କଳାହାଣ୍ଡି : ମା’ ଚାଲିଗଲା ପରେ ପଛେ ପଛେ ବାପା ବି ଚାଲିଗଲେ । ବୃଦ୍ଧା ଜେଜେ ମା ଭରଷାରେ ୨ ଅନାଥ ଭାଇ ଭଉଣୀ । ହଁ ଆଜ୍ଞା, ମାକୁ ଜାଣିବା, ଚିହ୍ନିବା ଆଗରୁ ପ୍ରଥମେ ନିଜ ଜନ୍ମ କଲା ମା ଦୁଇ ଛୁଆଙ୍କୁ ଛାଡି ଆରପାରିକୁ ଚାଲିଗଲେ । ମା ନଥିଲେ ବି ବାପା ଉଭୟ ମା ଓ ବାପା ର ସ୍ନେହ ଦେଇ ଦୁଇ ପୁଅ ଝିଅଙ୍କୁ ଲାଳନ ପାଳନ କରି ଆସୁଥିଲେ । ଗରିବ ପରିବାର ହୋଇଥିବାରୁ ବାପା ଦୁଇ ଛୋଟ ଛୋଟ ଶିଶୁ ଙ୍କୁ ବୃଦ୍ଧା ମା ପାଖରେ ଛାଡି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଆନ୍ତି । ଯାହା କିଛି ରୋଜଗାର କରି ଆଣନ୍ତି ତାକୁ ବୃଦ୍ଧା ମା ଓ ଦୁଇ ଛୁଆଙ୍କୁ ପ୍ରତିପୋଷଣ କରନ୍ତି । ଏମିତି ଚାଲିଥିଲା ତାଙ୍କ ଦୁଃଖର ସଂସାର । ହେଲେ ଏତିକିରେ ଦୁଃଖ ସରିନଥିଲା । ପରିବାର ଉପରେ ଘୋଟି ଆସିଥିଲା କଳାବାଦଲ । ବିଧିର ବିଧାନ ଥିଲା କିଛି ଅଲଗା । ବୃଦ୍ଧା ମା କୋଳରେ ଦୁଇ ନିଷ୍ପାପ ଶିଶୁଙ୍କୁ ଛାଡି ପୁଅ ମଧ୍ୟ ସବୁ ଦିନ ପାଇଁ ଆରପାରିକୁ ଚାଲିଗଲା । ଭଗବାନ ଜନ୍ମ ଦେଲେ ସତ କିନ୍ତୁ କୁନି କୁନି ଛୁଆଙ୍କ ପାଖରୁ ବାପା ମା’ଙ୍କୁ ଛଡେଇ ନେଲେ । ବୃଦ୍ଧା ଜେଜେ ମା ଦୁଇ ଅନାଥ ଭାଇ ଭଉଣୀଙ୍କର ଲାଳନ ପାଳନ କରୁଛନ୍ତି । ଏବେ ଏ ପରିବାରକୁ ସାହା ହେବାକୁ ପାଖରେ କେହି ନାହାଁନ୍ତି ।
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମାଟି ଗାଁର ମଦନ ପ୍ରଧାନୀ ଓ ତ୍ରିଫଳା ପ୍ରଧାନୀଙ୍କ ହସଖୁସିର ସଂସାର ଥିଲା । ତାଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ । କିନ୍ତୁ ଦିନେ ଏହି ପରିବାର ଉପରେ ସତେ ଯେମିତି କାହା କଳା ନଜର ପଡ଼ିଗଲା । କୁନି କୁନି ପିଲା ମା କୁ ଚିହ୍ନିବା ଜାଣିବା ପୂର୍ବରୁ ମା ତ୍ରିଫଳା ୨ ଛୁଆଙ୍କୁ ଛାଡି ୪ବର୍ଷ ତଳେ ଆରପାରିକୁ ଚାଲିଗଲେ । ସ୍ତ୍ରୀ ଚାଲିଯିବା ପରେ ମଦନ ନିଜର ଦୁଇ ଛୋଟ ଛୋଟ ପୁଅ ଝିଅକୁ ଉଭୟ ମାଁ ବାପା ର ସ୍ନେହ ଦେଇ ଲାଳନ ପାଳନ କରୁଥିଲେ । ମଦନ ଦୁଇ ଶିଶୁକୁ ତା ବୃଦ୍ଧା ମା ନିଳା ପ୍ରଧାନୀ ପାଖରେ ଛାଡି ବିଶାଖାପାଟଣାକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ କିଛି ଦିନ ଠିକଠାକ ଚାଲିଥିବା ବେଳେ ମଦନ ଛାତି ଯନ୍ତ୍ରଣା ଯୋଗୁଁ ବିଶାଖାପାଟଣାରୁ ଘରକୁ ଚାଲି ଆସିଥିଲେ । ହେଲେ ଗତ ୪ ତାରିଖରେ ମଦନ ମଧ୍ୟ ଆରପରିକୁ ଚାଲିଗଲେ । ବାପା ମାଙ୍କ ଦେହାନ୍ତ ପରେ ବର୍ତ୍ତମାନ ଏହି ଦୁଇ ଶିଶୁ ନିଜ ବୃଦ୍ଧା ଜେଜେ ମା ପାଖରେ ରହୁଛନ୍ତି । ଜେଜେ ମା ନିଳା ପ୍ରଧାନୀ ମଧ୍ୟ ବୟସର ଅପରାହ୍ନ ରେ ପହଞ୍ଚିଥିବା ବେଳେ ପରିବାରର ଦାନା ଯୋଗାଡ଼ କରିବାକୁ ଅସମର୍ଥ ।
ବୃଦ୍ଧା ନିଳା ପ୍ରଧାନୀ କେବଳ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଭତ୍ତା ୧ ହଜାର ଟଙ୍କା ପାଉଥିବା ବେଳେ ୧୫ କେଜି ଚାଉଳ ପାଆନ୍ତି ସେଥିରେ ଚାଲେ ତାଙ୍କ ତେଲ ଲୁଣର ସଂସାର । ଦୁଇ ଶିଶୁ ଏବଂ ନିଜ ପେଟକୁ ଦାନା ଦେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ନିଳା । ଘର ମଧ୍ୟ ଭାଙ୍ଗି ଗଲାଣି । ଚାଲି ବୁଲି ନ ପାରୁଥିଲେ ମଧ୍ୟ କାହାର ଦାଣ୍ଡ ଦୁଆର ଝାଡୁ କରି ତ କାହାର ବାସନ ମାଜି ଯିଏ ଯାହା ଖାଇବାକୁ ଦେଲେ ତାହା ଆଣି ଦୁଇ ନାତି ନତୁଣୀଙ୍କୁ ଖୁଆଉଛନ୍ତି । ବର୍ତ୍ତମାନ ପ୍ରିୟଙ୍କା ପ୍ରଧାନୀ ଗାଁ ସ୍କୁଲ ରେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ବେଳେ ମାଧବ ପ୍ରଧାନୀ ତୃତୀୟ ଶ୍ରେଣୀରେ ପଢ଼ୁଛି । ନିଳାଙ୍କୁ ସହାୟତା କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।