Monday, September 28, 2026
24.7 C
Odisha

    ରାଜୌରୀ: ୧୭ ରହସ୍ୟମୟ ମୃତ୍ୟୁ ପରେ ଗଁା ସିଲ୍‌, ‘ନ୍ୟୁରୋଟକ୍ସିନ୍’ ସହ ସମ୍ପର୍କ

    ଆଗକୁ ପଢନ୍ତୁ

    ରାଜୌରୀ: ‘ରହସ୍ୟମୟ’ ରୋଗରେ ୪୫ ଦିନ ମଧ୍ୟରେ ୧୭ ଜଣଙ୍କ ମୃତ୍ୟୁ ଘଟିବା ପରେ ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲାର ବଧଲ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସଂକ୍ରମଣକୁ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜିଲ୍ଲା ପ୍ରଶାସନ ଏହି ଅଞ୍ଚଳରେ ସମସ୍ତ ସରକାରୀ ଓ ବେସରକାରୀ ସମାବେଶ ଉପରେ କଟକଣା ଜାରି କରିଛି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଗତ ସପ୍ତାହରେ ଏ ସଂକ୍ରାନ୍ତ  ଏକ ବୈଠକ ଡାକି ତଦନ୍ତକୁ ତ୍ୱରାନ୍ୱିତ କରିବା ସହ ମୃତ୍ୟୁର କାରଣ ଚିହ୍ନଟ କରିବାକୁ ସ୍ୱାସ୍ଥ୍ୟ ଓ ପୁଲିସ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଗଠିତ ଏକ ଆନ୍ତଃମନ୍ତ୍ରଣାଳୟ ଟିମ୍ ମଧ୍ୟ ରବିବାର ବଧଲ ଅଞ୍ଚଳ ଗସ୍ତ କରି ଏହି ଅଭାବନୀୟ ମୃତ୍ୟୁର ତଦନ୍ତ କରିଥିଲେ। ଏହି ଟିମ୍‌ରେ ଚଣ୍ଡିଗଡ଼ ଓ ଲକ୍ଷ୍ନୌର ଫରେନସିକ୍  ବିଶେଷଜ୍ଞମାନେ ସାମିଲ ଥିଲେ।

    ବଧଲକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ସହ ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ଅନୁମତି ନ ମିଳିଲେ ଏହି ଅଞ୍ଚଳରେ ପ୍ରବେଶକୁ କଡ଼ାକଡ଼ି ଭାବେ ନିଷେଧ କରାଯାଇଛି। ମୃତକଙ୍କ ଘନିଷ୍ଠ ସଂସ୍ପର୍ଶରେ ଆସିଥିବା ପରିବାରଗୁଡ଼ିର ନିରନ୍ତର ସ୍ୱାସ୍ଥ୍ୟ ଯାଞ୍ଚର ବ୍ୟବସ୍ଥା କରାଯାଇଛି। ସମ୍ଭାବ୍ୟ ସଂକ୍ରମଣକୁ ରୋକିବା ପାଇଁ ଖାଦ୍ୟ ବଣ୍ଟନ ଉପରେ ନଜର ରଖିବା ପାଇଁ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ମୃତ୍ୟୁର କାରଣ ଅନୁସନ୍ଧାନ କରୁଛି, ଯାହା ଏହି ଅଞ୍ଚଳରେ ଜନସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢାଇଦେଇଛି।

    ନ୍ୟୁରୋଟକ୍ସିନ୍ କ’ଣ?
    ନ୍ୟୁରୋଟକ୍ସିନ୍ ହେଉଛି ଏକ ପଦାର୍ଥ ଯାହା ସ୍ନାୟୁକୋଷ (ନ୍ୟୁରନ)କୁ କ୍ଷତି ପହଞ୍ଚାଇ ସ୍ନାୟୁ ପ୍ରଣାଳୀର ସ୍ୱାଭାବିକ କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ। ନ୍ୟୁରୋଟକ୍ସିନ୍ ମସ୍ତିଷ୍କ, ମେରୁଦଣ୍ଡ ଓ ପେରିଫେରାଲ ସ୍ନାୟୁକୁ ପ୍ରଭାବିତ କରିପାରେ, ଯାହା ବିଷାକ୍ତ ପଦାର୍ଥ ଓ ଏହାର ତୀବ୍ରତା ଉପରେ ନିର୍ଭର କରି ବିଭିନ୍ନ ଲକ୍ଷଣ ସୃଷ୍ଟି କରିଥାଏ। ଏହି ପଦାର୍ଥଗୁଡିକ ପ୍ରାକୃତିକ ଜୀବ ଯଥା ବ୍ୟାକ୍ଟେରିଆ, ଉଦ୍ଭିଦ କିମ୍ବା ପ୍ରାଣୀମାନଙ୍କ ଦ୍ୱାରା ଉତ୍ପନ୍ନ ହୋଇପାରେ କିମ୍ବା ସିନ୍ଥେଟିକ୍ ରାସାୟନିକ ପଦାର୍ଥ ହୋଇପାରେ। ଶନିବାର ସ୍ୱାସ୍ଥ୍ୟ ବିଭାଗର ବିଶେଷଜ୍ଞମାନେ କହିଛନ୍ତି ଯେ ଗାଁରେ ମୃତ୍ୟୁ ନ୍ୟୁରୋଟକ୍ସିନ କାରଣରୁ ହୋଇଛି।

    ପ୍ରଥମ ଘଟଣା ୨୦୨୪ ଡିସେମ୍ବର ୭ ତାରିଖରେ ଘଟିଥିଲା, ଯେତେବେଳେ ସାମୂହିକ ଭୋଜନ ପରେ ୭ ଜଣିଆ ପରିବାର ଅସୁସ୍ଥ ହୋଇପଡ଼ିଥିଲେ, ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଡିସେମ୍ବର ୧୨ତାରିଖରେ ୯ ଜଣିଆ ପରିବାର ପ୍ରଭାବିତ ହୋଇଥିଲେ, ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ମାସକ ପରେ ଜାନୁଆରି ୧୨ ତାରିଖରେ ତୃତୀୟ ଘଟଣା ଘଟିଥିଲା ଯେଉଁଥିରେ ୧୦ ଜଣିଆ ପରିବାର ଅନ୍ୟ ଏକ ସାମୂହିକ ଭୋଜନ ପରେ ଅସୁସ୍ଥ ହୋଇପଡ଼ିଥିଲେ। ଏହି ଘଟଣାରେ ୬ ଜଣ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜମ୍ମୁର ଏକ ହସ୍ପିଟାଲରେ ବୁଧବାର ରାତିରେ ୧୦ ବର୍ଷୀୟା ଜାବିନା କୌସରଙ୍କ ମୃତ୍ୟୁ ଘଟିଛି। ସିଏସ୍‌ଆଇଆର୍‌-ଆଇଆଇଟିଆର୍‌ ଦ୍ୱାରା ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ନ୍ୟୁରୋଟକ୍ସିନ ଥିବା ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.6kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ