Saturday, October 10, 2026
27.9 C
Odisha

    ବିଦ୍ୟାଳୟ ସହ ଯୋଡ଼ି ହେବ ଅଙ୍ଗନବାଡ଼ି: ବଦଳିବ ଅଙ୍ଗନବାଡ଼ି କର୍ମୀଙ୍କ ଯୋଗ୍ୟତା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବଦଳିବ ଅଙ୍ଗନବାଡ଼ି କର୍ମୀ/ଶିକ୍ଷକଙ୍କ ଯୋଗ୍ୟତା। ଦ୍ବାଦଶ କିମ୍ବା ତଦୁର୍ଦ୍ଧ ଯୋଗ୍ୟତାଧାରୀ ଅଙ୍ଗନବାଡ଼ି ଶିକ୍ଷକଙ୍କୁ ଶୈଶବ ଯତ୍ନ ଓ ଶିକ୍ଷା(ଇସିସିଇ)ରେ ୬ ମାସିଆ ପ୍ରମାଣପତ୍ର ହାସଲ କରିବାକୁ ପଡ଼ିବ। ନିମ୍ନ ଶିକ୍ଷାଗତ ଯୋଗ୍ୟତା ଥିବା ବ୍ୟକ୍ତିଙ୍କ ପାଇଁ ଏକବର୍ଷିଆ ଡିପ୍ଲୋମା କାର୍ଯ୍ୟକ୍ରମ ଦିଆଯିବ। ପ୍ରାଥମିକ ସାକ୍ଷରତା, ସଂଖ୍ୟା ଜ୍ଞାନ ଓ ଇସିସିଇର ଅନ୍ୟାନ୍ୟ ପ୍ରାସଙ୍ଗିକ ଦିଗକୁ ଅନ୍ତର୍ଭୁକ୍ତ କରାଯିବ। ଏହି କାର୍ଯ୍ୟକ୍ରମଗୁଡ଼ିକ ଡିଜିଟାଲ/ଦୂରଶିକ୍ଷା ମାଧ୍ୟମରେ ଡିଟିଏଚ୍‌ ଚ୍ୟାନେଲ ଓ ସ୍ମାର୍ଟଫୋନ ବ୍ୟବହାର କରି ଚଲାଯାଇପାରେ, ଯାହାକି ଶିକ୍ଷକଙ୍କୁ ବର୍ତ୍ତମାନର କାର୍ଯ୍ୟରେ ସର୍ବନିମ୍ନ ବାଧା ସହ ଇସିସିଇ ଯୋଗ୍ୟତା ହାସଲ କରିବାରେ ସାହାଯ୍ୟ କରିବ

    ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ଓଡ଼ିଶାର ଅଙ୍ଗନବାଡ଼ି ଓ ବିଦ୍ୟାଳୟ ଶିକ୍ଷାରେ ଏଭଳି ପରିବର୍ତ୍ତନ ଆସିବାକୁ ଯାଉଛି। ଇସିସିଇ କାର୍ଯ୍ୟକ୍ରମ ନମନୀୟ, ବହୁମୁଖୀ, ବହୁସ୍ତରୀୟ, କ୍ରୀଡ଼ାଭିତ୍ତିକ, ଶିକ୍ଷଣକାର୍ଯ୍ୟ ଆଧାରିତ, ଅନୁସନ୍ଧାନ ଭିତ୍ତିକ ଶିକ୍ଷଣ, ବର୍ଣ୍ଣମାଳା, ଭାଷା, ସଂଖ୍ୟା, ଗଣନା, ରଙ୍ଗ, ଆକୃତି, ଘର ଭିତରେ ଓ ବାହାରେ ହେଉଥିବା ଖେଳ, ଯୁକ୍ତିଯୁକ୍ତ ଚିନ୍ତନ, ଚିତ୍ରାଙ୍କନ, ଦୃଶ୍ୟ କଳା, ଶିଳ୍ପ, ଅଭିନୟ, କଣ୍ଢେଇ ନାଚ, ସଙ୍ଗୀତ ଓ ଚଳପ୍ରଚଳକୁ ନେଇ ଗଠିତ ହେବ। ଏଥିରେ ସାମାଜିକ ଦକ୍ଷତା, ସମ୍ବେଦନଶୀଳତା, ଉତ୍ତମ ଆଚରଣ, ସୌଜନ୍ୟତା, ନୈତିକତା, ବ୍ୟକ୍ତିଗତ ଓ ସାର୍ବଜନୀକ ପରିଷ୍କାର ପରିଚ୍ଛନ୍ନତା, ଦଳଗତ କାର୍ଯ୍ୟ ମଧ୍ୟ ଅନ୍ତର୍ଭୁକ୍ତ ରହିବ। ଇସିସିଇର ସାମଗ୍ରିକ ଲକ୍ଷ୍ୟ ହେଉଛି, ବିଭିନ୍ନ କ୍ଷେତ୍ରରେ ଯଥା-ଶାରୀରିକ ଓ ମାଂସପେଶୀୟ ବିକାଶ, ସାଂସ୍କୃତିକ/କଳାତ୍ମକ ବିକାଶ, ଭାବ ବିନିମୟ ଓ ପ୍ରାରମ୍ଭିକ ଭାଷା, ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନର ବିକାଶରେ ସର୍ବୋତ୍କୃଷ୍ଟ ଫଳାଫଳ ହାସଲ କରିବା।

    ଅଙ୍ଗନବାଡ଼ି କର୍ମୀ/ଶିକ୍ଷକଙ୍କୁ ଇସିସିଇ ପ୍ରଶିକ୍ଷଣ ବିଦ୍ୟାଳୟ ଶିକ୍ଷା ବିଭାଗର ଆଞ୍ଚଳିକ ସାଧନ କେନ୍ଦ୍ର(ସିଆରସି) ଦ୍ୱାରା ପରାମର୍ଶ ଦିଆଯିବ। ଅତିକମ୍‌ରେ ଥରେ ମାସିକ ସମ୍ପର୍କ ଶ୍ରେଣୀ ଆୟୋଜନ କରିବେ। ଦୀର୍ଘ ମିଆଦିରେ ରାଜ୍ୟ ସରକାର ପର୍ଯ୍ୟାୟ ଭିତ୍ତିକ, ବୃତ୍ତିଗତ ପ୍ରଶିକ୍ଷଣ, ପରାମର୍ଶ କାର୍ଯ୍ୟକ୍ରମ କ୍ୟାରିଅର ମ୍ୟାପିଂ ମାଧ୍ୟମରେ ଇସିସିଇ ପାଇଁ ବୃତ୍ତିଗତ ଯୋଗ୍ୟ ଶିକ୍ଷକ କ୍ୟାଡର ପ୍ରସ୍ତୁତ କରିବେ। ଏହି ଶିକ୍ଷକମାନଙ୍କ ପ୍ରାରମ୍ଭିକ ବୃତ୍ତିଗତ ପ୍ରସ୍ତୁତି ଓ ସେମାନଙ୍କର ନିରନ୍ତର ବୃତ୍ତିଗତ ବିକାଶ ପାଇଁ ଆବଶ୍ୟକ ସୁଯୋଗ ମଧ୍ୟ ସୃଷ୍ଟି କରାଯିବ। ଅଙ୍ଗନବାଡ଼ି କେନ୍ଦ୍ରର ପିଲାମାନେ କାର୍ଯ୍ୟକଳାପ ପରିପୂର୍ଣ୍ଣ କ୍ଷେତ୍ରଭ୍ରମଣ କରିବେ ଏବଂ ସେମାନଙ୍କର ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷାର୍ଥୀଙ୍କୁ ଭେଟିବେ।

    ଏହାଦ୍ବାରା ଅଙ୍ଗନବାଡ଼ି କେନ୍ଦ୍ରରୁ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର ସହଜ ହେବ। ଅଙ୍ଗନବାଡ଼ିଗୁଡ଼ିକ ବିଦ୍ୟାଳୟ ସଙ୍ଗମ/ଆଞ୍ଚଳିକ କେନ୍ଦ୍ରରେ ସଂପୂର୍ଣ୍ଣ ଭାବରେ ଏକୀକୃତ ହେବ। ଅଙ୍ଗନବାଡ଼ି ପିଲା, ଅଭିଭାବକ ଓ ଶିକ୍ଷକଙ୍କୁ ବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଓ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରାଯିବ। ୫ ବର୍ଷ ବୟସ ପୂର୍ବରୁ ପ୍ରତ୍ୟେକ ପିଲା ‘ପ୍ରସ୍ତୁତ ଶ୍ରେଣୀ’ କିମ୍ବା ‘ବାଳବାଟିକା’ ଯିବେ। ଯେଉଁଠି ଜଣେ ଇସିସିଇ ଯୋଗ୍ୟତାଧାରୀ ଶିକ୍ଷକ ଉପଲବ୍ଧ ଥିବେ। ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ପ୍ରସ୍ତୁତି ଶ୍ରେଣୀକୁ ସମ୍ପ୍ରସାରିତ କରାଯିବ। ଅଙ୍ଗନବାଡ଼ି ବ୍ୟବସ୍ଥାରେ ଥିବା ସ୍ୱାସ୍ଥ୍ୟ ଯାଞ୍ଚ ଓ ଅଭିବୃଦ୍ଧି ତଦାରଖ କାର୍ଯ୍ୟକ୍ରମ ପ୍ରାଥମିକ ବିଦ୍ୟାଳୟର ଶିକ୍ଷାର୍ଥୀ ତଥା ଅଙ୍ଗନବାଡ଼ିର ପ୍ରସ୍ତୁତି ଶ୍ରେଣୀ ଶିକ୍ଷାର୍ଥୀଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ଆଶ୍ରମଗୁଡ଼ିକରେ ଏବଂ ବିକଳ୍ପ ବିଦ୍ୟାଳୟର ସମସ୍ତ ପ୍ରକାରର ପର୍ଯ୍ୟାୟକ୍ରମେ ଇସିସିଇ ପ୍ରବର୍ତ୍ତିତ ହେବ। ପ୍ରାକ୍‌ ବିଦ୍ୟାଳୟରୁ ପ୍ରାଥମିକ ବିଦ୍ୟାଳୟକୁ ଏହାର ନିରନ୍ତରତାକୁ ସୁନିଶ୍ଚିତ କରିବା ଏବଂ ଶିକ୍ଷାର ମୂଳ ଦିଗ ପ୍ରତି ଗୁରୁତ୍ୱ ଦେବାକୁ ଇସିସିଇର ପାଠ୍ୟକ୍ରମ ଓ ଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରାଥମିକତା ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ