ପୁରୀ : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ନିର୍ମିତ ଆନିମେଟେଡ୍ ଚଳଚ୍ଚିତ୍ର ‘ମହାପ୍ରଭୁ ଜଗନ୍ନାଥ’ର ରିଲିଜ୍ ଉପରେ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ରୋକ ଲଗାଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ବିଚାରପତି ଜଷ୍ଟିସ ଏମ୍ .ଏସ୍ . ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଜନସ୍ୱାର୍ଥ ମାମଲାର ଶୁଣାଣି କରି ପ୍ରଯୋଜନା ସଂସ୍ଥା ଏଲି ଆନିମେସନ୍ସ ପ୍ରାଇଭେଟ୍ ଲିମିଟେଡକୁ ଅଦାଲତଙ୍କ ଅନୁମତି ବିନା ଫିଲ୍ମ ରିଲିଜ ନ କରିବାକୁ ନିର୍ଦେଶ ଦେଇଛନ୍ତି । ଆବେଦନକାରୀ ମହେଶ କୁମାର ସାହୁଙ୍କ ଅନ୍ୟମାନଙ୍କ ପକ୍ଷରୁ ଦାୟର ଏହି ମାମଲାରେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି) ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରମାଣପତ୍ର ରଦ୍ଦ କରିବା ସହ ଓଡ଼ିଶାରେଚଳଚ୍ଚିତ୍ରର ପ୍ରଦର୍ଶନ ଓ ମୁକ୍ତିଲାଭ ଉପରେ ରୋକ ଲଗାଇବାକୁ ପ୍ରାର୍ଥନା କରିଛନ୍ତି ।
ଆବେଦନରେ ଦର୍ଶାଯାଇଛି ଯେ, ପ୍ରଯୋଜକ ସଂସ୍ଥା ଗତ ଜୁନ୍ ୬ରେ ୟୁଟ୍ୟୁବ୍ ରେ ଚଳଚ୍ଚିତ୍ରର ଟିଜର୍ ପ୍ରକାଶ କରିବା ପରେ ସାରା ଓଡ଼ିଶାରେ ଜଗନ୍ନାଥ ଭକ୍ତ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଆପତ୍ତି ଉଠିଥିଲା । ପରବର୍ତ୍ତୀ ସମୟରେ ଗଜପତି ମହାରାଜା ଓ ଶ୍ରୀମନ୍ଦିର ପ୍ରଶାସକଙ୍କ ଉପସ୍ଥିତିରେ ଚଳଚ୍ଚିତ୍ରର ସ୍ୱତନ୍ତ୍ର ସ୍କ୍ରିନିଂ କରାଯାଇଥିଲା । ସେଠାରେ ଚଳଚ୍ଚିତ୍ରର କେତେକ ଦୃଶ୍ୟକୁ ନେଇ ଆପତ୍ତି ଉଠିଥିଲା ଏବଂ ପ୍ରଯୋଜକ ଆବଶ୍ୟକୀୟ ସଂଶୋଧନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଫିଲ୍ମରେ ମହାପ୍ରଭୁ ଜଗନ୍ନାଥଙ୍କ ବାଲ୍ୟଲୀଳା, ସଂଳାପ ଏବଂ କେତେକ ଦୁଃସାହସିକ ଘଟଣାକୁ କାଳ୍ପନିକ ଭାବେ ଉପସ୍ଥାପନ କରାଯାଇଛି । ଅନ୍ୟପଟେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଦର୍ଶାଯାଇଥିଲା ଯେ, ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ କାଳ୍ପନିକ ଏବଂ ଏଥିରେ ଡିସ୍କ୍ଲେମର ମଧ୍ୟ ଦିଆଯାଇଛି ।
