ମୁନିଗୁଡ଼ା : ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଆଜି ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ଜଣକର ମୃତ ଘଟିଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମୃତ ବ୍ୟକ୍ତି ଜଣକ କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ବାରବେସାଲ ଗ୍ରାମର କେଶବ ସାହୁ । ଗୁରୁତରମାନେ ହେଲେ ପ୍ରମୋଦ ସାହୁ ଓ କେଦାରନାଥ ସାହୁ ।
ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲାରୁ ଏହି ୩ ଜଣ ବ୍ୟକ୍ତି ଏକ ବିବାହ ଉତ୍ସବରେ ଯୋଗ ଦେବାପାଇଁ ମୁନିଗୁଡା ଆସିଥିଲେ। ଫେରୁଥିବାବେଳେ ଏଭଳି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଆହତଙ୍କୁ ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ହେଲେ ଗୁରୁତର ଦୁଇ ଜଣଙ୍କ ଅବସ୍ଥା ଅଧିକ ସଙ୍କଟାପର୍ଣ୍ଣ ଥିବାରୁ ଦୁଇ ଜଣଙ୍କୁ ବିଷମକଟକ ଖ୍ରୀଷ୍ଟିଆନ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ମୁନିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଯବତ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
