Sunday, September 27, 2026
21.7 C
Odisha

    ମଣ୍ଡିରେ ଭିଜୁଛି ଧାନ, ମିଲରଙ୍କ ମନମାନି ନେଇ ବଢୁଛି ଚାଷୀ ଅସନ୍ତୋଷ

    ଆଗକୁ ପଢନ୍ତୁ

    ଭଦ୍ରକ: ଭଦ୍ରକ ଜିଲ୍ଲାରେ ମିଲରଙ୍କ ମନମାନି ଯୋଗୁ ମଣ୍ଡିରେ ପଡ଼ି ରହିଛି ଟ୍ରକ୍‌ଟ୍ରକ୍‌ ଧାନ। ଚାଷୀଙ୍କ ଠାରୁ ଧାନ କିଣା ହୋଇ ମଧ୍ୟ ମଣ୍ଡିରୁ ମିଲକୁ ଉଠି ପାରୁନି ଧାନ। ଫଳରେ ଖରା ବର୍ଷା ଏବଂ ଶୀତ କାକରରେ ପଡି ରହିଛି ଚାଷୀଙ୍କ ଟ୍ରକ୍‌ଟ୍ରକ୍‌ ଧାନ। ଗତ ଦୁଇ ଦିନର କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷାରେ ମଣ୍ଡିରେ ଭିଜିଛି ହଜାର ହଜାର ଚାଷୀଙ୍କ ଧାନ। ଧାନ ବସ୍ତା ସବୁ ମଣ୍ଡିରେ ଖୋଲା ଆକାଶ ତଳେ ପଡି ଥିବା ବେଳେ ଆଉ କେଉଁଠି ପଲିଥିନ ଉଡ଼ି ଯାଇଥିବାରୁ ଧାନ ବସ୍ତା ଭିଜି ଗଲାଣି। ଚାଷୀର ଧାନ ବସ୍ତରେ ରହି ଗଜା ହୋଇଯିବାର ଆସଙ୍କା ଦେଖା ଯାଇଛି। ଭଦ୍ରକ ଜିଲ୍ଲାରେ ଧାନ କିଣାର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ବିଭିନ୍ନ ମଣ୍ଡିରେ। ଚାଷୀର ଏଇ ସମସ୍ୟା ପ୍ରତି କାହାର ନିଘା ନାହିଁ।
    ପ୍ରକାଶ ଥାଉ କି, ମିଲରମାନେ ମଣ୍ଡିରୁ ଧାନ ଉଠାଇବାକୁ ନିୟମିତ ଭାବେ ଟ୍ରକ ପଠାଉ ନ ଥିବାରୁ ମଣ୍ଡିରେ ବିକ୍ରି ଅପେକ୍ଷାରେ ପଡ଼ି ରହିଛି ଚାଷୀଙ୍କ ଧାନ। ଚଳିତବର୍ଷ ସରକାର ଚାଷୀଙ୍କୁ ସେମାନଙ୍କ ଧାନ ମିଲ ପରିବର୍ତ୍ତେ ମଣ୍ଡିକୁ ଆଣିବାକୁ ବାଧ୍ୟତାମୂଳକ କରିଛନ୍ତି। କାରଣ ମିଲରେ ମିଲରମାନେ ମନ ଇଚ୍ଛା ଚାଷୀଙ୍କ ଧାନରୁ କାଟେଣୀ ଛଟଣୀ କାଟିବା ଯୋଗୁ ଜିଲ୍ଲବ୍ୟାପି ତୀବ୍ର ଚାଷୀ ଅସନ୍ତୋଷ ଦେଖା ଦେଇଥିଲା। ଚାଷୀଙ୍କ ସ୍ୱାର୍ଥ ରକ୍ଷା ସକାଶେ ସରକାର ମିଲ ପରିବର୍ତ୍ତେ ମଣ୍ଡିକୁ ଧାନ ଆଣିବା ବ୍ୟବସ୍ଥାକୁ କଡ଼ାକଡି କରିଛନ୍ତି। ଫଳରେ ଟୋକନ ପାଇଥିବା ଚାଷୀ ଝୁଟ ଅଖା ରେ ଧାନ ଭର୍ତ୍ତି କରି ମଣ୍ଡିକୁ ଆଣୁଛନ୍ତି। ସେଠାରେ ମିଲର ପ୍ରତିନିଧିଙ୍କ ଉପସ୍ଥିତିରେ ଧାନ କଣ୍ଟା ହୋଇ ମିଲକୁ ଯାଉଛି।
    ତେବେ ମିଲରମାନଙ୍କ ମନମାନି ଯୋଗୁ ଅଧିକାଂଶ ମଣ୍ଡିକୁ ନିୟମିତ ଭାବେ ମିଲରଙ୍କ ଟ୍ରକ ଆସୁନାହିଁ। ପ୍ରତିଦିନ ମଣ୍ଡିରେ ୬୦୦ରୁ ୮୦୦ କୁଇଣ୍ଟାଲ ଧାନ କିଣା ହେଉଛି।ମଣ୍ଡିରେ ସର୍ବାଧିକ ୩ ହଜାର କୁଇଣ୍ଟାଲ ପର୍ଯ୍ୟନ୍ତ ଧାନ ମହଜୁଦ ରଖିବାକୁ ବ୍ୟବସ୍ତା ରହିଛି। ପ୍ରତି ତିନି ଚାରି ଦିନରେ ମଣ୍ଡି ଯାମ ହୋଇ ଯାଉଛି। ହେଲେ ମିଲରଙ୍କ ଗାଡି ପାଞ୍ଚରୁ ସାତ ଦିନରେ ଥରେ ମଣ୍ଡି କୁ ଆସୁଛି। ଫଳରେ ମଣ୍ଡିରୁ ଧାନ ଉଠି ନପାରି ପଡିରହୁଛି।
    ଜିଲ୍ଲା ଯୋଗାଣ ନିଗମ ସୂଚନା ଅନୁଯାଇ, ଆଜି ସୁଦ୍ଧା ଜିଲ୍ଲାରେ ୬ ଲକ୍ଷ ୫୯ ହଜାର କୁଇଣ୍ଟାଲ ଧାନ କିଣା ହୋଇଥିବା ବେଳେ ସେଥିରୁ ୫ ଲକ୍ଷ ୧୦ ହଜାର କୁଇଣ୍ଟାଲ ଧାନ ମିଲକୁ ଉଠିଥିବା ବେଳେ ଅବଶିଷ୍ଟ୧ ଲକ୍ଷ,୪୯ ହଜାର କୁଇଣ୍ଟାଲ ଧାନ ବିଭିନ୍ନ ମଣ୍ଡିରେ ପଡ଼ିରହିଛି। ମଣ୍ଡିରୁ ଧାନ ଉଠୁନଥିବାରୁ ଧାନ କିଣା ମଧ୍ୟ ବିଳମ୍ବିତ ହେଉଛି।ଟ୍ୟାଗିଙ୍ଗ ମିଲରମାନଙ୍କୁ ମଣ୍ଡିରୁ ତୁରନ୍ତ ଧାନ ଉଠାଇବାକୁ ଜିଲ୍ଲା ଯୋଗାଣ ନିଗମ ପକ୍ଷରୁ ତନାଘନା କରାଯାଉଛି। କିନ୍ତୁ ମିଲର ଏଥିପ୍ରତି କର୍ଣ୍ଣପାତ କରୁନଥିବା କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା। ଧାନ ସଂଗ୍ରହରେ ଜିଲ୍ଲା ମିଲରଙ୍କ ଟାଳଟୁଲ ନୀତି ଯୋଗୁ ନିଗମ ପକ୍ଷରୁ ବାହାର ଜିଲ୍ଲାରୁ ଅଧିକ ୨୫ ମିଲର ଡକାଇଛନ୍ତି। ବର୍ତ୍ତମାନ ସୁଦ୍ଧା ସେଥିରୁ ୧୭ ଜଣ ମିଲର ଧାନ ସଂଗ୍ରହରେ ସାମିଲ ହୋଇଛନ୍ତି। ବାହାର ମିଲର ଭଦ୍ରକରୁ ଧାନ ଉଠାଇବା ପରେ ମଧ୍ୟ ଅବସ୍ଥା ସୁଧରୁନଥିବା ଯୋଗାଣ ଅଧିକାରୀ କହିଛନ୍ତି। ଜିଲ୍ଲାରେ ଧାନ ସଂଗ୍ରହ କରୁଥିବା ମିଲରଙ୍କ ତୁଳନାରେ ମଣ୍ଡି ସଂଖ୍ୟା ଅଧିକ ହୋଇଥିବା ଯୋଗୁ ଏହି ପରିସ୍ଥିତି ସୃଷ୍ଟି ହେଉଥିବା ଯୋଗାଣ ଅଧିକାରୀ କଗିଛନ୍ତି।
    ସୂଚନାଯୋଗ୍ୟ ଯେ ଚଳିତବର୍ଷ ଜିଲ୍ଲାରେ ସୋସାଇଟି ଏବଂ ମହିଳା ଗୋଷ୍ଠୀଙ୍କୁ ମିଶାଇ ୧୫୯ ଗୋଟି ସଂସ୍ଥା ଚାଷୀଙ୍କ ଠାରୁ ଧାନ କିଣିବାକୁ ନିୟୋଜିତ ହୋଇଛନ୍ତି। ଏଥିରୁ ୭ଟି ବ୍ଲକ୍‌ରେ ମିତ ୧୦୨ ଟି ସମବାୟ ସମିତି ଓ ୫୭ ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସାମିଲ ହୋଇଛି। ଜିଲ୍ଲାରେ ମୋଟ ୮୯ ହଜାର ୭୨୦ ଚାଷୀ ସରକାରୀ ମଣ୍ଡିରେ ଧାନ ବିକ୍ରି କରିବାକୁ ନାମ ପଞ୍ଜିକରଣ କରିଥିବା ବେଳେ ସରକାର ଏହି ସବୁ ଚାଷୀଙ୍କ ଠାରୁ ଚଳିତ ବର୍ଷ ମୋଟ ୨୩ ଲକ୍ଷ ୫୨ ହଜାର କୁଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ ରଖିଛି। ମାତ୍ର ଏବେ ସୁଦ୍ଧା ମାତ୍ର ୬ ଲକ୍ଷ ୫୯ କୁଣ୍ଟାଲ ଧାନ କିଣା ଯାଇଛି। ଜିଲ୍ଲାରେ ଏବେ ସୁଦ୍ଧା ମାତ୍ର ୨୫ ପ୍ରତିଶତ ଧାନ କିଣା ଯାଇପାରି ନଥିବାରୁ ଚାଷୀଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ଅବସ୍ଥା ଭିତରେ ଅଦିନିଆ ବର୍ଷା ଚାଷୀ ପାଇଁ ଦାଉ ସାଜିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.7 ° C
    21.7 °
    21.7 °
    96 %
    1.3kmh
    39 %
    Sun
    29 °
    Mon
    30 °
    Tue
    30 °
    Wed
    30 °
    Thu
    31 °

    ସମ୍ବନ୍ଧିତ