Tuesday, July 14, 2026
26.6 C
Odisha

    ବିଧାୟକମାନଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ଆଚରଣ, ଉଚ୍ଚାରଣ‌ରେ ସଂଯମୀ ହୁଅ’

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ‘କାଳେକାଳେ ଶାସନର ଡୋରି ପ୍ରଜା ବା ଜନଗଣଙ୍କ ହାତରେ ଥାଏ। ଆପଣମାନେ ଜନଗଣଙ୍କର ପ୍ରତିନିଧି, ସେମାନଙ୍କର ସେବକ। କେତେ ଆଶା, ଭରସା, ବିଶ୍ବାସ ନେଇ ସେମାନେ ଆପଣଙ୍କ ହାତରେ କ୍ଷମତା ଅର୍ପଣ କରିଛନ୍ତି। ସେମାନଙ୍କ ଆଶାକୁ ପୂରଣ କରିବା, ସେମାନଙ୍କ  ସ୍ବପ୍ନକୁ ସାକାର କରିବା, ସର୍ବୋପରି ସେମାନଙ୍କ ମୁହଁରେ ହସ ଫୁଟାଇବା ଆପଣମାନଙ୍କର, ଆମ ସମସ୍ତଙ୍କର କର୍ତ୍ତବ୍ୟ। ଆପଣମାନେ ଏମିତି କାର୍ଯ୍ୟ କରିବେ ଯାହା ସାଧାରଣ ଲୋକଙ୍କ ହିତ ପାଇଁ ଉଦ୍ଦିଷ୍ଟ ହେବା ଦରକାର।’ ଆଜି ବିଧାନସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍‌ବୋଧନ ଦେବା ବେଳେ ବିଧାୟକମାନଙ୍କୁ ଏହିଭଳି ନୀତି ଓ ନୈତିକତାର ଉପଦେଶ ଦେଇଛନ୍ତି। ରାଷ୍ଟ୍ରପତି କହିଥିଲେ, ଜନପ୍ରତିନିଧି ଭାବେ ଆପଣମାନେ ସାରା ରାଜ୍ୟରେ ଚିହ୍ନା ମୁହଁ। ଆପଣଙ୍କ ପ୍ରଶଂସକ ଓ ଅନୁଗାମୀ ବହୁତ। ଆପଣମାନେ କ’ଣ କହୁଛନ୍ତି, କ’ଣ କରୁଛନ୍ତି ଲୋକଙ୍କ ମଧ୍ୟ‌ରେ ଉତ୍ସୁକତା ଥାଏ। ଆପଣଙ୍କ ଆଚରଣ ଓ ଉଚ୍ଚାରଣ, ଉଭୟ ମୂଲ୍ୟବାନ। ଆପଣମାନେ ଲିଡର୍‌। ଜନତାଙ୍କର ନେତୃତ୍ବ ନେଉଛନ୍ତି। ଜନତା ହେଲେ ଭଗବାନ। ଲିଡର୍‌ ଯାହା କରିବେ, ଜନତା ତାକୁ ଅନୁସରଣ କରିବେ। ବର୍ତ୍ତମାନ ପ୍ରଯୁକ୍ତି ବିଦ୍ୟାର ସମୟ। ଆପଣମାନେ ଗୃହ ଭିତରେ ଏବଂ ବାହାରେ କ’ଣ କହୁଛନ୍ତି, କିପରି କହୁଛନ୍ତି ତାହା ସମସ୍ତେ ଜାଣିପାରୁଛନ୍ତି। ତେଣୁ ଆପଣମାନଙ୍କ ଉଚ୍ଚାରଣ ଓ ଆଚରଣ ବହୁତ ମୂଲ୍ୟ ରଖେ। ଏହା ଏପରି ହେବା ଦରକାର ଯାହାକୁ ଅନୁସରଣ କରି ଆପଣଙ୍କ ପ୍ରଶଂସକ ଏବଂ ଅନୁଗାମୀମାନେ ସମାଜ ଓ ରାଜ୍ୟ ଗଠନରେ ସହଯୋଗ କରିପାରିବେ। ଏଥିପାଇଁ ଆପଣଙ୍କ ଆଚରଣ ଓ ଉଚ୍ଚାରଣରେ ସଂଯମ ରଖିବା ଆବଶ୍ୟକ। ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଓଡ଼ିଶାର ବରପୁତ୍ରଙ୍କୁ ମନେ ପକାଇବା ସହ ନାରୀଶକ୍ତି, ଚାଷୀଙ୍କ ସମୃଦ୍ଧି, ରାଷ୍ଟ୍ର ଗଠନରେ ରାଜ୍ୟର ଭୂମିକା, ପ୍ରାକୃତିକ ସମ୍ଭାବନା, ଦକ୍ଷ ମାନବ ସମ୍ବଳ ଓ ବୈଷୟିକ ଯୁଗ ଉପରେ ମତ ରଖିବା ସହ ଓଡ଼ିଶାର ପ୍ରଗତିକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବା ପାଇଁ ବିଧାୟକମାନଙ୍କୁ ପରାମର୍ଶ ଦେଇଥିଲେ।

    ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କୁ ସମ୍ବୋଧିତ କରିବା ସମୟରେ ରାଷ୍ଟ୍ରପତି ଗୃହ ସହ ଜଡ଼ିତ ନିଜର ପୁରୁଣା ସ୍ମୃତି ରୋମନ୍ଥନ କରିଥିଲେ। କହିଥିଲେ, ବହୁ ବର୍ଷ ପରେ ଏହି ସ୍ଥାନର ପୁରୁଣା ସ୍ମୃତି ପୁଣି ଥରେ ଜୀବନ୍ତ ହୋଇଛି। ମୁଁ ଆଜି ଯେଉଁ ସ୍ଥାନରେ ପହଞ୍ଚିଛି ତାହା କେବଳ ଏହି ପବିତ୍ର ଗୃହ ପାଇଁ। ଏହି ବିଧାନସଭା ମୋ ପାଇଁ କେବଳ ଏକ ଗୃହ ନୁହେଁ, ଏହା ମୋର ମାତୃତୁଲ୍ୟ। ଏଠାରୁ ଶିଖିଥିବା ଅନୁଶାସନ ଓ ଶିକ୍ଷା ମୋତେ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପହଞ୍ଚାଇଛି। ଆପଣମାନଙ୍କ ଗହଣରେ ଉପସ୍ଥିତ ରହି ମୁଁ ଅତ୍ୟନ୍ତ ଆନନ୍ଦିତ। ମୋତେ ଘରକୁ ଆସିବା ଭଳି ଲାଗୁଛି। ବିଶ୍ବର କେତେକ ଜାତୀୟ ସଂସଦ, ବିଭିନ୍ନ ରାଜ୍ୟର ବିଧାନସଭାକୁ ସମ୍ବୋଧିତ କରିଛି। କିନ୍ତୁ ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିବା ମୋ ପାଇଁ ବିଶେଷ ଖୁସିର ବିଷୟ। ରାଷ୍ଟ୍ରପତି କହିଥିଲେ, ଓଡ଼ିଶା ବିଧାନସଭା ଅନେକ ଜନକଲ୍ୟାଣକାରୀ ଆଇନ ପାରିତ କରିଛି। ସପ୍ତଦଶ ବିଧାନସଭା ବହୁତ କମ୍‌ ସମୟ ମଧ୍ୟରେ ଅନେକ ଫଳପ୍ରଦ ବୈଠକ ସମ୍ପାଦନ କରିବ‌ା ଖୁସିର କଥା। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ବହୁତ ଭଲ କାମ କରିଛି। ଓଡ଼ିଶା ଚାଷ ଓ ଚାଷୀର ରାଜ୍ୟ। ଧାନକିଣା ଉପରେ ସରକାର ସବ୍‌ସିଡି ଦେବା ଏକ ଉତ୍ତମ ପଦକ୍ଷେପ। ସୁଭଦ୍ରା ଯୋଜନାକୁ ଉପଯୋଗ କରି ଅନେକ ମହିଳା ଲକ୍ଷପତି ଦିଦି ଭାବେ ପ୍ରତିଷ୍ଠା ଲାଭ କରିଛନ୍ତି। ପ୍ରକୃତି ଓଡ଼ିଶାକୁ ସମସ୍ତପ୍ରକାର ଦାନ ଦେଇ ଆଶୀର୍ବାଦ କରିଛି। ଏହି ରାଜ୍ୟ ପ୍ରଚୁର ଖଣିଜ ଭଣ୍ଡାର, ଜଙ୍ଗଲ ଏବଂ ଜଳସମ୍ପଦ ସହିତ ମାନବ ସମ୍ବଳରେ ଆଶୀର୍ବାଦପ୍ରାପ୍ତ। ଓଡ଼ିଶାର ପରିବେଶ କୃଷି, ଶିଳ୍ପ ଏବଂ ବାଣିଜ୍ୟର ବିକାଶ ପାଇଁ ଅତ୍ୟନ୍ତ ଅନୁକୂଳ। ଏହି ସମସ୍ତ ସୁବିଧାର ଉପଯୋଗ କରି ଓଡ଼ିଶାକୁ ଦେଶର ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରାଯାଇପାରିବ।
    କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାରେ ଶିଳ୍ପାୟନ ପ୍ରକ୍ରିୟା ଏକ ନୂତନ ରୂପ ନେଉଛି। ଓଡ଼ିଶାର ପ୍ରଗତି ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଉଚିତ। ଓଡ଼ିଶା ଦ୍ରୁତ ପ୍ରଗତି କରୁଛି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଆଦିବାସୀ ଏବଂ ଅନ୍ୟାନ୍ୟ ପଛୁଆ ଗୋଷ୍ଠୀର ବିକାଶ, ଗୃହ ନିର୍ମାଣ, ବିପର୍ଯ୍ୟୟ ପରିଚାଳନା ଇତ୍ୟାଦି କ୍ଷେତ୍ରରେ ଅନେକ ନୂତନ ପଦକ୍ଷେପ ଗ୍ରହଣ କରିଥିବାରୁ ସେ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଥିଲେ। ରାଷ୍ଟ୍ରପତି କହିଥିଲେ, ୨୦୩୬ ମସିହାରେ ଓଡ଼ିଶା ଗଠନର ଶତବାର୍ଷିକୀ ପାଳନ କରାଯିବ। ଯଦି ସମସ୍ତ ଅଂଶୀଦାରମାନେ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଏକାଠି କାମ କରିପାରିବେ, ତେବେ ଏହା ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବାରେ ଓଡ଼ିଶାର ସର୍ବୋତ୍ତମ ଅବଦାନ ହେବ। ସମସ୍ତେ ‘ପ୍ରଥମେ ରାଷ୍ଟ୍ର’ ମନୋଭାବ ସହିତ କାମ କରିବେ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.6 ° C
    26.6 °
    26.6 °
    81 %
    1.1kmh
    100 %
    Tue
    26 °
    Wed
    29 °
    Thu
    30 °
    Fri
    28 °
    Sat
    27 °

    ସମ୍ବନ୍ଧିତ