ଇସ୍ରାଏଲ ଓ ହମାସ ଭିତରେ ଯୁଦ୍ଧ ବିରାମ ହୋଇସାରିଛି । ଏହାପରେ ହମାସ ଏଭଳି କିଛି କରିବାକୁ ଯାଉଛି, ଯାହା ଭାରତ ପାଇଁ ବିପଦ ଆଣିବ । ରିପୋର୍ଟ ମୁତାବକ ଜୈଶ-ଏ-ମହମ୍ମଦ ଓ ଲସ୍କର-ଏ-ତୋଇବା ପାକିସ୍ତାନ ଦଖଲରେ ଥିବା କାଶ୍ମୀରର ପିଓକେରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି । ଏହି ବୈଠକରେ ହମାସର କିଛି ମୁଖ୍ୟ ନେତୃତ୍ୱ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଜୈଶ ଆତଙ୍କୀ ସଂଗଠନର ମୁଖ୍ୟ ମସୁଦ ଅଜହର ବି ରହିବେ । ଏହି କାର୍ଯ୍ୟକ୍ରମ ରାୱଲକୋଟରେ ହେବ, ଏହି ସ୍ଥାନ ଆତଙ୍କୀମାନଙ୍କ ପାଇଁ ଲଂଚପ୍ୟାଡ ଭଳି କାମ କରିଥାଏ । ଏବେଠାରୁ ଏହି ସ୍ଥାନରେ ହମାସ ନେତାଙ୍କର ପୋଷ୍ଟର ଲାଗିସାରିଲାଣି । ସେପଟେ ଜମ୍ମୁ-କାଶ୍ମୀରରେ ଲଗାତର ଭାବେ ସେନାର ଚାପ ପଡୁଥିବାରୁ ଜୈଶ ଭଳି ଆତଙ୍କୀ ସଂଗଠନ ଦୁର୍ବଳ ହୋଇସାରିଛି । ଏହି କାରଣରୁ ଆତଙ୍କୀ ସଂଗଠନ ସ୍ଥାନୀୟ ଲୋକଙ୍କ ସମର୍ଥନ ଯୋଗାଡ କରିବାକୁ ହମାସର ସହାୟତା ଲୋଡିଛି । ପିଓକେରେ ସାବିର ସହିଦ ଷ୍ଟାଡିୟମ, କାଶ୍ମୀର ସଲିଡାରୀ ଆଣ୍ଡ ଅଲ ଅକସା ଫ୍ଲଡ କନଫରେନ୍ସ ନାମରେ ଫେବୃଆରୀ ୫ ତାରିଖ ଅର୍ଥାତ ଆଜି ଏହି ବୈଠକ କରାଯାଇଛି ।
ହମାସ ନେତାମାନଙ୍କ ପିଓକେରେ ଉପସ୍ଥିତି ଭାରତ ପାଇଁ ଶୁଭ ଖବର ନୁହେଁ । ଏବେ ସମୟ ଆସିଛି ଭାରତ ବି ହମାସକୁ ଏକ ଆତଙ୍କୀ ସଂଗଠନ ଭାବେ ଘୋଷଣା କରିବାର । କାରଣ ଏପର୍ଯ୍ୟନ୍ତ ଭାରତ ହମାସକୁ ଏକ ଆତଙ୍କୀ ସଂଗଠନ ଭାବେ ଗ୍ରହଣ କରିନାହିଁ । ଭାରତ ଲଗାତର ଭାବେ ପାଲେଷ୍ଟାଇନକୁ ସମର୍ଥନ ଜଣାଇଛି । ଇସ୍ରାଏଲ ଏହାକୁ ନେଇ ବାରମ୍ବାର ଭାରତ ଠାରେ ହମାସକୁ ଏକ ଆତଙ୍କୀ ସଂଗଠନ ଭାବେ ଘୋଷଣା କରିବାକୁ ଦାବି ଉଠାଉଛି ।
ଗତବର୍ଷ ଅଗଷ୍ଟ ମାସରେ ହମାସ ଓ ଲସ୍କର ସଂଗଠନର ଆତଙ୍କୀ ସୈଫୁଲ୍ଲା ମଧ୍ୟରେ ଏକ ବୈଠକ ହୋଇଥିଲା । କତରର ରାଜଧାନୀ ଦୋହାରେ ହମାସ ନେତା ଖାଲିଦ ମେଶାଲ ସହ ହୋଇଥିବା ବୈଠକକୁ ନେଇ ଭାରତ ସଚେତନ ଥିଲା । ଏହି ଭେଟ ପରେ କୁହାଯାଇଥିଲା କି, ହମାସ ମୁଖ୍ୟ ଇସ୍ମାଇଲ ହାନିଆର ହତ୍ୟାକୁ ନେଇ ସମବେଦନା ଜଣାଇବାକୁ ସୈଫୁଲ୍ଲା ମେଶାଲକୁ ଭେଟିଥିଲା ।