ମୁମ୍ବାଇ : ମହାରାଷ୍ଟ୍ରର ମୁମ୍ବାଇର ମୁଲୁଣ୍ଡ (ପଶ୍ଚିମ) ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା । ଏଲବିଏସ ରୋଡରେ ନିର୍ମାଣାଧୀନ ଏକ ମେଟ୍ରୋ ପିଲରର ଗୋଟିଏ ଅଂଶ ହଠାତ୍ ଭାଙ୍ଗି ପଡ଼ିଥିଲା । ଭାଙ୍ଗି ପଡ଼ିଥିବା ସିମେଣ୍ଟ ତଳେ ଅନେକ ଗାଡ଼ି ଚାପି ହୋଇଛି । ପିଲରର କିଛି ଅଂଶ ଏକ ଅଟୋ-ରିକ୍ସା ଉପରେ ମଧ୍ୟ ପଡ଼ିଥିଲା, ଫଳରେ ସେଥିରେ ଯାତ୍ରା କରୁଥିବା ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବା ଜଣାପଡିଛି ।
ବିଏମସି ଅଧିକାରୀମାନେ କହିଛନ୍ତି ଯେ, ଦୁର୍ଘଟଣାଟି ପ୍ରାୟ ଦିନ ୧୨ଟା ୨୦ ମିନିଟ ସମୟରେ ଘଟିଥିଲା । ଏକ ଅଟୋ-ରିକ୍ସାରେ ଥିବା ୪ ଜଣ ଆହତ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ବଡ଼ ବଡ଼ ସିମେଣ୍ଟ ଖଣ୍ଡ ଅଟୋ-ରିକ୍ସାର ପଛ ଭାଗରେ ପଡ଼ିଥିଲା । ସୂଚନା ମିଳିବା ମାତ୍ରେ ରିଲିଫ୍ ଏବଂ ଉଦ୍ଧାର ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୁମ୍ବାଇ ଅଗ୍ନିଶମ ବାହିନୀ ତୁରନ୍ତ ଭଗ୍ନାବଶେଷ ସଫା କରିବା ଆରମ୍ଭ କରିଥିଲେ । ସ୍ଥାନୀୟ ପୋଲିସ, ମେଟ୍ରୋ ପ୍ରାଧିକରଣ ଅଧିକାରୀ, ୱାର୍ଡ ପ୍ରଶାସନ କର୍ମଚାରୀ ଏବଂ ୧୦୮ ଆମ୍ବୁଲାନ୍ସ ସେବା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇବା ଏବଂ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା କରାଯାଇଥିଲା ।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ନିର୍ମାଣାଧୀନ ପିଲରଟି ଦୁର୍ବଳ ଥିଲା । ତେବେ ଦୁର୍ଘଟଣାର ସଠିକ୍ କାରଣ କେବଳ ବୈଷୟିକ ତଦନ୍ତ ପରେ ଜଣାପଡ଼ିବ । ମେଟ୍ରୋ ପ୍ରକଳ୍ପରେ ଜଡିତ ଇଞ୍ଜିନିୟର ଏବଂ ଠିକାଦାର କମ୍ପାନିର ଅଧିକାରୀମାନଙ୍କୁ ମଧ୍ୟ ଘଟଣାସ୍ଥଳକୁ ଡକାଯାଇଛି । ପୋଲିସ ଅଞ୍ଚଳକୁ ଘେରାବନ୍ଦୀ କରିଛି ।

