ନରସିଂହପୁର : ମା ଭଟ୍ଟାରିକାଙ୍କ ପୀଠରେ ଚଳିତ ବର୍ଷର ଦ୍ୱିତୀୟ ଥର ପାଇଁ ବନ୍ୟା ଜଳ ମା’ଙ୍କ ବେଢା ଛୁଇଁଛି । ମହାନଦୀର ଜଳସ୍ତର ବଢ଼ିବା ସହ ମନ୍ଦିର ବେଢ଼ାରେ ବନ୍ୟା ପାଣି ପ୍ରବେଶ କରିଛି । ଫଳରେ କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର ଛୁଇଁଲା ମହାନଦୀ ବନ୍ୟାଜଳ। ବର୍ତ୍ତମାନ ମନ୍ଦିର ପରିସର ଭିତରେ ପ୍ରାୟ ୬ ଫୁଟର ପାଣି ପ୍ରବାହିତ ହେଉଛି । ବନ୍ୟାଜଳ ପ୍ରବାହିତ ହେଉଥିବାରୁ ସମଗ୍ର ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି । ତେଣୁ ଏପରି ସ୍ଥିତିରେ ମାଆଙ୍କୁ ଅସ୍ଥାୟୀ ଆଶ୍ରୟ ସ୍ଥଳକୁ ନିଆଯାଇଛି । ସେଠାରେ ନିୟମିତ ଭାବେ ମା’ଙ୍କର ନୀତିକାନ୍ତି ଓ ପୂଜାର୍ଚ୍ଚନା ଜାରି ରହିଛି । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାରୁ ଗେଟ୍ ଖୋଲାଯାଇଛି । ଦୁଇ ଦିନର ଲଗାଣ ବର୍ଷା ଯୋଗୁ ମନ୍ଦିର ବେଢ଼ାରେ ବନ୍ୟାଜଳ ପ୍ରବେଶ କରିଛି।
ସେପଟେ ବନ୍ୟା ପାଣି ଯୋଗୁଁ ମନ୍ଦିର ପରିସରରେ ଭକ୍ତଙ୍କ ପ୍ରବେଶ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ପ୍ରଶାସନ ପରିସ୍ଥିତି ଉପରେ କଡ଼ା ନଜର ରଖିଥିବା ବେଳେ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
