Thursday, September 17, 2026
30.6 C
Odisha

    ବିଶ୍ବ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ: ଧ୍ରୁବ-ତନିଷା, ଚିରାଗ-ସାତ୍ତ୍ବିକ କ୍ବାର୍ଟରଫାଇନାଲରେ, ବିଶ୍ବର ୨ନଂ ଖେଳାଳିଙ୍କୁ ହରାଇ କ୍ବାର୍ଟରରେ ସିନ୍ଧୁ

    ଆଗକୁ ପଢନ୍ତୁ

    ପ୍ୟାରିସ୍‌   :    ପ୍ୟାରିସ୍‌  ଚାଲିଥିବା ବିଡବ୍ଲ୍ୟୁଏଫ୍‌ ବିଶ୍ବ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପରେ ବୁଧବାର ଭାରତୀୟ ଖେଳାଳି ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଚମତ୍କାର ଢଙ୍ଗରେ ଫର୍ମକୁ ଫେରିଥିବା ପି.ଭି. ସିନ୍ଧୁ ମହିଳା ସିଙ୍ଗଲ୍‌ସ କ୍ବାର୍ଟରଫାଇନାଲରେ ବା ଶେଷ ୮ ଜଣଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ଉଲ୍ଲେଖନୀୟ କଥା ହେଉଛି ୩୦ ବର୍ଷ ବୟସ୍କା ସିନ୍ଧୁ ଗୁରୁବାର ୩ୟ ରାଉଣ୍ଡରେ ବିଶ୍ବ ମାନ୍ୟତାରେ ୨ନଂ ସ୍ଥାନରେ ଥିବା ଚୀନର ୱାଙ୍ଗ୍‌ ଝି ୟିଙ୍କୁ ପରାସ୍ତକରି ବିପର୍ଯ୍ୟୟ ଘଟାଇଛନ୍ତି। ବିଶ୍ବ ମାନ୍ୟତାରେ ୧୫ନଂ ସ୍ଥାନରେ ଥିବା ପି.ଭି. ସିନ୍ଧୁ ୨୧-୧୯, ୨୧-୧୫ ଗେମ୍‌ରେ ୱାଙ୍ଗ୍‌ ଝି ୟିଙ୍କୁ ପରାସ୍ତ କରିଛନ୍ତି। ସିନ୍ଧୁ କ୍ବାର୍ଟରଫାଇନାଲରେ ଶୁକ୍ରବାର ୯ମ ସିଡ୍‌ ଇଣ୍ଡୋନେସିଆର ପୁତ୍ରୀ କୁସୁମ ୱାର୍ଦାନିଙ୍କ ମୁକାବିଲା କରିବେ। ଉଭୟ ଖେଳାଳିଙ୍କ ମଧ୍ୟ​ରେ ୪ ଥର ମୁକାବିଲା ହୋଇଥିବା ବେଳେ ଉଭୟ ୨ଟି ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି। ୨୦୧୯ରେ ଏହି ଟାଇଟଲ ଜିତିଥିବା ପି.ଭି. ସିନ୍ଧୁ ଏହି ମ୍ୟାଚ୍‌ରେ ପ୍ରାଧାନ୍ୟ ବିସ୍ତାର କରିବା ସହ ୪୮ ମିନିଟରେ ଜିତିଥିଲେ। ବିଶ୍ବ ଚମ୍ପିଆନ୍‌ସିପରେ ୫ଟି ପଦକ ଜିତିଥିବା ସିନ୍ଧୁ ଚମତ୍କାର ଢଙ୍ଗରେ ଏହି ମୁକାବିଲା ଆରମ୍ଭକରି ୧୧-୬​ରେ ଆଗୁଆ ହୋଇ ଯାଇଥିଲେ। ହେଲେ ତାଙ୍କଠାରୁ ଉଚ୍ଚ ମାନ୍ୟତାପ୍ରାପ୍ତ ୱାଙ୍ଗ୍‌ ଝି ୟି ଚମତ୍କାର ଢଙ୍ଗରେ ପ୍ରତ୍ୟାବର୍ତ୍ତନ କରି ସ୍କୋର୍‌କୁ ୧୯-୧୯ କରିଥିଲେ। ହେଲେ ସିନ୍ଧୁ କ୍ରମାଗତ ୨ଟି ପଏଣ୍ଟ ଜିତି ପ୍ରଥମ ଗେମ୍‌ ହାତେଇ ନେଇଥିଲେ। ୨ୟ ଗେମ୍‌ରେ ସିନ୍ଧୁ ଆକ୍ରମଣାତ୍ମକ ପ୍ରଦର୍ଶନ କରି ୧୧-୬ରେ ଆଗୁଆ ହୋଇ ଶେଷ ପର୍ଯ୍ୟନ୍ତ ଏହାକୁ ବଜାୟ ରଖିଥିଲେ। ମିକ୍ସଡ୍‌ ଡବଲ୍‌ସରେ ବିଶ୍ବର ୧୬ନଂ ମାନ୍ୟତା ହାସଲ କରିଥିବା ଭାରତୀୟ ଯୋଡ଼ି ଧ୍ରୁବ କପିଳା-ତନିଷା କ୍ରାଷ୍ଟୋ ମଧ୍ୟ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ୩ୟ ରାଉଣ୍ଡରେ କପିଳା-ତନିଷା ୫ମ ସିଡ୍‌ ଯୋଡ଼ି ହଂକଂର ଟାଙ୍ଗ୍‌ ଚୁନ୍ ମାନ୍ ଓ ସେ ୟିଙ୍ଗ୍‌ ସୁଏଟ୍‌ଙ୍କୁ କଡ଼ା ମୁକାବିଲା ପରେ ୧୯-୨୧, ୨୧-୧୨, ୨୧-୧୫ ଗେମ୍‌ରେ ପରାସ୍ତ କରିଛନ୍ତି। ଏସୀୟ ଚମ୍ପିଆନ୍‌ ଟାଙ୍ଗ୍‌ ଓ ୟିଙ୍ଗ୍‌ ବିଶ୍ବ ଚମ୍ପିଆନ୍‌ସିପରେ ୨ ଥର ପଦକ ଜିତିଛନ୍ତି। ସେମାନଙ୍କୁ ଧ୍ରୁବ କପିଳା-ତନିଷା କ୍ରାଷ୍ଟୋ ହରାଇବା ବେଶ୍‌ ପ୍ରଶଂସାଯୋଗ୍ୟ। ଆଉ ଗୋଟିଏ ମ୍ୟାଚ୍‌ ଜିତିଲେ କପିଳା-ତନିଷା ପଦକ ନିଶ୍ଚିତ କରିବେ। ଶୁକ୍ରବାର ହେବାକୁ ଥିବା କ୍ବାର୍ଟରଫାଇନାଲରେ କପିଳା-ତନିଷା ମାଲେସିଆର ଚେନ୍ ଟାଙ୍ଗ୍‌ ଜି ଓ ତୋ ଏଇ ୱେଇଙ୍କ ମୁକାବିଲା କରିବେ। ପୁରୁଷ ଡବଲ୍‌ସରେ ଚିରାଗ ସେଟ୍ଟି-ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍‌ଡୀ ମଧ୍ୟ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ୯ମ ସିଡ୍‌ ଚିରାଗ-ସାତ୍ତ୍ବିକ ଗୁରୁବାର ୩ୟ ରାଉଣ୍ଡରେ ୬ଷ୍ଠ ସିଡ୍‌ ତଥା ପ୍ୟାରିସ୍‌ ଅଲିମ୍ପିକ୍‌ସର ରୌପ୍ୟ ବିଜେତା ଚୀନ୍‌ର ଲିଅାଙ୍ଗ୍‌ ୱେଇ କେଙ୍ଗ୍‌ ଓ ୱାଙ୍ଗ୍‌ ଚାଙ୍ଗ୍‌ଙ୍କୁ ୧୯-୨୧, ୨୧-୧୫, ୨୧-୧୭ ଗେମ୍‌ରେ ପରାସ୍ତ କରିଛନ୍ତି। ନିର୍ଣ୍ଣାୟକ ୩ୟ ଗେମ୍‌ରେ ଚିରାଗ-ସାତ୍ତ୍ବିକ ୧୫-୧୭ରେ ପଛୁଆ ଥିଲେ। ହେଲେ ଦୁହେଁ କ୍ରମାଗତ ୬ ପଏଣ୍ଟ ଜିତି ମ୍ୟାଚ୍‌ ହାତେଇ ନେଇଥିଲେ। କ୍ବାର୍ଟରଫାଇନାଲରେ ଚିରାଗ-ସାତ୍ତ୍ବିକ ଶୁକ୍ରବାର ବିଶ୍ବର ୨ନଂ ଯୋଡ଼ି ମାଲେସିଆର ଆରୋନ୍ ଚିଆ ଓ ୱୁ ୟିକ୍‌ ସୋ’ଙ୍କର ମୁକାବିଲା କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    30.6 ° C
    30.6 °
    30.6 °
    69 %
    1.4kmh
    36 %
    Thu
    31 °
    Fri
    32 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ