ଭୁବନେଶ୍ବର: ବହୁ ଚର୍ଚ୍ଚିତ ରୋଜ୍ଭ୍ୟାଲି ଚିଟ୍ଫଣ୍ଡ୍ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଉ ଗୋଟିଏ ପାଦ ଆଗେଇଛି। ଆଜି ସ୍ବତନ୍ତ୍ର ପିଏମ୍ଏଲ୍ଏ କୋର୍ଟ ତଥା ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ଇଡି, ରୋଜ୍ଭ୍ୟାଲି ସଂସ୍ଥା ଓ ତା’ର ୨ ପ୍ରମୋଟର୍ଙ୍କ ନାଁରେ ଚାର୍ଜଫ୍ରେମ୍ କରିଛି। ଦୁଇ ପ୍ରମୋଟର୍ ହେଲେ ଗୌତମ କୁଣ୍ଡୁ ଓ ଶିବମୟ ଦତ୍ତ। ଏହି ମହାଠକେଇ ତଥା ମହାଦୁର୍ନୀତିରେ ସେମାନଙ୍କ ଭୂମିକା କ’ଣ ଥିଲା ଏବଂ ସେମାନଙ୍କ ବିରୋଧରେ କେଉଁ କେଉଁ ଦଫାରେ ମାମଲା ଚାଲିବ, ସେନେଇ ଆଜି ଇଡି କୋର୍ଟରେ ତଥ୍ୟ ଦାଖଲ କରିଛି। ୨୦୧୬ ମସିହାରେ ଏହି ପ୍ରମୋଟର୍ଦ୍ବୟଙ୍କ ବିରୋଧରେ କୋର୍ଟରେ ମାମଲା ରୁଜୁ କରାଯାଇଥିଲା। ୮ବର୍ଷ ପରେ ଆଜି ଚାର୍ଜଫ୍ରେମ୍ କରାଗଲା। ଏହାପରେ ମାମଲାର ଶୁଣାଣି କାର୍ଯ୍ୟକ୍ରମ ଆଗେଇବ। ଚାର୍ଜଫ୍ରେମ୍ ପ୍ରକ୍ରିୟାରେ ବିଳମ୍ବ ହୋଇଥିଲେ ହେଁ ଜମାକାରୀମାନେ ସେମାନଙ୍କ ଅର୍ଥ ଫେରି ପାଇବାର ଆଶା ବଢ଼ିଛି ବୋଲି କୁହାଯାଉଛି।
ଇଡି ପକ୍ଷରୁ ମିଳିଥିବା ସୂଚନାନୁସାରେ ରୋଜ୍ଭ୍ୟାଲି ସଂସ୍ଥାର ୩୩୨ କୋଟି ଟଙ୍କାର ସ୍ଥାବର ସମ୍ପତ୍ତିକୁ ଭୁବନେଶ୍ବର ପ୍ରବର୍ତ୍ତନ ନିର୍ଦେଶାଳୟ ଜବତ କରିଛି। ଏହି ସ୍ଥାବର ସମ୍ପତ୍ତିର ମୂଲ୍ୟ ବର୍ତ୍ତମାନ ସୁଧ ସହ ୪୦୦କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ୨୦୧୫ ମାର୍ଚ୍ଚ ୧୫ରେ ଇଡି ରୋଜ୍ଭ୍ୟାଲିର ପ୍ରମୋଟର୍ ଗୌତମ କୁଣ୍ଡୁଙ୍କୁ ଗିରଫ କରିଥିଲା। ୨୦୧୬ରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ଆଜି ଇଡି କୋର୍ଟରେ ଚାର୍ଜଫ୍ରେମ୍ କରିବା ପରେ ହତାଶ ହୋଇପଡ଼ିଥିବା ଜମାକାରୀମାନଙ୍କୁ ଏକପ୍ରକାର ଆଶ୍ବସ୍ତି ମିଳିଛି। ତ୍ବରିତ ଶୁଣାଣି ପ୍ରକ୍ରିୟା ବଳରେ ଜମାକାରୀମାନେ ସେମାନଙ୍କ ପୁଞ୍ଜି ଫେରିପାଇବେ ବୋଲି ଅଧିକ ଆଶାବାଦୀ ହୋଇପଡ଼ିଛନ୍ତି।
ଜମାକାରୀଙ୍କୁ ୪୦୦ କୋଟିରୁ ଊର୍ଦ୍ଧ୍ବ ମିଳିବା ଆଶା ବଢ଼ିଲା
ଭୁବନେଶ୍ବର କାର୍ଯ୍ୟାଳୟ ବାଦ୍ କୋଲକାତା, ଗୌହାଟି ଓ ଅଗରତଲା ସବ୍ଜୋନାଲ୍ କାର୍ଯ୍ୟାଳୟରେ ରୋଜ୍ଭ୍ୟାଲି ସଂସ୍ଥା ବିରୋଧରେ ମାମଲା ଚାଲିଛି। ଇଡିର କୋଲକାତା ଜୋନାଲ୍ ଅଫିସ୍, ରୋଜ୍ଭ୍ୟାଲି ସଂସ୍ଥାର ବିରୋଧରେ କରିଥିବା ମାମଲା ମଧ୍ୟରୁ ଗୋଟିକରେ ୧୨ କୋଟି ୩୬ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଥିଲା। ଏହି ସମ୍ପତ୍ତିର ମୂଲ୍ୟ ସୁଧ ସହ ୧୯ କୋଟି ୪୦ ଲକ୍ଷ ଟଙ୍କା ହୋଇଥିଲା। କୋଲକାତା ହାଇକୋର୍ଟଙ୍କ ଦ୍ବାରା ଗଠିତ ଆସେଟସ୍ ଡିସ୍ପୋଜାଲ୍ କମିଟିକୁ ଇଡି ଏହି ସମ୍ପତ୍ତି ହସ୍ତାନ୍ତର କରିସାରିଛି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ଜମାକାରୀଙ୍କୁ ପ୍ରଦାନ କରାଯାଇଛି। ସେହିପରି ଅନ୍ୟ ଏକ ମାମଲାରେ ଇଡି, ୧୧୭୨ କୋଟି ୬୮ ଟଙ୍କା ଜବତ କରିଥିଲା। ସେଥିରେ ଥିଲା ୧୪୭ କୋଟି ୬୪ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ଓ ୧୦୨୫ କୋଟି ୪ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି।
ଜମାକାରୀଙ୍କୁ ଏହି ଅର୍ଥ ଫେରସ୍ତ ପ୍ରକ୍ରିୟା ଜାରି ରହିଛି। ସେହିପରି ଗୌହାଟି ଇଡି ଜୋନାଲ୍ ଅଫିସ ପକ୍ଷରୁ ରୋଜ୍ଭ୍ୟାଲିର ୩୮ କୋଟି ୩୦ ଲକ୍ଷ ଟଙ୍କାର ସମ୍ପତ୍ତି ଓ ଅଗରତଲା ସବ୍ଜୋନାଲ୍ ଅଫିସ୍ ପକ୍ଷରୁ ୮ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଏହି ଦୁଇ ମାମଲାରେ ଇଡି ପକ୍ଷରୁ ଚାର୍ଜଫ୍ରେମ୍ ସରିଛି ଏବଂ ଆସେଟ୍ ଡିସ୍ପୋଜାଲ୍ କମିଟି ସହ ଯୋଗାଯୋଗ ରଖାଯାଇଛି। ଏହି ଜବତ ଅର୍ଥକୁ କିପରି ଜମାକାରୀମାନଙ୍କୁ ଫେରସ୍ତ କରାଯିବ, ସେନେଇ ପଦକ୍ଷେପ ନିଆଯାଉଛି। ପଶ୍ଚିମବଙ୍ଗ ଓ ଆସାମର ଜମାକାରୀମାନେ ଟଙ୍କା ଫେରି ପାଇସାରିଥିବାରୁ ଏବେ ଓଡ଼ିଶା ଜମାକାରୀଙ୍କ ଭିତରେ ଉତ୍କଣ୍ଠା ବଢ଼ିଯାଇଛି। ସୂଚନାଯୋଗ୍ୟ ଯେ ୨୦୧୩ ମସିହାରେ ରୋଜ୍ଭ୍ୟାଲି ଚିଟ୍ଫଣ୍ଡ୍ ସଂସ୍ଥା ବିରୋଧରେ ଓଡ଼ିଶାରେ ୨୫ରୁ ଅଧିକ ମାମଲା ହୋଇଥିଲା। ୨୦୧୪ ମସିହାରେ ଏହି ମାମଲାର ତଦନ୍ତ ଭାର ସିବିଆଇ ହାତକୁ ନେଇଥିଲା।