ମହାରାଷ୍ଟ୍ର : ଆଜି ସକାଳୁ ମହାରାଷ୍ଟ୍ରର ହିଙ୍ଗୋଲିରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୪.୭ ଥିବା ଜଣାପଡିଛି । ପାଙ୍ଗରା ସିନ୍ଦେ ଗାଁରେ କିଛି ଘର ଏବଂ ଏକ କମ୍ୟୁନିଟି ହଲରେ ଫାଟ ଦେଖାଦେଇଛି ବୋଲି ହିଙ୍ଗୋଲି କଲେକ୍ଟର ରାହୁଲ ଗୁପ୍ତା କହିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷତିର କୌଣସି ସୂଚନା ମିଳିନାହିଁ ।
ସୂଚନାନୁଯାୟୀ, ଆଜି ସକାଳ ପ୍ରାୟ ୮ଟା୪୫ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦ କିଲୋମିଟର ଗଭୀରରେ ଥିଲା । ନିକଟସ୍ଥ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା ବୋଲି ମଧ୍ୟ ଅଧିକାରୀ କହିଛନ୍ତି । ଏଥିସହ ସୁରକ୍ଷା ପ୍ରୋଟୋକଲ ମାନିବାକୁ ସ୍ଥାନୀୟ ଲୋକଙ୍କୁ ସ୍ଥାନୀୟ କର୍ତ୍ତୁପକ୍ଷ ନିବେଦନ କରିଛନ୍ତି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନାନ୍ଦେଡ଼ ଏବଂ ପରଭାନୀରେ ଜରୁରୀକାଳୀନ ପ୍ରତିକ୍ରିୟା ଦଳଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି । ସୁରକ୍ଷା ବ୍ୟବସ୍ଥା ସ୍ୱରୂପ ଟିଣ ଛାତ ଥିବା ଘରର ବାସିନ୍ଦାମାନଙ୍କୁ ଭାରୀ ପଥର ହଟାଇବା ଏବଂ ବୋଲ୍ଟ ସାହାଯ୍ୟରେ ଚାଦରଗୁଡ଼ିକୁ ସୁରକ୍ଷିତ ରଖିବାକୁ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି । ଭୂମିକମ୍ପର ସ୍ଥିତି ସମ୍ପର୍କରେ ଜରୁରୀକାଳୀନ ହେଲ୍ପଲାଇନକୁ କଲ୍ କରି ପ୍ରଶାସନକୁ ଜଣାଇବାକୁ ପରାମର୍ଶ ମଧ୍ୟ ଦିଆଯାଇଛି ।
