ପିପିଲି : ଗତ ୧୨ ତାରିଖରେ ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ନିଜ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା କରିବା ପରେ, ୧୭ ତାରିଖରେ ବଡମ୍ବାର ମନୀଷା କିରୋସିନ ଢାଳି ଆତ୍ମହତ୍ୟା କଲେ । ଆଜି ବଳଙ୍ଗାରେ ନାବାଳିକାଙ୍କ ଦେହରେ ଜବରଦସ୍ତ ପେଟ୍ରୋଲ ଢାଳି ଜାଳିଦେଲେ ଦୁର୍ବୃତ୍ତ । ବଳଙ୍ଗା ନାବାଳିକାଙ୍କୁ ଜାଳିବା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଆଜି ସକାଳବେଳା ନାବାଳିକା ଜଣକ ତାଙ୍କ ସାଙ୍ଗଘରକୁ ଯାଉଥିଲେ । ଠିକ ଏତିକିବେଳେ ଏକ ବାଇକରେ ୩ ଜଣ ଦୁର୍ବୃତ୍ତ ତାଙ୍କ ସାମ୍ନାରେ ଗାଡ଼ି ଅଟକାଇ ଦେଇଥିଲେ । ଏହାପରେ ପୀଡ଼ିତାଙ୍କୁ ସେମାନେ ଡରାଧମକା କରିଥିଲେ । ଦୁର୍ବୃତ୍ତଙ୍କ କଥାରେ ରାଜି ନ ହେବାରୁ ୨ ଜଣ ଯୁବକ ପୀଡ଼ିତାଙ୍କୁ ଟେକିନେବା ସହ ତୃତୀୟ ଜଣକ ଯୁବତୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ନାବାଳିକାଙ୍କ ଚିକ୍ରାର ଶୁଣି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିବାବେଳେ ଦୁର୍ବୃତ୍ତ ଫେରାର୍ ହୋଇଯାଇଥିଲେ । ନିମାପଡ଼ା ବଳଙ୍ଗା ବାଇଆବରରେ ନାବାଳିକାଙ୍କୁ ଦୁର୍ବୃତ୍ତମାନେ ଜାଳିଦେବା ପରେ ପୀଡ଼ିତା ନାବାଳିକାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।
ପ୍ରସାରିତ ଖବର ମୁତାବକ ନାବାଳିକା ଶରୀରର ୬୦% ପୋଡ଼ି ଯାଇଥିବା ସୂଚନା । ୧୦ମ ପରେ ୨ ବର୍ଷ ହେବ ନାବାଳିକା ପାଠ ପଢ଼ା ଛାଡ଼ିଦେଇଥିବା କହିଛନ୍ତି ନିମାପଡ଼ା ପୂର୍ବତନ ବିଧାୟକ ସମୀର ଦାଶ ।
କିଏ, କେମିତି, କ’ଣ ପାଇଁ ନାବାଳିକା ଦେହରେ ନିଆଁ ଲଗାଇଛନ୍ତି ତାହା ଜଣାପଡ଼ି ନ ଥିବାବେଳେ ଏହାର ତଦନ୍ତ କରାଯିବା ଜରୁରୀ ବୋଲି ସେ ଦାବି କରିଛନ୍ତି ।
ଏମ୍ସରେ ଜରୁରୀକାଳିନ ସ୍ଥିତିରେ ନାବାଳିକାଙ୍କ ଚିକିତ୍ସା ଚାଲିଛି । ଘଟଣାକୁ ନେଇ ପୋଲିସର ତଦନ୍ତ ଚାଲିଛି । ଯାଞ୍ଚ ପରେ ସତ ପଦାବୁ ଆସିବ ।