ଗାଁ ମୁଣ୍ଡ ଛକ ନିକଟରେ ଗୋଟିଏ ବଡ଼ ବରଗଛ ଥାଏ । ଗଛରେ ବଡ଼ ବଡ଼ ଶାଖା ପ୍ରଶାଖା ଥାଏ । ଏହି ଶାଖା ଭିତରେ କାହିଁରେ କେତେ କୋରଡ଼ । କୋରଡ ମାନଙ୍କରେ କପୋତ,ବଣି,ଶୁଆ,ଶାରୀ ଆଦି ପକ୍ଷୀ ବାସ ବାନ୍ଧି ରହିଥାନ୍ତି । ଏହି ଗଛରେ ଗୋଟିଏ ବୁଢା ଚିଲ ରାହୁଥାଏ । ଚିଲଟି ବୁଧ ହୋଇଯାଇଥିବାରୁ ଖାଦ୍ୟ ସନ୍ଧାନରେ ଯାଇପାରେ ନାହିଁ । ବିଭିନ୍ନ ପକ୍ଷୀମାନେ ତାକୁ ଆଣି କିଛି କିଛି ଖାଦ୍ୟ ଦେଇଥାନ୍ତି । ସମସ୍ତେ କିପରି ମିଳିମିଶି ଶାନ୍ତିରେ ରହିବେ, କୋପତ ପକ୍ଷୀଟି ସବୁବେଳେ ଚାହିଁଥାଏ ଓ ସେଇ ଅନୁସାରେ ସମସ୍ତଙ୍କୁ ଅନୁରୋଧ କରେ ।
କପୋତ କହେ-
“ ସକଳେ ରହିବା ମିଳିମିଶି
ତାହେଲେ ପାଇବା ଶାନ୍ତି ବେଶୀ
ଖୁସିରେ ପାରିବା ଆମେ ହସି ।“
ଶୁଆ ଓ ବଣି ଟିକେ ଖଳୁଆ ସ୍ଵଭାବର । ସେମାନେ ମିଳିମିଶି ରହିବା ପାଇଁ ଚାହିଁ ନାଥାନ୍ତି । ଶୁଆ ବୁଢା ଚିଲକୁ ଖାଦ୍ୟ ନଦେଇ ତାକୁ ଥଟ୍ଟା କରେ । ବିଦ୍ରୂପ କରି କୁହେ-
“ ବୁଢା ହେଲେ କଥା ସରେ , କେଇଦିନ ପରେ ମରେ
ବୁଢା ଟି କିସ ଦରକାର , ବୁଢାକୁ ତଡି ତଡି ମାର ।“
କପୋତ ଏମାନଙ୍କ କଥାକୁ ପ୍ରତିବାଦ କରି କୁହେ –
“ବୁଢାକୁ କିଆଁ କଷ୍ଟ ଦେବା
ସଭିଏଁ ଦିନେ ବୁଢା ହେବା
ଯେତେ ବୁଢା-ସେତେ ଲୋଡା ।“
ଶୁଆ ଓ ବଣି କପୋତର କଥାକୁ ହସି ଉଡେଇ ଦିଅନ୍ତି ।
କପୋତର ଅଣ୍ଡା ଓ ଛୁଆକୁ ବୁଢା ଚିଲ ଜଗିରହେ । କିନ୍ତୁ ଶୁଆ ଓ ବଣି ନିଜ ନିଜ ଅଣ୍ଡା ଓ ଛୁଆଙ୍କୁ ସେମିତି ଛାଡିଦେଇ ଯାଆନ୍ତି । କୁହନ୍ତି,”ଛୁଆଙ୍କୁ ଜଗିବା କଣ ଦରକାର ? ପୁଣି ଏଇ ଯୋଉ ବୁଧ ଚିଲ, ସେ ବା କଣ ଜଗି ପାରିବ ?” ସେମାନେ ଜାଣି ନଥାନ୍ତି ଯେ ବିପଦ କେତେବେଳେ ବି ଆସି ପହଞ୍ଚିଯାଇପାରେ । ତାଙ୍କ ଛୁଆ ମାନଙ୍କୁ ଶିକାର କରିବାକୁ ଜଙ୍ଗଲୀ କଳା ଭୁଆ ଟା ସବୁବେଳେ ଜଗି ବସିଛି ।
ସତକୁ ସତ ଦିନେ କଳା ବଣଭୁଆ ଆସିଲା । ତାକୁ ଦେଖି ବୁଢା ଚିଲ ରାଗିଗଲା । କହିଲା, “କଳା ବଣଭୁଆ କେଣେ ଆଇଲୁ,
ଏଠାରେ କି କାମ ଦେଖି କହିଲୁ ?”
କଳା ବଣଭୁଆ କହିଲା,”ବୁଢା ଚିଲ ଭାଇ ନମସ୍କାର
ତମର ତ ସବୁ ପରିଷ୍କାର,
ଆସିଲି ଏଠାକୁ ବୁଲିବା ପାଇଁ
ମୋର କିଛି ମନ୍ଦ ଉଦେଶ୍ୟ ନାହିଁ ।
ଛାଡି ଦେଇଛି ମୁଁ ଆମିଷ ଏବେ,
ଅଣ୍ଡା ଛୁଆ ଆଉ ଖାଉନି କେବେ ।“
ଏକଥା ଶୁଣି ଚିଲ ଠିକ ଜାଣିଲା ଯେ ୟାକୁ ଖାଲି ପଚାରୁ ପଚାରୁ ଅଣ୍ଡା ଛୁଆ ଖାଇବା କଥା କହୁଛି କାହିଁକି? ମନ୍ଦିର ଭିତରେ କିଏ, ନା ମୁଁ କଦଳୀ ଖାଇନି । ଏହାର ନିଶ୍ଚିତ କିଛି ମନ୍ଦ ଉଦ୍ଦେଶ୍ୟ ଅଛି । ବୁଢା ଚିଲ ଜଗି ରହିଲା । କଳା ବଣଭୁଆ ଲୁଚିଛପି ଶୁଆ ଓ ବଣିର ଗୋଟିଏ ଗୋଟିଏ ଛୁଆ ମାରି ଖାଇଦେଲା । ଅନ୍ୟ ଛୁଆମାନେ ବୋବେଇ ଉଠିଲେ । ଏହି ସମୟରେ ବୁଢା ଚିଲ ସେଠାରେ ପହଞ୍ଚି ଛୁଆମାନଙ୍କୁ ରକ୍ଷା କଲା । ନିଜ ଟାଣୁଆ ଥଣ୍ଟରେ ଖୁମ୍ପି ଖୁମ୍ପି କଳା ବଣଭୁଆକୁ ଖଣ୍ଡିଆ ଖବରା କରିଦେଲା । ସେ ଭୟକରି ନିଜ ଜୀବନ ବଞ୍ଚେଇ ସେଠାରୁ ଖସିଗଲା ।
ବଣି,ଶୁଆ ଆସି ଦେଖିଲେ କପୋତ ଛୁଆ ସବୁ ଠିକ୍ ଠାକ ଅଛନ୍ତି । ସେମାନଙ୍କ ଛୁଆରୁ ଗୋଟିଏ ଗୋଟିଏ ନାହାନ୍ତି । ଅନ୍ୟ ଛୁଆମାନେ ଚିଲ ବୁଢାର ଦୟାରୁ ବଞ୍ଚି ଯାଇଛନ୍ତି । ଯେଉଁ ଚିଲକୁ ସେମନେ ବୁଢା କହି ଥଟ୍ଟା କରୁଥିଲେ, ତାହାରି ଯୋଗୁ ତାଙ୍କ ଛୁଆମାନେ ନୂଆ ଜୀବନ ପାଇଛନ୍ତି । ଏଥର ବଣି ଓ ଶୁଆ ବୁଢା ଚିଲକୁ କ୍ଷମା ମାଗିଲେ, କହିଲେ-
“ବୁଢା ହେଲେ ବି ଦୟା କଲ
ଆମ ଛୁଆଙ୍କୁ ବଞ୍ଚେଇଲ
ଜାଣିଲୁ ଯେତେ ବୁଢୀ ବୁଢା
ସମାଜ ପାଇଁ ସେତେ ଲୋଡା ।“
ଏଥର ଚିଲ ବୁଢା ଖୁସି ହେଲା । ସମସ୍ତେ ମିଳିମିଶି ତାକୁ ଖାଦ୍ୟ ଆଣି ଦେଲେ । ସମସ୍ତେ ସୁଖଶାନ୍ତିରେ ଜୀବନ କାଟିଲେ ।
କାହାଣୀ- ନିରଞ୍ଜନ ପତି