Thursday, September 19, 2024
23 C
Odisha

    ବିଧି ନିର୍ଦ୍ଧାରିତ

    ଆଗକୁ ପଢନ୍ତୁ

    ବଶିଷ୍ଠ ରୂଷିଙ୍କ ଆଶ୍ରମରେ ନନ୍ଦିନୀ ନାମକ ଅଲୌକିକ ଗୁଣ ସମ୍ପନ୍ନ ଗୋଟିଏ ଗାଈ ଥିଲା । ତା’ର ଗୁଣ,କର୍ମ ଠିକ କାମଧେନୁ ସମ । ଏକଦା ସ୍ଵର୍ଗରାଜ୍ୟର ଅଷ୍ଟବସୁ ନନ୍ଦିନୀକୁ ଚୋରେଇ ନେବାପାଇଁ ମନସ୍ଥକଲେ । ଗାଈଟି ଚରୁଥିବା ବେଳେ ସେମାନେ ତାକୁ ଧରି ନେଇଗଲେ । ବଶିଷ୍ଠ ଆଶ୍ରମକୁ ଫେରି ନନ୍ଦିନୀକୁ ପାଇଲେ ନାହିଁ । ଧ୍ୟାନସ୍ଥ ହୋଇ ସେ ସମସ୍ତ ବିଷୟ ଅବଗତ ହୋଇଗଲେ । କ୍ରୋଧ ଜର୍ଜରିତ ହୋଇ ଅଷ୍ଟବସୁଙ୍କୁ ଅଭିଶାପ ଦେଲେ ଯେ, ତୁମେମାନେ ମର୍ତ୍ତ୍ୟରେ ଜନ୍ମଲାଭ କରି ମନୁଷ୍ୟମାନଙ୍କ ପରି ଦୁଃଖ ଭୋଗକର । ରୂଷିଙ୍କ ଅଭିଶାପରୁ ମୁକ୍ତ ହେବା ପାଇଁ ଅଷ୍ଟବସୁ ଗଙ୍ଗାମାତାଙ୍କ ଶରଣ ପଶିଲେ । ଗଙ୍ଗା କହିଲେ, “ତୁମମାନଙ୍କୁ ମୁକ୍ତି ଦେବା ପାଇଁ ମୁଁ ମର୍ତ୍ତ୍ୟରେ ତୁମମାନଙ୍କ ଜନ୍ମଦାତ୍ରୀ ଭାବେ ଉଭା ହେବି ।“ ଗଙ୍ଗା ସ୍ଵର୍ଗପୁର ତ୍ୟାଗ କରି ପୃଥିବୀରେ ଅବତରଣ କଲେ ।

    ସୋମବଂଶର ରାଜା ଶାନ୍ତନୁଙ୍କ ସହିତ ଗଙ୍ଗାଙ୍କର ସାକ୍ଷାତ ହେଲା । ରାଜା ତାଙ୍କୁ ବିବାହ କରିବାକୁ ଇଚ୍ଛା କରିବାରୁ ସେ କହିଲେ,”ମୁଁ ଅତ୍ୟନ୍ତ ଦୁଷ୍ଟ ପ୍ରକୃତିର ନାରୀ । କାହାରି ଗାଳି, ଭର୍ତ୍ସନା ସହ୍ୟ କରିପାରେ ନାହିଁ । ଆପଣଙ୍କୁ ବିବାହ କରିବାରେ ମୋର ଆପତ୍ତି ନାହିଁ । କିନ୍ତୁ ଯେଉଁଦିନ ହତାଦର ବା ଭର୍ତ୍ସନା କରି ଗଙ୍ଗା ବଦଳରେ ଗାଙ୍ଗୀ ବୋଲି କହି ଆଘାତ ଦେବେ ସେଦିନ ମୁଁ ରାଜପୁର ଛାଡି ଚାଲିଯିବି । ଶାନ୍ତନୁ ଗଙ୍ଗାଙ୍କ କଥାରେ ସମ୍ମତ ହେଲେ । ଅଷ୍ଟବସୁଙ୍କୁ ମୁକ୍ତି ଦେବା ପାଇଁ ଗଙ୍ଗା ଯେ ମାନବୀ ରୂପରେ ମର୍ତ୍ତ୍ୟକୁ ଆସିଛନ୍ତି, ତାହା ସେ ଜାଣିପାରିଲେ ନାହିଁ ।

    ଶାନ୍ତନୁଙ୍କ ଔରସରୁ ଗଙ୍ଗା ମତାଙ୍କ କୋଳରେ ଅପୂର୍ବ ସୁନ୍ଦର କାନ୍ତିଯୁକ୍ତ ସପ୍ତପୁତ୍ର ଜନ୍ମ ନେଲେ । ହେଲେ ସବୁଥର ଗଙ୍ଗା ସେଇ ପୁତ୍ର ମାନଙ୍କୁ ନେଇ ଗଙ୍ଗା ନଦୀରେ ଭସାଇ ଦେଉଥାନ୍ତି । ଏସବୁ ଦେଖି ଓ ଜାଣି ମଧ୍ୟ ଶାନ୍ତନୁ ଗଙ୍ଗାଙ୍କୁ କିଛି କହୁନଥାନ୍ତି । ଅଷ୍ଟମ ପୁତ୍ରର ଜନ୍ମ ପରେ ଯେତେବେଳେ ଗଙ୍ଗା ତାକୁ ମଧ୍ୟ ନଦୀରେ ବିସର୍ଜ୍ଜନ କରିବାକୁ ଯାଆନ୍ତି, ଶାନ୍ତନୁ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ । ନିଜର କ୍ରୋଧ ସମ୍ବରଣ କରିନପାରି ସେ ଗଙ୍ଗାଙ୍କୁ ଅନେକ ଭର୍ତ୍ସନା କଲେ । କହିଲେ,”ତୁମେ ମାଆ ନା ରାକ୍ଷସୀ? ଗୋଟି ଗୋଟି କରି ମୋର ସାତଟି ସନ୍ତାନଙ୍କୁ ନଦୀଜଳରେ ଭସାଇ ଦେଇ ତୁମେ କି ସୁଖ ପାଇଲ? ଏବେ ଏହି ଅଷ୍ଟମ ସନ୍ତାନକୁ ବି ଭସାଇ ଦେବାକୁ ଆସିଛ ! ତୁମେ ଗଙ୍ଗା ନୁହେଁ, ରାକ୍ଷସୀ ଗାଙ୍ଗୀ ।“

    ଗଙ୍ଗା ଏହି ସୁଯୋଗର ହିଁ ଅପେକ୍ଷାରେ ଥିଲେ । କହିଲେ,”ମୋତେ ଭର୍ତ୍ସନା କରି ଆଘାତ ଦେଇଛ । ଏବେ ମୁଁ ତୁମ ରାଜପୁର ଛାଡ଼ି ଚାଲିଯିବାର ସମୟ ଉପଗତ । ଶାନ୍ତନୁଙ୍କର ପୂର୍ବକଥା ସ୍ମରଣ ଆସିଲା । ସେ ନିଜର ଦୋଷ ସ୍ୱୀକାର କରି ଗଙ୍ଗାଙ୍କୁ କ୍ଷମା ମାଗିଲେ ଓ ରାଜପୁର ଛାଡି ନଯିବାକୁ ଅନୁରୋଧ କଲେ । ମାତ୍ର ଗଙ୍ଗା ପୂର୍ବର ସମସ୍ତ ବୃତ୍ତାନ୍ତ ଅର୍ଥାତ ବଶିଷ୍ଠଙ୍କ ଅଭିଶାପ ଓ ଅଷ୍ଟବସୁଙ୍କ ମୁକ୍ତି ନିମନ୍ତେ ତାଙ୍କର ଏ ମାନବୀ ରୂପ ବୋଲି ଜଣାଇବା ପରେ ଶାନ୍ତନୁ ଆଉ କିଛି ନକହି ନୀରବ ରହିଲେ । ଗଙ୍ଗାଙ୍କ ବିଦାୟ ସମୟରେ ସେ ଅଷ୍ଟମ ପୁତ୍ର ଦେବବ୍ରତଙ୍କୁ ଭିକ୍ଷା ମାଗିଲେ । ସେହି ଦେବବ୍ରତ ପରେ ଭୀଷ୍ମ ରୂପରେ ପରିଚିତ ହୋଇଥିଲେ । ନିଜ ପତ୍ନୀଙ୍କ ସହିତ ମନ୍ଦ ବୁଝାମଣା ହେବାରୁ ଶାନ୍ତନୁଙ୍କୁ ଗଙ୍ଗାଙ୍କ ପରି ପତ୍ନୀଙ୍କ ବିଚ୍ଛେଦ ସହିବାକୁ ପଡିଥିଲା । ହେଲେ ଅନ୍ୟ ଦୃଷ୍ଟିରୁ ଦେଖିଲେ, ଏପରି ପରିସ୍ଥିତିରେ କ୍ରୋଧ କରିବା ଶାନ୍ତନୁଙ୍କ ପାଇଁ ସ୍ଵାଭାବିକ ଥିଲା, ଯାହାକି ଗଙ୍ଗା ମତାଙ୍କ ପାଇଁ ଏକ ସୁନ୍ଦର ସୁଯୋଗ ରୂପେ ପ୍ରସ୍ତୁତ ହେଲା ।

    ଏସବୁ ଘଟଣା ବିଧି ନିର୍ଦ୍ଧାରିତ । ସମୟ ଚକରେ ଘଟୁଥିବା ଯେକୌଣସି ଘଟଣା ହେଉ ବା ଦୁର୍ଘଟଣା, ସେସବୁ ନିୟତିର ନିର୍ଦ୍ଦେଶରେ ସମ୍ପାଦିତ ହୁଏ । ବିଧି ନିର୍ଦ୍ଧାରିତ ସବୁକିଛି ଯେମିତି ହେଲେ ଘଟିବ ଓ ସର୍ବଦା ଘଟି ଆସୁଅଛି । ଏହାକୁ କେହି ହେଲେ ବଦଳାଇ ପାରିବେ ନାହିଁ ।

    କାହାଣୀ- ନିରଞ୍ଜନ ପତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ