Saturday, March 28, 2026
25 C
Odisha

    ଭାରତର ଯୁବକମାନେ ହେଉଛନ୍ତି ଦେଶର ସବୁଠାରୁ ବଡ଼ ସମ୍ପଦ: କେନ୍ଦ୍ରମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ଆଜି ଭୁବନେଶ୍ୱର ଠାରେ ଯୁବ ପ୍ରବାସୀ ଭାରତୀୟ ଦିବସ ସମାରୋହକୁ ସମ୍ବୋଧିତ କରି ପ୍ରବାସୀମାନଙ୍କୁ ଏକ ପ୍ରଭାବଶାଳୀ ବାର୍ତ୍ତା ଦେଇଛନ୍ତି। ଏକ ବିକଶିତ ଏବଂ ସମୃଦ୍ଧ ଭାରତ ଗଠନରେ ସହଯୋଗ କରିବା ପାଇଁ ବିଦେଶରୁ ନିଜର ଅଭିଜ୍ଞତା ଏବଂ ସର୍ବୋତ୍ତମ କାର୍ଯ୍ୟ ପଦ୍ଧତି ନେଇ ଆସିବା ପାଇଁ ସେ ପ୍ରବାସୀମାନଙ୍କୁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରକ୍ଷା ନିଖିଲ ଖଡ଼ସେ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପବିତ୍ର ମାର୍ଗେରିଟା ଉପସ୍ଥିତ ଥିଲେ।

    ଉଦଘାଟନୀ ଅଭିଭାଷଣରେ ଡକ୍ଟର ମାଣ୍ଡଭୀୟ କହିଥିଲେ, ଭାରତର ଭବିଷ୍ୟତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଦୂରଦୃଷ୍ଟିପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହା ଆଜାଦି କା ଅମୃତ ମହୋତ୍ସବ ଅଧୀନରେ ଭାରତର ସ୍ୱାଧୀନତା ପ୍ରାପ୍ତିକୁ ୭୫ ବର୍ଷ ପୂର୍ତ୍ତି ଆକାରରେ ରେଖାଙ୍କିତ ହୋଇଛି। ଏକ ବିକଶିତ ରାଷ୍ଟ୍ରର ଏହି ଲକ୍ଷ୍ୟକୁ ସାକାର କରିବାରେ ଯୁବବର୍ଗଙ୍କ କେନ୍ଦ୍ରୀୟ ଭୂମିକା ଉପରେ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

    ମହାତ୍ମା ଗାନ୍ଧୀଙ୍କ ପରିବର୍ତ୍ତନକାରୀ ଯାତ୍ରାରୁ ପ୍ରେରଣା ନେଇ ଡକ୍ଟର ମାଣ୍ଡଭୀୟ କହିଥିଲେ, ଦକ୍ଷିଣ ଆଫ୍ରିକାରେ ରହଣି ସମୟରେ ଗାନ୍ଧିଜୀ ହାସଲ କରିଥିବା ଶିକ୍ଷା ଭାରତର ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲା। ଭାରତର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ସାରା ବିଶ୍ୱରୁ ସମାନ ଅଭିଜ୍ଞତା ଏବଂ ସର୍ବୋତ୍ତମ କାର୍ଯ୍ୟପଦ୍ଧତି ନେଇ ଆସିବା ପାଇଁ ସେ ପ୍ରବାସୀମାନଙ୍କୁ ଉତ୍ସାହିତ କରିଥିଲେ।

    ‘‘ଭାରତର ଯୁବକମାନେ ହେଉଛନ୍ତି ଦେଶର ସବୁଠାରୁ ବଡ଼ ସମ୍ପଦ। ଭାରତରେ ପ୍ରତି ୨୦ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ବୟସ ୩୫ ବର୍ଷରୁ କମ୍ ଏବଂ ଯୁବବର୍ଗଙ୍କ ହାରାହାରି ବୟସ ୨୯ବର୍ଷ ହୋଇଥିବାରୁ ଆଗାମୀ ବର୍ଷଗୁଡ଼ିକରେ ଆମ ଦେଶ ବିଶ୍ୱର ନେତୃତ୍ୱ ନେବାର ସ୍ଥିତିରେ ରହିଛି। ପ୍ରବାସୀମାନଙ୍କ ଯୋଗଦାନ ‘‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ’’ର ପରିକଳ୍ପନାକୁ ସାକାର କରିବାରେ ସହାୟକ ହୋଇପାରିବ, ଯାହା ଏକତା, ବିକାଶ, ବିଶ୍ୱାସ ଏବଂ ସାମୂହିକ ପ୍ରୟାସର ଗୁରୁତ୍ୱକୁ ରେଖାଙ୍କିତ କରିଥାଏ,’’ ଡକ୍ଟର ମାଣ୍ଡଭୀୟ କହିଥିଲେ।

    ସେ କହିଥିଲେ, ପରିବର୍ତ୍ତିତ ବିଶ୍ୱ ପରିଦୃଶ୍ୟର ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତର କ୍ଷମତା ଏବଂ ସାମର୍ଥ୍ୟ ରହିଛି। ଅଭିବୃଦ୍ଧି ଓ ନବସୃଜନ ପାଇଁ ଭାରତର ବଜାର, ଯୁବବର୍ଗ ଏବଂ ମାନବ ସମ୍ବଳ, ବ୍ୟାପକ ସୁଯୋଗ ପ୍ରଦାନ କରିଥାଏ। ଯୁବବର୍ଗଙ୍କୁ ସଶକ୍ତ କରିବା ଓ ସେମାନଙ୍କ ସଫଳତା ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଲାଗି ସରକାର ଗତ ଦଶନ୍ଧି ମଧ୍ୟରେ ନିର୍ଣ୍ଣାୟକ ପଦକ୍ଷେପ ନେଇଛନ୍ତି।

    ମନ୍ତ୍ରୀ ଆହୁରି ମଧ୍ୟ ବିଶ୍ୱବ୍ୟାପୀ ପ୍ରବାସୀ ଭାରତୀୟଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ବିଷୟରେ ଉଲ୍ଲେଖ କରିଥିଲେ; ବିଶେଷ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେମାନଙ୍କ ଅବଦାନ ସମ୍ପର୍କରେ କହିଥିଲେ ଯେଉଁଥିରେ ଅନେକ ଡାକ୍ତର, ନର୍ସ ଏବଂ ସିଇଓ ବିଦେଶରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି। ଡକ୍ଟର ମାଣ୍ଡଭୀୟ ମଧ୍ୟ କୋଭିଡ-୧୯ ମହାମାରୀ ସମୟରେ ଭାରତର ମୁକାବିଲା ପ୍ରୟାସ ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଥିରେ ଭାରତ ବିଶ୍ୱର ବିଭିନ୍ନ ଦେଶକୁ ଜରୁରି ଔଷଧ ଯୋଗାଇଥିଲା, ଯାହା ଭାରତର ନେତୃତ୍ୱ ଏବଂ ଆତ୍ମନିର୍ଭରଶୀଳତାକୁ ଦର୍ଶାଇଥାଏ। ‘‘ଭାରତ ଏବଂ ବିଶ୍ୱ ମଧ୍ୟରେ ସେତୁ ନିର୍ମାଣ କରିବାରେ ପ୍ରବାସୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ସେମାନଙ୍କର ଅମୂଲ୍ୟ ଯୋଗଦାନ ଜାରି ରଖିବାକୁ ମୁଁ ପ୍ରବାସୀମାନଙ୍କୁ ଆହ୍ୱାନ କରୁଛି,’’ ଡକ୍ଟର ମାଣ୍ଡଭୀୟ ଶେଷ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25 ° C
    25 °
    25 °
    50 %
    2.3kmh
    30 %
    Sat
    39 °
    Sun
    40 °
    Mon
    40 °
    Tue
    38 °
    Wed
    38 °

    ସମ୍ବନ୍ଧିତ