Wednesday, May 27, 2026
30 C
Odisha

    ଯାତ୍ରୀ ନିରାପତ୍ତା ନେଇ ଗମ୍ଭୀର ପ୍ରଶ୍ନ: ଘାତକ ଡିସେମ୍ବର, ୬ ବିମାନ ଦୁର୍ଘଟଣାରେ ୨୩୪ ଜଣ ମୃତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୨୦୨୪ ଡିସେମ୍ବର ବିଶ୍ବ ବିମାନ ଚଳାଚଳ ପାଇଁ ଅଶାନ୍ତ ସାବ୍ୟସ୍ତ ହୋଇଛି। ଚଳିତ ମାସରେ ସମଗ୍ର ବିଶ୍ୱରେ ମୋଟ ୬ଟି ବିମାନ ଦୁର୍ଘଟଣା ଘଟିଛି, ଯେଉଁଥିରେ ୨୩୪ ଜଣଙ୍କର ମୃତ୍ୟୁ ହୋଇଛି। ଏହି ପରିସଂଖ୍ୟାନ ଗଭୀର ଉଦ୍‌ବେଗଜନକ ଥିବା ବେଳେ ବିମାନ ଯାତ୍ରା ସମୟରେ ନିରାପତ୍ତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ରବିବାର ଦକ୍ଷିଣ କୋରିଆର ଏକ ବିମାନ ମୁଆନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ସମୟରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣା ସମୁଦାୟ ୧୭୯ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ୮୩ ଜଣ ମହିଳା ଓ ୮୨ ଜଣ ପୁରୁଷ ଅଛନ୍ତି ଏବଂ ଅନ୍ୟମାନଙ୍କୁ ଚିହ୍ଟଟ କରିବା ଅସମ୍ଭବ ହୋଇପଡ଼ିଛି। ବିମାନରେ ୧୮୧ ଜଣ ଯାତ୍ରୀ ଥିଲେ। ଏହା ପୂର୍ବରୁ ଆଜରବାଇଜାନ ଏୟାରଲାଇନ୍ସର ଏକ ବିମାନ ବୁଧବାର କାଜାଖ ସହର ଆକ୍‌ତାଉ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ୩୮ ଜଣଙ୍କର ମୃତ୍ୟୁ ହୋଇଥିଲା। ବିମାନଟି ଆଜରବାଇଜାନର ରାଜଧାନୀ ବାକୁରୁ ଚେଚେନ୍ୟା ରାଜଧାନୀ ଗ୍ରୋଜନି ଅଭିମୁଖେ ଉଡ଼ାଣ ଭରିଥିଲା। ଆଜରବାଇଜାନ ଏୟାରଲାଇନ୍ସ ଅନୁଯାୟୀ, ବିମାନରେ ଥିବା ୪୨ ଜଣ ଯାତ୍ରୀ ଆଜରବାଇଜାନ ନାଗରିକ ଥିଲେ। ଏଥିରେ ୧୬ ରୁଷୀୟ, ୬ ଜଣ କାଜାଖସ୍ତାନ ଓ ୩ ଜଣ କିର୍ଗିଜସ୍ତାନ ଥିଲେ। ଅନ୍‌ଲାଇନରେ ପ୍ରସାରିତ ଭିଡିଓରେ ଦେଖିବାକୁ ମିଳୁଛି ଯେ ବିମାନଟି ଦ୍ରୁତ ଗତିରେ ତଳେ ପଡ଼ି ନିଆଁ ଲାଗିଛି ଏବଂ ଦୁଇ ଖଣ୍ଡ ଖଣ୍ଡ ହୋଇ ଜଳିଯାଉଛି। ଚଳିତ ମାସରେ ବ୍ରାଜିଲର ଦକ୍ଷିଣ ସହର ଗ୍ରାମାଡୋ ସହରାଞ୍ଚଳରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଅତି କମ୍‌ରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୧୭ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସକାଳେ ବିମାନଟି ଉଡ଼ାଣ ଭରିବାର କିଛି ମିନିଟ୍ ପରେ ଏହି ଦୁର୍ଘଟଣା ଘଟିଥିଲା। ବିମାନଟି ଏକ କୋଠାର ଚିମ୍‌ନିକୁ ଧକ୍କା ଦେବା ପରେ ଏକ ଆସବାବପତ୍ର ଦୋକାନ ଉପରେ ପଡ଼ିଥିଲା। ଦୁର୍ଘଟଣା ସମୟରେ ଅଗ୍ନିକାଣ୍ଡରୁ ବାହାରୁଥିବା ଧୂଆଁ ଯୋଗୁଁ ଅଧିକାଂଶ ଲୋକ ଅସୁସ୍ଥ ହୋଇପଡ଼ିଥିଲେ। କର୍ତ୍ତୃପକ୍ଷ ଦୁର୍ଘଟଣାର କାରଣ ଅନୁସନ୍ଧାନ କରୁଛନ୍ତି।
    ପପୁଆ ନ୍ୟୁ ଗିନିରେ ନର୍ଥ କୋଷ୍ଟ ଏଭିଏସନ୍ ଦ୍ୱାରା ପରିଚାଳିତ ‘ବିଏନ୍-୨/ବି-୨୬ ଆଇଲ୍ୟାଣ୍ଡ୍‌ର’ ଗତ ୨୨ ତାରିଖରେ ପାପୁଆ ନ୍ୟୁ ଗିନିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ଥିବା ସମସ୍ତ ୫ ଜଣଙ୍କର ମୃତ୍ୟୁ ଘଟିଥିଲା। ବିମାନଟି ବାସୁ ବିମାନବନ୍ଦରରୁ ଲୟେ-ନଦଜାବ ବିମାନବନ୍ଦର ପର୍ଯ୍ୟନ୍ତ ଏକ ଚାର୍ଟର ବିମାନରେ ଯାଉଥିଲା। ସେହିପରି ଆର୍ଜେଣ୍ଟିନାର ସାନ୍ ଫର୍ଣ୍ଣାଣ୍ଡୋ ବିମାନବନ୍ଦର ନିକଟରେ ବମ୍ବାର୍ଡିୟର ବିଡି-୧୦୦-୧ଏ୧୦ ‘ଚ୍ୟାଲେଞ୍ଜର ୩୦୦’ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଉଭୟ ପାଇଲଟଙ୍କ ମୃତ୍ୟୁ ଘଟିଛି। ବିମାନଟି ପୁଣ୍ଟା ଡେଲ୍ ଏଷ୍ଟେ ବିମାନବନ୍ଦରରୁ ସାନ୍ ଫର୍ଣ୍ଣାଣ୍ଡୋ ବିମାନବନ୍ଦର ଅଭିମୁଖେ ଉଡ଼ାଣ ଭରିଥିବା ବେଳେ ରନ୍‌ୱେ ଅତିକ୍ରମ କରି କାନ୍ଥ ଓ ଗଛରେ ପିଟି ହୋଇଯାଇଥିଲା। ଏହାବ୍ୟତୀତ ଡିସେମ୍ବର ୧୭ ତାରିଖରେ ହାୱାଇର ହୋନୋଲୁଲୁସ୍ଥିତ ଇନୋଏ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ୨୦୮ବି ଗ୍ରାଣ୍ଡ କାରାଭାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ଉଭୟ ପାଇଲଟଙ୍କ ମୃତ୍ୟୁ ହୋଇଥିଲା। ବିମାନଟି ନିୟନ୍ତ୍ରଣ ହରାଇ ଏକ କୋଠାରେ ଧକ୍କା ହୋଇଥିଲା।

    ‘ମୁଁ ମୋର ଶେଷ ଶବ୍ଦ କହିବି କି?’
    ସିଓଲ, ୨୯/୧୨: ଦକ୍ଷିଣ କୋରିଆରେ ଆଜି ହୋଇଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ୧୭୯ଜଣଙ୍କର ମୃତ୍ୟୁ କୋରିଆରେ ଶୋକର ଲହର ସୃଷ୍ଟି କରିଛି। ବର୍ଷ ଶେଷ ଆଡ଼କୁ ମୁଆନ୍ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ହୋଇଥିବା ଏହି ଦୁର୍ଘଟଣାରେ ଆଖି ପିଛୁଳ‌ାକେ ଯାତ୍ରୀମାନଙ୍କ ଜୀବନ ଚାଲିଯାଇଛି। ତେବେ ଯାତ୍ରୀମାନଙ୍କ ସଂପର୍କରେ ଜାଣିବା ପାଇଁ ପରିବାର ଓ ସଂପର୍କୀୟମାନେ ବିମାନବନ୍ଦର ନିକଟରେ ଭିଡ଼ ଜମାଇଥିଲେ। ସେହି ସମୟରେ ଜଣେ ଯାତ୍ରୀଙ୍କ ପରିବାର ସଦସ୍ୟ କହିଥିଲେ ଯେ ଦୁର୍ଘଟଣାର ଅଳ୍ପ କିଛି ସମୟ ପୂର୍ବରୁ ବିମାନ ଭିତରେ ଥିବା ଜଣେ ସଂପର୍କୀୟ ତାଙ୍କ ନିକଟକୁ ଏକ ମେସେଜ୍‌ ପଠାଇଥିଲେ। ସେ ଲେଖିଥିଲେ ବିମାନ ଡେଣାରେ ପକ୍ଷୀ ବ‌ାଡ଼େଇ ହୋଇଯାଇଛି। ଏହା ପରେ ଅନ୍ୟ ଏକ ମେସେଜ୍ ଆସିଥିଲା। ତାହା ଥିଲା ‘ମୁଁ ମୋର ଶେଷ ଶବ୍ଦ କହିବି କି?’ ବିମାନ ଇଞ୍ଜିନରେ ନିଆଁ ଏବଂ ଏକାଧିକ ବିସ୍ଫୋରଣକୁ ଅନେକ ସ୍ଥାନୀୟ ଲୋକ ଅତି ନିକଟରୁ ଦେଖିଛନ୍ତି। ସାଢ଼େ ୪ କିମି ଦୂରରେ ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ବିମାନଟି ଅବତରଣ କରୁଥିବା ସେ ଦେଖିଲେ। ଯେତେବେଳେ ସେ କିଛି ଆଲୋକ ଦେଖିଲେ ସେତେବେଳେ ଭାବିଲେ ବିମାନଟି ଅବତରଣ କରୁଛି। କିନ୍ତୁ ପରେ ସେ ବିରାଟ ଶବ୍ଦ ଏବଂ ଆକାଶରେ ଧୂଆଁ ଦେଖିଥିଲେ। ଏହାପରେ ଏକାଧିକ ବିସ୍ଫୋରଣ ଶୁଣିଥିଲେ। ସେହିଭଳି ଅନ୍ୟଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ବିମାନଟି ଧ୍ବଂସ ହେବାର ପ୍ରାୟ ୫ ମିନିଟ ପୂର୍ବରୁ ସେ ଧାତୁଗୁଡ଼ିକ ପିଟିହେବା ଭଳି ଶବ୍ଦ ଶୁଣିଲେ। ବିମାନଟି ଅବତରଣ କରିବାକୁ ବିଫଳ ହେବା ପରେ ପୁଣି ଉପରକୁ ଉଠିବାକୁ ଚେଷ୍ଟା କରିଥିଲା। ସେ ସମୟରେ ମଧ୍ୟ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା। ତାହାପରେ ଆକାଶ କଳାଧୂଆଁରେ ଭରି ଯାଇଥିଲା। କିଛି ସେକେଣ୍ଡ୍‌ ମଧ୍ୟରେ ଏସବୁ କାଣ୍ଡ ଘଟିଯାଇଥିଲା। ବିମାନଟି ‌ବ୍ୟାଙ୍କକରୁ ମୁଆନକୁ ଯାତ୍ରା କରୁଥିଲା। ସକାଳ ୯ଟାର କିଛି ସମୟ ପୂର୍ବରୁ ବିମାନଟି ବିମାନବନ୍ଦରର ପାଚେରିରେ ପିଟି ହୋଇ ନିଆଁ ପିଣ୍ଡୁଳାରେ ପରିଣତ ହୋଇଯାଇଥିଲା।
    ନରୱେରେ ଯାତ୍ରୀ ବିମାନର ଜରୁରୀ ଅବତରଣ
    ଆମ୍‌ଷ୍ଟରଡାମ୍‌: କେଏଲ୍‌ଏମ୍‌ ରୟାଲ ଡଚ୍ ଏୟାରଲାଇନ୍ସର ଏକ ବିମାନ ଗତରାତିରେ ନରୱେର ଓସ୍‌ଲୋ ସାଣ୍ଡେଫ୍‌ଜୋର୍ଡ ବିମାନ ବନ୍ଦରରେ ଅବତରଣ ସମୟରେ ନିୟନ୍ତ୍ରଣ ହରାଇ ରନୱେରୁ ଖସି ଯାଇଥିଲା। ବିମାନଟି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ଅଧିକାରୀଙ୍କ କହିବା ଅନୁଯାୟୀ, ଓସ୍‌ଲୋ ବିମାନବନ୍ଦରରୁ ଆମ୍‌ଷ୍ଟରଡାମ୍ ଅଭିମୁଖେ ଯାଉଥିବା ବୋଇଂ ୭୩୭-୮୦୦ ବିମାନ ଉଡ଼ାଣ ଭରିବାର କିଛି ସମୟ ପରେ ହାଇଡ୍ରୋଲିକ୍ ଫେଲ୍ ହୋଇଥିଲା। କର୍ମଚାରୀମାନେ ଓସ୍‌ଲୋଠାରୁ ପ୍ରାୟ ୧୧୦ କିଲୋମିଟର ଦକ୍ଷିଣରେ ଥିବା ସାଣ୍ଡେଫ୍‌ଜୋର୍ଡ ବିମାନବନ୍ଦରରେ ଜରୁରୀ ଅବତରଣ କରାଇବାକୁ ବାଧ୍ୟ ହୋଇଥିଲେ। ଅଧିକାରୀଙ୍କ କହିବା ଅନୁଯାୟୀ, ବିମାନଟି ରନୱେ ଖସି ଟ୍ୟାକ୍ସିୱେ ନିକଟରେ ଥିବା ଘାସରେ ଅଟକି ଯାଇଥିଲା। ଏହି ବିମାନରେ ଯାତ୍ରୀ ଓ କର୍ମଚାରୀଙ୍କ ସମେତ ୧୮୨ ଜଣ ଯାତ୍ରୀ ଥିଲେ, ସେମାନଙ୍କ ମଧ୍ୟରୁ କେହି ଆହତ ହୋଇନଥିଲେ। ଘଟଣାସ୍ଥଳରେ ଜରୁରୀକାଳୀନ କର୍ମଚାରୀ ପହଞ୍ଚିବା ପରେ ମୋବାଇଲ୍ ସିଡି ସାହାଯ୍ୟରେ ଯାତ୍ରୀମାନଙ୍କୁ ବାହାର କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30 ° C
    30 °
    30 °
    49 %
    2.6kmh
    46 %
    Tue
    29 °
    Wed
    45 °
    Thu
    45 °
    Fri
    43 °
    Sat
    43 °

    ସମ୍ବନ୍ଧିତ