Tuesday, March 17, 2026
31.5 C
Odisha

    ରେଗୁଲାର ଶିକ୍ଷକ ଓ ଶିକ୍ଷା ସହାୟକ ସମାନ ନୁହନ୍ତି : ହାଇକୋର୍ଟ

    ଆଗକୁ ପଢନ୍ତୁ

    କଟକ : ନିୟମିତ ବା ରେଗୁଲାର ଶିକ୍ଷକ ଓ ଶିକ୍ଷା ସହାୟକ ସମାନ ନୁହନ୍ତି । ସେହି ଦୃଷ୍ଟିରୁ ନିୟମିତ ଶିକ୍ଷକଙ୍କୁ ଯେତିକି ଦରମା ମିଳୁଛି ସେହି ଦରମା ଶିକ୍ଷା ସହାୟକଙ୍କୁ ଦିଆଯାଇ ପାରିବନାହିଁ । ତେଣୁ ଶିକ୍ଷା ସ‌ହାୟକମାନେ ସମାନ କାର୍ଯ୍ୟ ପାଇଁ ସମାନ ଦରମା ଲାଗି ଯେଉଁ ଦାବି ରଖୁଛନ୍ତି ତାହା ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଶଶି କାନ୍ଥ ମିଶ୍ର ଏକ ଗୁରୁତ୍ଵପୂର୍ଣ୍ଣ ରାୟରେ କହିଛନ୍ତି।

    ଆବେଦନକାରୀମାନେ ପିଟିସନ୍‌ ରେ ଦର୍ଶାଇଥିଲେ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାଥମିକ ଶିକ୍ଷା ପାଇଁ କାର୍ଯ୍ୟ କାରୀ ହୋଇଥିବା ‘ସର୍ବଶିକ୍ଷା ଅଭିଯାନ’ରେ ସେମାନଙ୍କୁ ଶିକ୍ଷା ସହାୟକ ଭାବେ ନିଯୁକ୍ତି ମିଳିଛି। ସେମାନଙ୍କର ତାଲିମପ୍ରାପ୍ତ ଗ୍ରାଜୁଏଟ୍ ଯୋଗ୍ୟତା ମଧ୍ୟ ରହିଛି। ସମସ୍ତଙ୍କ ପାଇଁ ମାଗଣାରେ ପ୍ରାଥମିକ ଶିକ୍ଷା ପ୍ରଦାନ ଆଇନ ଲାଗୁ ହେବା ପରେ ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ ନିୟମିତ ଶିକ୍ଷକମାନେ ଯେତିକି ଦରମା ପାଇବା କଥା ସେମାନେ ମଧ୍ୟ ସମାନ ହାରରେ ଦରମା ପାଇବା ପାଇଁ ହକ୍‌ଦାର୍ ଅଟନ୍ତି।ଅନ୍ୟପକ୍ଷରେ ଓଡ଼ିଶା ପ୍ରାଥମିକ ଶିକ୍ଷାନୀତି ଅନୁଯାୟୀ, ପଞ୍ଚମ ସ୍ତରର (ଲେବଲ୍‌ -୫) ଶିକ୍ଷକ ପଦରେ ନିଯୁକ୍ତି କ୍ଷେତ୍ରରେ ୬୦ ପ୍ରତିଶତ ପଦରେ ସିଧାସଳଖ ମାଟ୍ରିକ୍ ସିଟି ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିଥାଏ। ବାକି ୪୦ ପ୍ରତିଶତ ପଦ କଳା, ବିଜ୍ଞାନ, ବାଣିଜ୍ୟରେ ଗ୍ରାଜୁଏସନ୍ ପାସ୍ କରିଥିବା ପ୍ରାର୍ଥୀଙ୍କୁ ନେଇ ପୂରଣ କରାଯାଇଥାଏ। ତେଣୁ ପ୍ରଥମ ନିଯୁକ୍ତି ସମୟରେ ତାଲିମ୍ ପ୍ରାପ୍ତ ଗ୍ରାଜୁଏଟ୍‌ ମାନଙ୍କ ଆବେଦନ ପାଇଁ କୌଣସି ପ୍ରତିବନ୍ଧକ ନଥାଏ।ଏହି ପରିପ୍ରେକ୍ଷୀରେ ଶିକ୍ଷା ସହାୟକମାନଙ୍କୁ ନିୟମିତ ଶିକ୍ଷକଙ୍କ ହାରରେ ଦରମା ଦିଆଯିବା ଉଚିତ୍ ବୋଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା। ତେବେ ଏହାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିରୋଧ କରାଯାଇଥିଲା।ଉଭୟ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ଯେତେବେଳେ ଦୁଇ ଜଣ ବ୍ୟକ୍ତି ସମାନ ପଦରେ ନିଯୁକ୍ତି ପାଇଥିବେ ସେହି କ୍ଷେତ୍ରରେ ସମାନ କାର୍ଯ୍ୟ ପାଇଁ ସମାନ ଦରମା ଦାବି କରାଯାଇପାରିବ। କିନ୍ତୁ ଏଠି ଶିକ୍ଷା ସହାୟକମାନେ ଠିକାରେ ନିଯୁକ୍ତି ପାଇଛନ୍ତି। ତେଣୁ ସେମାନେ ନିୟମିତ ଶିକ୍ଷକଙ୍କ ସହ ସମାନ ହୋଇପାରିବେ ନାହିଁ । ନିୟମିତ ଶିକ୍ଷକଙ୍କ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ନୀତି ରହିଛି କିନ୍ତୁ ଶିକ୍ଷା ସହାୟକ ସହାୟକଙ୍କ ନିଯୁକ୍ତି କ୍ଷେତ୍ରରେ ଭିନ୍ନ ନିୟମ ରହିଛି। ଏଥିରେ ଜଣେ ଶିକ୍ଷା ସହାୟକ ତିନି ବର୍ଷ କାର୍ଯ୍ୟ କରିବା ପରେ କନିଷ୍ଠ ଶିକ୍ଷକ ପଦକୁ ପାଇଥାନ୍ତି।ଏହାପରେ ଆଉ ତିନିବର୍ଷ କନିଷ୍ଠ ଶିକ୍ଷକ ଭାବେ କାର୍ଯ୍ୟ କରିବା ପରେ ତାଙ୍କୁ ନିୟମିତ ଶିକ୍ଷକ ଭାବେ ଲେବଲ୍-୫ ପ୍ରାଥମିକ ଗ୍ରେଡ୍‌ରେ ନିଯୁକ୍ତି ମିଳିଥାଏ। ତେଣୁ ଏଭଳି କ୍ଷେତ୍ରରେ ଜଣେ ଶିକ୍ଷା ସହାୟକ ଜଣେ ନିୟମିତ ଶିକ୍ଷକଙ୍କ ସହ ସମାନ ନୁହନ୍ତି ବୋଲି ହାଇକୋର୍ଟ ରାୟରେ ସ୍ପଷ୍ଟ କରି ଦେଇଛନ୍ତି। ରାଜ୍ୟ ସରକାର ଙ୍କ ପକ୍ଷରୁ ମାମଲାକୁ ଏଜିଏ ଏସ୍.ଏନ୍. ପଟ୍ଟନାୟକ ପରିଚାଳନା କରୁଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.5 ° C
    31.5 °
    31.5 °
    30 %
    5.1kmh
    80 %
    Tue
    32 °
    Wed
    36 °
    Thu
    36 °
    Fri
    35 °
    Sat
    33 °

    ସମ୍ବନ୍ଧିତ