୧୪୪ ବର୍ଷରେ ଆସିଥିବା ଚଳିତବର୍ଷର ମହାକୁମ୍ଭକୁ ନେଇ ଢେର୍ ଉତ୍ସାହ ଦେଖିବାକୁ ମିଳୁଛି । ଏହି ସର୍ବବୃହତ୍ ମାନବ ସମାବେଶ ପୃଥିବୀଠାରୁ ୪୫୦ କିମି ଦୂର ମହାକାଶରୁ ମଧ୍ୟ ଆଲୋକିତ ଦେଖାଯାଇଛି । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ମହାକୁମ୍ଭର ଦୁଇଟି ଫଟୋ ନିଆଯାଇଛି । ରାତି ସମୟରେ ଝିଲିମିଲି ଦେଖାଯାଉଥିବା ଏହି ଫଟୋ ବେଶ୍ ଅନନ୍ୟ ରହିଛି ।
ରାତିରେ ୟୁପିର ପ୍ରୟାଗରାଜ ଅତ୍ୟନ୍ତ ଆକର୍ଷଣୀୟ ଦେଖାଯାଉଛି । ନାସାର ମହାକାଶଚାରୀ Don Pettit ଏହି ଫଟୋ ସେୟାର କରିଛନ୍ତି । ସୋସିଆଲ ମିଡିଆରେ ସେୟାର ହୋଇଥିବା ଏହି ଫଟୋକୁ ବହୁତ ପସନ୍ଦ କରାଯାଉଛି ।
୬୯ ବର୍ଷୀୟ Don Pettit ବର୍ତ୍ତମାନ ଏକ୍ସପିଡିସନ୍ ୭୨ କ୍ରୁର ଅଂଶ ଭାବରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଅଛନ୍ତି । ରବିବାର ସେ ମହାକୁମ୍ଭ ମେଳାର ଦୁଇଟି ଫଟୋ ସେୟାର କରିଥିଲେ ।
ମହାକୁମ୍ଭ ମେଳା ଏକ ମହତ୍ତ୍ୱପୂର୍ଣ୍ଣ ହିନ୍ଦୁ ତୀର୍ଥ ଯାତ୍ରା । ଏହା ପ୍ରତି ୧୨ବର୍ଷ ବ୍ୟବଧାନରେ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ୧୪୪ ବର୍ଷ ପରେ ଏକ ବିଶେଷ ଯୋଗ ପଡ଼ିଛି । ଶେଷ ଥର ଏପରି ମହାକୁମ୍ଭ ୧୮୮୧ରେ ଆୟୋଜନ କରାଯାଇଥିଲା । ଏହି ଆୟୋଜନକୁ ଦୁନିଆର ସବୁଠୁ ବଡ଼ ମାନବ ସମାବେଶ ବୋଲି କୁହାଯାଉଛି, ଯେଉଁଥିରେ କୋଟି କୋଟି ତୀର୍ଥଯାତ୍ରୀ ଗଙ୍ଗା ନଦୀରେ ପବିତ୍ର ବୁଡ଼ ପକାଇବାକୁ ଆସିଥାଆନ୍ତି ।
ଗଙ୍ଗା ସ୍ନାନ ମହାକୁମ୍ଭର ଆଧ୍ୟାତ୍ମିକ ମହତ୍ୱକୁ ଜାଗ୍ରତ କରିଥାଏ । ୬ ସପ୍ତାହରେ ୪୦୦ ମିଲିୟନ ତୀର୍ଥଯାତ୍ରୀ ଏକତ୍ରୀତ ହେବେ । ଜାନୁୟାରୀ ୨୯ ସୁଦ୍ଧା ପାଖାପାଖି ୭ କୋଟି ଲୋକ ଗଙ୍ଗା ସ୍ନାନ କରିବେ । ଏହାପୂର୍ବରୁ ମହାକାଶ କେନ୍ଦ୍ର ୨୦୨୪ ଜାନୁୟାରୀରେ ଅଯୋଧ୍ୟାରେ ଶ୍ରୀରାମଜନ୍ମଭୂମିର ଫଟୋ ଉତ୍ତୋଳନ କରିଥିଲା ।
ଦୁଇ ଦିନ ତଳେ ଇସ୍ରୋ ପକ୍ଷରୁ ୨ ପ୍ରକାର ସାଟେଲାଇଟ୍ ଚିତ୍ର ଜାରି କରାଯାଇଥିଲା । ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ISRO)ର ରାଡାର ଇମେଜିଙ୍ଗ ଉପଗ୍ରହ ମହାକୁମ୍ଭର ଚିତ୍ର ପଠାଇଥିଲା । ଜାନୁଆରୀ ୧୩ରୁ ଫେବୃଆରୀ ୨୬ ପର୍ଯ୍ୟନ୍ତ ୪୫ ଦିନ ଧରି ଏହି ମହାକୁମ୍ଭ ଆୟୋଜନ କରାଯାଇଛି ।