବେଳକୁ ଏହା ଚୋରା ବାଲି ବୋଲି ଜାଣି ମଧ୍ୟ ବିଲ୍‌ ପାସ୍‌ କରୁଥିବାର ନଜିର ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.9 ° C
    25.9 °
    25.9 °
    82 %
    0.9kmh
    11 %
    Mon
    26 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ