Tuesday, March 31, 2026
35.7 C
Odisha

    ଶିଶୁପୁତ୍ରର ମୃତଦେହ ନେବାକୁ ଦମ୍ପତି ହଟହଟା, ସହଯୋଗର ହାତ ବଢ଼ାଇଲେ ବରଗଡ଼ ଉପଜିଲାପାଳ

    ଆଗକୁ ପଢନ୍ତୁ

    ବରଗଡ଼: ବୁର୍ଲା ଡାକ୍ତରଖାନାରୁ କଲାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକସ୍ଥିତ ନିଜ ଘରକୁ ଶିଶୁପୁତ୍ରର ମୃତଦେହ ନେବାରେ ଏକ ଦମ୍ପତି ହଟହଟା ହୋଇଛନ୍ତି।। ସେମାନେ ଏକ ବସ୍‌ ଯୋଗେ ମୃତଦେହ ଧରି ବରଗଡ଼ ପହଞ୍ଚିବା ପରେ ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର ଏବଂ ଉପଜିଲାପାଳ କୁମାର ନାଗଭୂଷଣ ସେମାନଙ୍କୁ ସହଯୋଗର ହାତ ବଢ଼ାଇବା ଘଟଣାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ଧର୍ମଗଡ଼ ବ୍ଲକ କଦଳୀମୁଣ୍ଡା ପଞ୍ଚାୟତ ଢ଼େକନାଗୁଡ଼ା ଗ୍ରାମର ଅରକ୍ଷିତ ଗୋପାଳ ତାଙ୍କ ସାନପୁଅ ଜଳନ୍ଧର(୪)ଙ୍କ ଦେହ ଅସୁସ୍ଥ ହେବା ଯୋଗୁ ସ୍ତ୍ରୀଙ୍କ ସହିତ ତାଙ୍କୁ ଧରି ଭୀମସାର୍‌, ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା। ଏହି ଦମ୍ପତି ନିହାତି ଗରିବ ହୋଇଥିବା ଯୋଗୁ ମୃତଦେହ ନେବା ପାଇଁ ମହାପ୍ରୟାଣ ଗାଡ଼ି ବ୍ୟବସ୍ଥା କରିବା ପାଇଁ ଡାକ୍ତରଖାନା କର୍ମଚାରୀଙ୍କୁ ନେହୁରା ହୋଇଥିଲେ। କିନ୍ତୁ ଗୋଟିଏ ଜିଲାରୁ ଅନ୍ୟ ଜିଲାକୁ ମହାପ୍ରୟାଣ ଗାଡ଼ି ଯିବା ବ୍ୟବସ୍ଥା ନ ଥିବା ସମ୍ପୃକ୍ତ କର୍ମଚାରୀମାନେ ଜଣାଇଥିଲେ।
    ଏହାପରେ ଉକ୍ତ ଦମ୍ପତି ଏକ ଘରୋଇ ବସ୍‌ ଯୋଗେ ଶିଶୁପୁତ୍ରର ମୃତଦେହ ଧରି ବରଗଡ଼ ପହଞ୍ଚଥିଲେ। ବରଗଡ଼ରୁ ଧର୍ମଗଡ଼ ସିଧାସଳଖ ବସ୍‌ ଯାଉଥିବାରୁ ସେହି ବସ୍‌ରେ ସେମାନେ ଯିବା ପାଇଁ ଚାହିଁଥିଲେ। ହେଲେ କୁଆଡ଼େ ସେହି ବସ୍‌ରେ ମୃତଦେହ ଧରି ଯିବାକୁ ବସ୍‌ କର୍ମଚାରୀମାନେ ମନା କରିଥିଲେ। ଅନ୍ୟ ଉପାୟ ନ ପାଇଁ ଟ୍ୟାକ୍ସିଷ୍ଟାଣ୍ଡ ପଟକୁ ଚାଲି ଆସୁଥିଲେ।
    ତାହା ଦେଖି ଘଟଣା ସମ୍ପକରେ ସ୍ଥାନୀୟ ଲୋକେ ସେମାନଙ୍କୁ ପଚାରିଥିଲେ। ଘଟଣାଟି ଜାଣିବା ପରେ ଟ୍ୟାକ୍ସି ଚାଳକମାନେ ସଂକଳ୍ପ ପରିବାରକୁ ସେ ନେଇ ସୂଚନା ଦେଇଥିଲେ। ଖବର ପାଇ ସଂକଳ୍ପ ପରିବାରର ସ୍ବେଚ୍ଛାସେବୀମାନେ ଟ୍ୟାକ୍ସିଷ୍ଟାଣ୍ଡରେ ପହଞ୍ଚିଥିଲେ ଏବଂ ସେହି ଦମ୍ପତିଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଘଟଣା ଜାଣିବା ପରେ ସଂକଳ୍ପ ପରିବାର ଉପଜିଲାପାଳ ନାଗଭୂଷଣଙ୍କୁ ଜଣାଇଥିଲେ। ଏହାପରେ ଉପଜିଲାପାଳ ସେମାନଙ୍କ ପାଇଁ ଏକ ଘରୋଇ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ ଏବଂ ସେହି ଆମ୍ବୁଲାନ୍ସରେ ଶିଶୁପୁତ୍ରର ମୃତଦେହ ଧରି ସେହି ଦମ୍ପତି ତାଙ୍କ ଘରକୁ ଯାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    35.7 ° C
    35.7 °
    35.7 °
    22 %
    4.6kmh
    69 %
    Tue
    38 °
    Wed
    39 °
    Thu
    40 °
    Fri
    39 °
    Sat
    41 °

    ସମ୍ବନ୍ଧିତ