Friday, December 19, 2025
25.7 C
Odisha

    ଭିନ୍ନ ପରମ୍ପରା ବଉଳ ଅମାବାସ୍ୟା, ଧୁମ୍‌ଧାମ୍‌ରେ ପାଳନ କଲେ ଶୋବନି ଗାଁର ମହିଳା

    ଆଗକୁ ପଢନ୍ତୁ

    ପିପିଲି: ଏମିତି କିଛି ପରମ୍ପରା ରହିଛି ଯାହାକି ଆମ ଜୀବନ ଜୀବିକା ସହ ଖୁବ୍ ନିବିଡ଼  । ଆମ ସାମାଜିକ ବନ୍ଧନର ଦୃଢତାକୁ ଏହା ନିର୍ଦ୍ଧାରଣ କରିଥାଏ । ସେମିତି ଏକ ପରମ୍ପରା ହେଉଛି  ବଉଳ ଅମାବାସ୍ୟା । ତେବେ ଏହି ବଉଳ ଅମାବାସ୍ୟାକୁ ବେଶ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଳକର ଶୋବନି ଗାଁର ମହିଳାମାନେ  l

    ଆମେ ଅନେକ ସମୟରେ ବୃକ୍ଷକୁ ବିଭିନ୍ନ ଠାକୁରଙ୍କ ପ୍ରତୀକ ଭାବରେ ପୂଜା କରିଥାଉ । ଏହି ପୂଜା ପାର୍ବଣ ମଧ୍ୟରେ ଏକ ପରମ୍ପରା ହେଉଛି  ବଉଳ ଅମାବାସ୍ୟା । ଏଥିପାଇଁ ବେଶ ଉତ୍ସବ ମୁଖର ହୋଇଥାଏ ପୁରପଲ୍ଲୀ । ଏହି ପର୍ବରେ ଆମ୍ବ ଗଛ ମୂଳକୁ ଶୁଦ୍ଧ ପୂତ ଭାବରେ ଲିପା ପୋଛା କରିଥାନ୍ତି ମହିଳାମାନେ । ଗଛକୁ ବିଭିନ୍ନ ଫୁଲରେ ସଜାଇ ପୂଜା ପାଇଁ ପ୍ରସ୍ତୁତି କରନ୍ତି । ବିଭିନ୍ନ ପ୍ରକାର ପିଠା କରି ଭୋଗ ଲଗାନ୍ତି ମହିଳାମାନେ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଳକର ଶୋବନି ଗାଁରେ ମହିଳାମାନେ ନିଷ୍ଠାର ସହ ଏହି ବ୍ରତ ପାଳନ କରିଛନ୍ତି l

    ଏହି ବଉଳ ଅମାବାସ୍ୟାର ମୁଖ୍ୟ ଭୋଗ ହେଉଛି ଗଇଁଠା ପିଠା । ଯାହାକୁ ପ୍ରସ୍ତୁତ କରିବାରେ ଲାଗି ପଡ଼ିଥାନ୍ତି ଘରର ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ । ମାଟି ଚୁଲିରେ ପିଠା ପ୍ରସ୍ତୁତ କରି ସଂଧ୍ୟାରେ ପିଠାକୁ ଧରି ପହଁଚି ଯାଆନ୍ତି ଆମ୍ବ ଗଛ ନିକଟରେ । ସେଠାରେ ପୂଜାର୍ଚ୍ଚନା କରାଯାଇଥାଏ ଆମ୍ବ ଗଛକୁ । ଧୂପ ଦୀପ ନୈବେଦ୍ୟ ଦେଇ ହୋଇଥାଏ ପୂଜାର୍ଚ୍ଚନା । ବିଶେଷ କରି ଆମ୍ବ ଗଛ ବଉଳରୁ ମହୁମାଛି ଅଧିକ ମହୁ ସଂଗ୍ରହ କରିଥାଏ । ସେଥିପାଇଁ ବଉଳକୁ କିପରି ଅଧିକ ସୁରକ୍ଷିତ ରଖା ଯାଇପାରିବ ସେଥିପାଇଁ ଏହି ଗଛକୁ ପୂଜା କରାଯାଇଥାଏ ବୋଲି ବିଶ୍ୱାସ ରହିଛି । ଏହି ବଉଳକୁ କୁମାରୀ ଝିଅ ଓ ସ୍ତ୍ରୀ ଲୋକମାନେ ପରସ୍ପରକୁ ଖୁଆଇ ସାରା ଜୀବନ ବଉଳ ବୋଲି ଡାକିଥାନ୍ତି ବୋଲି ଲୋକକଥା ରହିଛି ।

    ବ୍ୟସ୍ତ ବହୁଳ ଆମ ଜୀବନ ମଧ୍ୟରେ ବଜାୟ ରହିଛି ଅନେକ ପରମ୍ପରା । ଆଉ  ମନୁଷ୍ୟ ଓ ବୃକ୍ଷ ମଧ୍ୟରେ ଥିବା ସମ୍ପର୍କକୁ ଉଜ୍ଜିବିତ କରି ପାରିଛି ଏହି ପରମ୍ପରା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    25 %
    3kmh
    0 %
    Fri
    23 °
    Sat
    27 °
    Sun
    27 °
    Mon
    27 °
    Tue
    28 °

    ସମ୍ବନ୍ଧିତ