ମୁମ୍ବାଇ : ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ହେଲେ ସୁନେତ୍ରା ପାୱାର । ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା । ଅଜତି ପାୱାରଙ୍କ ବିମାନ ଦୁର୍ଘଟଣାରେ ଜୀବନ ଯିବା ପରେ ଏହି ପଦ ପାଇଁ ସୁନେତ୍ରାଙ୍କୁ ଚୟନ କରାଯାଇଥିଲା । NCP ବିଧାୟକ ଦଳର ବୈଠକରେ ସୁନେତ୍ରା ପାୱାରଙ୍କୁ ବିଧାୟକ ଦଳର ନେତା ଭାବେ ଆନୁଷ୍ଠାନିକ ଭାବେ ଚୟନ କରାଯାଇଥିଲା । ସୁନେତ୍ରା ପାୱାର ପୂର୍ବରୁ ଅଜିତ ପାୱାରଙ୍କ ପାଖରେ ଥିବା ଅର୍ଥ, ଅବକାରୀ ଓ କ୍ରୀଡ଼ା ବିଭାଗ ସମ୍ଭାଳିବେ ।
ଗତ ୨୮ ଜାନୁଆରୀରେ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଥିଲା । ଅଜିତ ପାୱାରଙ୍କ ପରଲୋକ ପରେ NCPରେ ନେତୃତ୍ୱର ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା, ତାକୁ ପୂରଣ କରିବା ପାଇଁ ପରିବାର ଏବଂ ଦଳୀୟ ନେତାମାନେ ସୁନେତ୍ରାଙ୍କ ନାମରେ ସହମତି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଏଥିରେ କୌଣସି ଆପତ୍ତି ନଥିବା ଜଣାଇଥିଲେ । ସୁନେତ୍ରା ପାୱାର ଜଣେ ଜଣାଶୁଣା ସମାଜସେବୀ । ସେ ୨୦୨୪ରୁ ରାଜ୍ୟସଭା ସାଂସଦ ଅଛନ୍ତି ।
ସୁନେତ୍ରା ପାୱାର ପୂର୍ବତନ ରାଜ୍ୟମନ୍ତ୍ରୀ ଏବଂ ଲୋକସଭା ସାଂସଦ ପଦ୍ମସିଂହ ପାଟିଲଙ୍କ ଝିଅ ଏବଂ ୧୯୮୫ ମସିହାରେ ଅଜିତ ପାୱାରଙ୍କୁ ବିବାହ କରିଥିଲେ। ସୁନେତ୍ରାଙ୍କର ଦୁଇଟି ପୁଅ, ପାର୍ଥ ଏବଂ ଜୟ ପାୱାର ଅଛନ୍ତି।

