Saturday, October 10, 2026
27.9 C
Odisha

    ରାସ୍ତାରେ ଧାନବସ୍ତା ରଖି ଚାଷୀଙ୍କ ଆନ୍ଦୋଳନ: ମିଲର, ଏସ୍‌ଏଚ୍‌ଜିଙ୍କ ବିରୋଧରେ ବିଷୋଦ୍‌ଗାର

    ଆଗକୁ ପଢନ୍ତୁ

    ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲାରେ ମଣ୍ଡିରେ ଧାନ ଉଠୁ ନଥିବାରୁ ଚାଷୀଙ୍କ ଭିତରେ କୁହୁଳୁଥିବା ଅସନ୍ତୋଷ ଧୀରେ ଧୀରେ ଉଗ୍ରରୂପ ନେଉଛି। ଚାଷୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଅଣ୍ଟା ଭିଡ଼ିଲେଣି। ଏଭଳି ପରିସ୍ଥିତିରେ ଆଜି ପୁରୁଷୋତ୍ତମପୁର ବ୍ଲକ୍ ଅଧୀନ ବାଘଳା ପଞ୍ଚାୟତର ଶତାଧିକ ଚାଷୀ ବାଘଳା-ନୂଆପଲ୍ଲୀ ରାସ୍ତାରେ ଧାନବସ୍ତା ରଖି ଅବରୋଧ କରିଛନ୍ତି। ଫଳରେ କିଛି ସମୟ ଧରି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଚାଷୀଙ୍କ ଅଭି‌ଯୋଗ ହେଉଛି, ଚଳିତମାସ ୩ ତାରିଖରେ ମା’ବାଙ୍କେଶ୍ବରୀ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଧାନକ୍ରୟ ପାଇଁ ମଣ୍ଡି ଖୋଲାଯାଇଥିଲା।

    ହେଲେ ଏହାମଧ୍ୟରେ ୧୩ ଦିନ ବିତିସାରିଥିବା ବେଳେ ଏପର୍ଯ୍ୟନ୍ତ ଧାନକିଣା ଆରମ୍ଭ ହୋଇନି। ସେମା‌ନେ ଶୀତକାକରରେ ଧାନବସ୍ତାକୁ ଜଗି ରହିଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀ ଓ ମିଲର୍‌ମାନେ ମନମୁଖୀ ନୀତି ଜାରି ରଖିଛନ୍ତି। ଗ୍ରୁପ୍ ସଭାପତି ଓ ସମ୍ପାଦକ ଚାଷୀମାନଙ୍କୁ ସହଯୋଗ କରୁନାହାନ୍ତି। ସେପଟେ ମିଲର୍‌ମାନେ ଏଫଏକ୍ୟୁ ମାନ ଧାନର ଦ୍ବାହି ଦେଇ ଚାଲିଛନ୍ତି। ଧାନମଣ୍ଡିରେ ଅବ୍ୟବସ୍ଥାକୁ ନେଇ କିଛିଦିନ ତଳେ ଚାଷୀମାନେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଛତ୍ରପୁର ଉପଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ, ପୁରୁଷୋତ୍ତମପୁର ତହସିଲଦାର ଓ ପୁରୁଷୋତ୍ତମପୁର ଯୋଗାଣ ନିରୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତଥାପି ସମସ୍ୟାର ସମାଧାନ ନହେବାରୁ ସେମାନେ ଆଜି ଆନ୍ଦୋଳନାତ୍ମକ ପନ୍ଥା ଆପଣାଇ ରାସ୍ତା ଅବରୋଧ କରିଥିଲେ। ପୁରୁଷୋତ୍ତମପୁର ଯୋଗାଣ ନିରୀକ୍ଷକ ନିଳିମା ମହାନ୍ତି ଓ ବିଡିଓ ମନୋଜ କୁମାର ନାୟକ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଥିଲେ। ଦୀର୍ଘ ସମୟ ଧରି ଆଲୋଚନା ପରେ ମହିଳା ଗ୍ରୁପ୍‌କୁ ଯୁଦ୍ଧକାଳୀନ ଭିତ୍ତିରେ ଧାନ କିଣିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ଚାଷୀ ରାସ୍ତା ଅବରୋଧ ପ୍ରତ୍ୟାହାର କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ