ସୋର : ବାଲେଶ୍ୱର ଜିଲ୍ଲା ସୋର ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ବିଦ୍ୟୁତ୍ କାଟ ହେବାରୁ ମୋବାଇଲ ଲାଇଟରେ ଚାଲିଥିଲା ରୋଗୀ ସେବା ।ଅନ୍ଧାରରେ ଦିଆଯାଉଛି ଇଞ୍ଜେକ୍ସନ । ଡାକ୍ତରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କ ଦାୟିତ୍ୱହୀନତା ପାଇଁ ବିଭିନ୍ନ ସମୟରେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସୋର ଡାକ୍ତରଖାନାକୁ ପ୍ରତିଦିନ ସୋର, ବାହାନଗା, ସିମୁଳିଆ, ଖଇରା ଓ ଔପଦା ସମେତ ଭଦ୍ରକ ଜିଲ୍ଲାର ବାସୁଦେବପୁରକୁ ମିଶାଇ ୬ଟି ବ୍ଲକରୁ ହଜାରେରୁ ଅଧିକ ରୋଗୀ ଆସନ୍ତି । ହେଲେ କର୍ମଚାରୀଙ୍କ ଅବହେଳାରୁ ହନ୍ତସନ୍ତ ହେଉଛନ୍ତି ରୋଗୀ। ଯାହାକୁ ନେଇ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ସୂଚନାନୁଯାୟୀ, ସୋମବାର ସକାଳ ୮ଟାରୁ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ୍ ହୋଇଥିଲା। ସନ୍ଧ୍ୟା ହେବା ମାତ୍ରେ ନର୍ସ ରୁମ୍ ଓ ଇଞ୍ଜେକ୍ସନ ରୁମ୍ ଅନ୍ଧାର ହୋଇଯାଇଥିଲା । ଫଳରେ ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ଧରି ଅନ୍ଧାରରେ ଚାଲିଥିଲା ରୋଗୀ ସେବା । କରେଣ୍ଟ ଆସିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। ଏହି ଦୁଇଟି ରୁମରେ ଡିଜି ସଂଯୋଗ ନଥିବା ବେଳେ ଇନଭର୍ଟର ଲୋଡ୍ ନନେବାରୁ ଏପରି ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି ।
