Sunday, October 25, 2026
18.3 C
Odisha

    ବ୍ଲେଡ୍‌ରେ ଜେଲର ଓ ୱାର୍ଡରଙ୍କ ହାତ କାଟି ଦେଲେ କଏଦୀ

    ଆଗକୁ ପଢନ୍ତୁ

    ଗ୍ୟାଙ୍ଗ୍‌ଓ୍ବାର, କଏଦୀଙ୍କୁ ମାଡ଼ ଓ ନିଶା କାରବାରକୁ ନେଇ ଚର୍ଚ୍ଚାରେ ରହୁଥିବା ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର ଜେଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ବିଶୃଙ୍ଖଳା ସୃଷ୍ଟି କରି ହାଇସିକ୍ୟୁରିଟି ୱାର୍ଡରେ ଥିବା ୫ଜଣ କଏଦୀ ପୁଣି ଆତଙ୍କରାଜ ଘଟାଇଛନ୍ତି। ସେମାନେ ସଂଘବଦ୍ଧ ଭାବେ ଜେଲର ଓ ୱାର୍ଡରଙ୍କୁ ମାଡ଼ ମାରିବା ସହ ବ୍ଲେଡ୍‌ରେ ଆକ୍ରମଣ କରି ରକ୍ତାକ୍ତ କରିଦେଇଛନ୍ତି। ଏଭଳି ଜରୁରିକାଳୀନ ପରିସ୍ଥିତି ସୃଷ୍ଟି ହେବାରୁ ବାଧ୍ୟହୋଇ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏମର୍ଜେନ୍ସି ସାଇରନ୍‌ ବାଜିଛି। କଏଦୀଙ୍କ ଆକ୍ରମଣରେ ଜେଲର୍‌ ପ୍ରସନ୍ନ ସାହୁଙ୍କ ସହ ଦୁଇଜଣ ୱାର୍ଡର ରାଜେଶ ପାତ୍ର ଓ ପୃଥ୍ବୀ ଆହତ ହୋଇଛନ୍ତି। କଏଦୀ ଅଜୟ ନାୟକ ଓରଫ ନନ୍ଦୁ, ନାରଣ ମହାନ୍ତି, ସନ୍ତୋଷ ଓରଫ ତାୱା, ଲିଙ୍ଗରାଜ ବାରିକ ଓ ସଞ୍ଜୟ ମଲ୍ଲିକ ଏଭଳି କାଣ୍ଡ ଘଟାଇଛନ୍ତି। ଏମାନେ ନିଶା କାରବାର, ଲୁଟ୍‌, ହତ୍ୟା ଆଦି ମାମଲାରେ ବାରମ୍ବାର ଗିରଫ ହୋଇ ଜେଲରେ ରହିଆସିଛନ୍ତି। ତେବେ ଏହି ଘଟଣାକୁ ନେଇ ଜେଲରଙ୍କ ପକ୍ଷରୁ ଲକ୍ଷ୍ମୀସାଗର ଥାନାରେ ଏତଲା ଦିଆଯିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ଝାରପଡ଼ା ଜେଲରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନ ଉଠିଛି।
    ଗତ ମଙ୍ଗଳବାର ଜେଲ ଭିତରୁ ଏକ ଭିଡିଓ ଭାଇରାଲ ହୋଇଥିଲା। ବିଚାରାଧୀନ କଏଦୀ ନନ୍ଦୁ ହାତରେ ଛୁରି ଧରି ଭୟଭୀତ କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଥିଲା। ଭିଡିଓ ଭାଇରାଲ ହେବା ପରେ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୯ନଂ. ବାରାକ୍‌ରେ ଚଢ଼ାଉ କରାଯାଇଥିଲା। ସେଠାରେ ଏକ ସ୍ଥାନରେ ଲୁଚାଇ ରଖାଯାଇଥିବା ସ୍ମାର୍ଟ ଫୋନ୍‌ ଓ ଛୁରି ଜବତ ହୋଇଥିଲା। ଏହି ଘଟଣାରେ ନନ୍ଦୁଙ୍କ ନାଁରେ ଜେଲ କର୍ତ୍ତୃପକ୍ଷ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିଲେ। ଏଥିସହ ମାରଣାସ୍ତ୍ର ଓ ମୋବାଇଲ ରଖିବା ଅଭିଯୋଗରେ ଏବଂ ଅନ୍ୟ କଏଦୀଙ୍କ ସୁରକ୍ଷା ଦୃଷ୍ଟିରୁ ନନ୍ଦୁଙ୍କ ସମେତ ସମ୍ପୃକ୍ତ ୫ କଏଦୀଙ୍କୁ ହାଇସିକ୍ୟୁରିଟି ୱାର୍ଡରେ ରଖାଯାଇଥିଲା। ହେଲେ ସେଠାରେ ନ ରହିବାକୁ ସେମାନେ ବିରୋଧ କରିଆସୁଥିଲେ। ଡ୍ୟୁଟିରେ ରହୁଥିବା ୱାର୍ଡରଙ୍କୁ ବିଭିନ୍ନ ସମୟରେ ଗାଳିଗୁଲଜ କରିବା ସହ ନିର୍ଯାତନା ଦେଉଥିଲେ। ତେବେ ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ରେ ସେମାନେ ଏକ ବଡ଼ କାଣ୍ଡ ଘଟାଇଥିଲେ। ୫ଜଣ କଏଦୀ ମିଳିମିଶି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଉତ୍ପାତ କରିଥିଲେ। ଜଣେ ୱାର୍ଡର ସେଠାକୁ ଯାଇ ପଚାରିବାରୁ ତାଙ୍କୁ ସେମାନେ ସଂଘବଦ୍ଧ ଭାବେ ତଳେ ପକାଇ ମାଡ଼ ମାରିଥିଲେ। ଏହାଦେଖି ପାଖରେ ଥିବା ଅନ୍ୟଜଣେ ୱାର୍ଡର ହୁଇସିଲ୍‌ ବଜାଇଥିଲେ। ପରେ ଜେଲର ଏବଂ ୱାର୍ଡର ବୁଝାଶୁଝା କରୁଥିବା ବେଳେ ସମ୍ପୃକ୍ତ ୫ କଏଦୀ ପ୍ରଥମେ ଜେଲରଙ୍କୁ ଧକ୍କା ପକାଇବାରୁ ତାଙ୍କ ମୁଣ୍ଡ ମାଡ଼ ହୋଇଥିଲା। ପରେ ୱାର୍ଡର ଓ ଜେଲରଙ୍କୁ ସେମାନେ ସଂଘବଦ୍ଧ ଆକ୍ରମଣ କରିବା ସହ ବ୍ଲେଡ୍‌ରେ ରକ୍ତାକ୍ତ କରିଥିଲେ। ଫଳରେ ଜେଲର ପ୍ରସନ୍ନଙ୍କ ହାତ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ସେହିପରି ଦୁଇ ଓ୍ବାର୍ଡରଙ୍କର ମଧ୍ୟ ଗଭୀର ଆଘାତ ଲାଗିଛି। ପରିସ୍ଥିତି ଅଣାୟତ୍ତ ହୋଇପଡ଼ିବାରୁ ଜେଲରଙ୍କ ନିର୍ଦ୍ଦେଶକ୍ରମେ ଏମର୍ଜେନ୍ସି ସାଇରନ୍‌ ବଜାଯାଇଥିଲା। ଅନ୍ୟପକ୍ଷରେ ପ୍ରାୟ ୧୫ବର୍ଷ ପରେ ଝାରପଡ଼ା ଜେଲରେ ଏମର୍ଜେନ୍ସି ସାଇରନ୍‌ ଶୁଣି ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା। ଏହାପରେ ଲକ୍ଷ୍ମୀସାଗର ଥାନାଧିକାରୀ ଓ ଗୋଟିଏ ପ୍ଲାଟୁନ୍‌ ଫୋର୍ସ ଜେଲ ଭିତରେ ପହଞ୍ଚତ୍ ତନାଘନା କରିବା ପରେ ପରିସ୍ଥିତିରେ ସୁଧାର ଆସିଥିଲା। ତେବେ ବାରମ୍ବାର ଝାରପଡ଼ା ଜେଲରେ ଆପରାଧିକ କାଣ୍ଡ ଘଟୁଥିବାରୁ ବିଭିନ୍ନ ମହଲରେ ଚର୍ଚ୍ଚା ସୃଷ୍ଟି ହୋଇଛି। କେତେବେଳେ କଏଦୀ ତ ଆଉ କେତେବେଳେ ଜେଲ କର୍ମଚାରୀ ଓ ଅଧିକାରୀଙ୍କୁ ଆକ୍ରମଣ ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.3 ° C
    18.3 °
    18.3 °
    68 %
    1.5kmh
    4 %
    Sun
    28 °
    Mon
    27 °
    Tue
    30 °
    Wed
    29 °
    Thu
    23 °

    ସମ୍ବନ୍ଧିତ