ମହାରାଷ୍ଟ୍ର : ମୁମ୍ବାଇ ସମେତ ଆଖପାଖ ଜିଲ୍ଲାରେ ଅତ୍ୟଧିକ ବର୍ଷା ନେଇ ଆଜି IMD ରେଡ୍ ଆଲର୍ଟ ଜାରି କରିଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ହାଇ ଆଲର୍ଟ ଜାରି କରାଯାଇଛି ।
ସୂଚନାନୁଯାୟୀ, ମୁମ୍ବାଇ ସମେତ ଥାଣେ, ପାଲଘର, ରାୟଗଡ଼ ଏବଂ ରତ୍ନଗିରି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । IMD ଏହି ଅଞ୍ଚଳଗୁଡ଼ିକରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି । ଏହା ବ୍ୟତୀତ ସିନ୍ଧୁଦୁର୍ଗ ଏବଂ ନାସିକର ଘାଟ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାରି ମଧ୍ୟରେ କୋଙ୍କଣ ବେଲ୍ଟ ଏବଂ ଉତ୍ତର ମହାରାଷ୍ଟ୍ର ପ୍ରବଳ ବର୍ଷାର ସମ୍ମୁଖୀନ ହୋଇପାରେ ବୋଲି ଆଇଏମଡି ସ୍ପଷ୍ଟ କରିଛି । କିନ୍ତୁ ମହାରାଷ୍ଟ୍ର, ମରାଠୱାଡା ଏବଂ ବିଦର୍ଭରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ଜରୁରୀକାଳୀନ ଅପରେସନ୍ସ ସେଣ୍ଟର (SEOC) ସମସ୍ତ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ।
ସେପଟେ ଅଧିକାରୀମାନଙ୍କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ନିୟନ୍ତ୍ରଣ କକ୍ଷକୁ ୨୪ ଘଣ୍ଟା କାର୍ଯ୍ୟରେ ନିୟୋଜିତ ରହିବାକୁ,ପାଣି ନିଷ୍କାସନ କରିବାକୁ ପମ୍ପ ପ୍ରସ୍ତୁତ ରଖିବାକୁ,ନଦୀ ପ୍ରବାହ ଏବଂ ବନ୍ଧ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମରାମତି ଦଳ ଏବଂ ଚେନ୍ ସ ଏବଂ ପାୱାର ୟୁନିଟ୍କୁ ଜରୁରୀ ପରିସ୍ଥିତି ପାଇଁ ସଚେତନ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପଟେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ସମସ୍ତଙ୍କୁ ସତର୍କତାମୂଳକ ପଦକ୍ଷେପ ନେବାକୁ କଡ଼ା ପରାମର୍ଶ ଜାରି କରିଛନ୍ତି । ତଳିଆ ଅଞ୍ଚଳକୁ ଯିବାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଥିଲାବେଳେ ବର୍ଷା ସମୟରେ ନଦୀ, ନାଳ ଏବଂ ସେତୁଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହା ବ୍ୟତୀତ ବଜ୍ରପାତ ସମୟରେ ଗଛ ତଳେ ନ ରହିବାକୁ କହିଛନ୍ତି । ପାଗରେ ସୁଧାର ନ ଆସିବା ପର୍ଯ୍ୟନ୍ତ ପର୍ଯ୍ୟଟନସ୍ଥଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।