ମୁମ୍ବାଇ : ନୀଳଡ୍ରମ କାହାଣୀ ପରେ ଏବେ ସବୁଜ ଡ୍ରମ କାହାଣୀରେ ଲୋମଟାଙ୍କୁରୀ ଉଠିଛି । ଜଣେ ମହିଳାଙ୍କ ସ୍ୱାମୀ ଓ ଭାଇଙ୍କ ସହିତ ମିଶି ତାଙ୍କ ପ୍ରେମିକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟା ପରେ ମୃତଦେହକୁ ଏକ ସବୁଜ ପ୍ଲାଷ୍ଟିକ୍ ଡ୍ରମରେ ଭର୍ତ୍ତି କରି ନାଳରେ ଫିଙ୍ଗି ଦେଇଥିବା ପୋଲିସ କହିଛି ।
ସୂଚନା ମୁତାବକ, ମୁମ୍ବାଇ ଥାନେର ଅରବାଜ ଖାନ ନାମକ ଜଣେ ଯୁବକ ଘରୁ କାମ କରିଥିବା ଟଙ୍କା ପାଇଁ ଦାଦର ଯାଉଛନ୍ତି ବୋଲି କହି ଯାଇଥିଲେ । ଘର ଲୋକ ଭାବିଥିଲେ, ଅରବାଜ ସନ୍ଧ୍ୟା ସୁଦ୍ଧା ଘରକୁ ଫେରିଆସିବେ । କିନ୍ତୁ ସନ୍ଧ୍ୟା କ’ର ମାସେ ଯାଏଁ ଘରକୁ ଫେରିନଥିଲେ । ଏହାପରେ ଘର ଲୋକ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ମୁମ୍ବାଇ ପୋଲିସ ତାଙ୍କ ଫୋନ୍ ନମ୍ବର ଟ୍ରାକ୍ କରିଥିଲା ।
ଡ୍ରେନ୍ ନିକଟରେ ସନ୍ଦେହଜନକ ଡ୍ରମ୍ ପଡ଼ିଥିବା ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରମକୁ ଜବତ କରିଥିଲା । ଆଉ ସେଥିରେ ଯାହା ଦେଖିଥିଲା, ଆଶ୍ଚର୍ଯ୍ୟ ହୋଇଯାଇଥିଲା । ପୋଲିସ ଡ୍ରମରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିଲା ।
ପୋଲିସ କହିବା ମୁତାବକ, ମେହଜବୀନ ନାମକ ଜଣେ ମହିଳା ଅରବାଜକୁ ପ୍ରେମ କରୁଥିଲେ । ଅରବାଜ ମଧ୍ୟ ତାଙ୍କ ପ୍ରେମ କରୁଥିଲେ । କିନ୍ତୁ ମେହଜବୀନ ପୂର୍ବରୁ ବିବାହିତ ଥିଲେ । ଏମାନଙ୍କ ଅବୈଧ ସଂପର୍କ ବିଷୟରେ ମେହଜବୀନଙ୍କ ସ୍ବାମୀ ଜାଣିଥିଲେ । ତେଣୁ ଦୁହିଁଙ୍କ ମଧ୍ୟରେ ଝଗଡା ଲାଗୁଥିଲା । ତେଣୁ ଚାଲାକି କରି ମେହଜବୀନ ଅରବାଜକୁ ଡାକିଥିଲେ । ମେହଜବୀନ ଏବଂ ତାଙ୍କ ସ୍ବାମୀ, ଭାଇ ତାରିଖ ଏବଂ ଭାଇର ସାଙ୍ଗ ମିଶି ଅରବଜାକୁ ଫସାଇଥିଲେ । ପ୍ରଥମେ ପ୍ରେମ ସଂପର୍କ ପାଇଁ ପଇସା ମାଗିଥିଲେ । ଆଉ ମିଛରେ ପ୍ରେମ ସଂପର୍କ ରଖି ମେହଜବୀନ ଅରବାଜକୁ ବ୍ୟବହାର କରିଥିଲେ । ଏସବୁରେ ବିଫଳ ହେବା ପରେ ଅରବାଜକୁ ହତ୍ୟା କରିଥିଲେ ।
ପ୍ରଥମେ ଅରବାଜକୁ ପ୍ଲାଷ୍ଟିକ ପାଇପରେ ପିଟିଥିଲେ । ସେ ଅଣନିଶ୍ବାସୀ ହୋଇ ମରିଯିବା ପରେ ମ୍ତଦେହକୁ ସବୁଜ ଡ୍ରମ ଭିତରେ ପୁରାଇ ବସଇର ଏକ ନଳା ପାଖରେ ପକାଇ ଦେଇଥିଲେ । ତେବେ ପଚରାଉଚରା ପରେ ପୋଲିସ ଆଗରେ ସବୁକିଛି ସତ ଉଗାରିଛି ପ୍ରେମିକା ମେହଜବୀନ । ପୋଲିସ ମେହଜବୀନ, ଭାଇ ତାରିଖକୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ରହିଛନ୍ତି ।
