Friday, October 2, 2026
22.9 C
Odisha

    ‘ବୁକ୍‌ ପୋଷ୍ଟ’ ବନ୍ଦ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗ ପକ୍ଷରୁ ବର୍ଷ ବର୍ଷ ଧରି ପ୍ରଚଳିତ ‘ବୁକ୍ ପୋଷ୍ଟ’ ସେବା ବନ୍ଦ ହୋଇଯାଇଛି। ଚଳିତ ମାସ ୧୮ ତାରିଖରେ ଡାକ ବିଭାଗ ଏହି ସେବା ବନ୍ଦ ପାଇଁ ନିଷ୍ପତ୍ତି ଗ୍ରହଣ କରିବା ପରେ କୋଟି କୋଟି ଗ୍ରାହକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ‘ରେଜିଷ୍ଟର୍ଡ ବୁକ୍‌ ପୋଷ୍ଟ’ ନାମରେ ପ୍ରଚଳିତ ଏହି ସେବା ମାଧ୍ୟମରେ ଗ୍ରାହକ ପୁସ୍ତକ ବା କୌଣସି ପତ୍ରର ଓଜନ ଅନୁସାରେ ମୂଲ୍ୟ ଦେଇ ବିଭିନ୍ନ ସ୍ଥାନକୁ ପ୍ରେରଣ କରିଥାନ୍ତି। ପାଞ୍ଚ କିଲୋ ଓଜନର ପୁସ୍ତକ ପାଇଁ ପ୍ରାୟ ୮୦ଟଙ୍କା ଦେବାକୁ ପଡ଼ିଥାଏ। ଏହା ସୁରୁଖୁରୁରେ ଗ୍ରାହକଙ୍କ ନିକଟରେ ପହଞ୍ଚିଥାଏ। ଆଜିକାଲି ଘରୋଇ କୋରିୟର ଓ ଅନ୍ୟ ସଂସ୍ଥା ଏପରି ଭୂମିକା ନିର୍ବାହ କରୁଛନ୍ତି କିନ୍ତୁ ଏହା ବ୍ୟୟସାପେକ୍ଷ ହୋଇଥିବାରୁ ଲୋକଙ୍କର ବୁକ୍‌ ପୋଷ୍ଟ ଉପରେ ନିର୍ଭରଶୀଳତା ରହିଥାଏ। କେନ୍ଦ୍ର ସରକାରଙ୍କ ଦ୍ବାରା ‘ପୋଷ୍ଟ ଅଫିସ ଆକ୍ଟ-୨୦୨୩’ କାଯ୍ୟକାରୀ ହେବା ପରେ ୧୮୯୮ ଆଇନ ଅନୁସାରେ ପ୍ରଚଳିତ ଏହି ବ୍ୟବସ୍ଥାର ଅନ୍ତ ଘଟିଛି। ମଧ୍ୟରାତ୍ରିରେ ଏହାର ସଫ୍ଟୱେରକୁ ବନ୍ଦ କରାଯାଇଛି। ଏ ସମ୍ପର୍କରେ କୌଣସି ପୂର୍ବ ସୂଚନା ଦିଆଯାଇନଥିବା କୁହାଯାଉଛି। ଏହି ପୁସ୍ତକ ପ୍ୟାକେଟ୍‌ ସେବାକୁ ‘ବୁକ୍‌ ରେଜିଷ୍ଟର୍ଡ ପୋଷ୍ଟ’ ବ୍ୟବସ୍ଥା ସହିତ ମିଶ୍ରଣ କରାଯାଇଥିବା ଏବଂ ଏ ବାବଦରେ ଅଧିକ ଟିକସ ଅସୁଲ ନିୟମ ଲାଗୁ କରାଯାଇଥିବା ଜଣାପଡ଼ିଛି। ବିଦେଶରୁ କୌଣସି ପୁସ୍ତକ ମଗାଇଲେ ଏଥିପାଇଁ ଅଧିକ ଟିକସ ଆଦାୟର ବ୍ୟବସ୍ଥା ହୋଇଛି। ଭାରତୀୟ ଡାକ ବିଭାଗର ସେବା ୧୯୧୦୧ ପିନ୍‌ କୋଡ୍‌ ଓ ୧ ଲକ୍ଷ ୫୪ ହଜାର ୭୨୫ ଡାକ ଘର ମାଧ୍ୟମରେ ସାରା ଦେଶରେ ପରିବ୍ୟାପ୍ତ। ନୂଆ ନୂଆ ଯୋଜନାନୁସାରେ ଲୋକଙ୍କ ପାଖରେ ତ୍ବରିତ ସେବା ଯୋଗାଇବା ପାଇଁ ଉଦ୍ୟମ ଚଳାଇଥିବା ଡାକ ବିଭାଗ ଲୋକପ୍ରିୟ ବୁକ୍‌ ପୋଷ୍ଟ ସେବା ବନ୍ଦ କରିବାକୁ ଗ୍ରାହକ ସହଜେ ଗ୍ରହଣ କରିପାରୁନାହାନ୍ତି। ଏହାଦ୍ବାରା ଦେଶର କୌଣସି ସ୍ଥାନରୁ କିମ୍ବା ବିଦେଶରୁ ପୁସ୍ତକ ମଗାଇବା ଏଣିକି ସହଜ ହେବ ନାହିଁ ବୋଲି କୁହାଯାଉଛି। କୌଣସି ଆଲୋଚନା ବିନା ଏହି ସେବା ବନ୍ଦ କରାଯାଇଥିବା ନେଇ ବିଭିନ୍ନ ସଂସ୍ଥା ଓ ପୁସ୍ତକ ପ୍ରକାଶକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ