ଭାରତୀୟ ଖାଦ୍ୟରେ ଅନେକ ପ୍ରକାରର ଗୋଟା ମସଲା ବ୍ୟବହାର କରାଯାଏ । ସେହି ସବୁ ଗୋଟା ମସଲା ମଧ୍ୟରୁ ଜାଇଫଳ ଏକ ଅତ୍ୟନ୍ତ ଲାଭଦାୟକ ମସଲା । ଯାହା ଖାଦ୍ୟର ସ୍ୱାଦ ଏବଂ ସୁଗନ୍ଧ ବଢାଇବା ସହିତ ଔଷଧ ଭାବେ ମଧ୍ୟ କାର୍ଯ୍ୟ କରିଥାଏ । ତେବେ ଏହା ଘରୋଇ ଉପଚାର ମଧ୍ୟରୁ ଏକ ଅନ୍ୟତମ ଉପାୟ । ଯାହା ଶିଶୁମାନଙ୍କ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଶୀତଦିନେ ବିଶେଷ କରି ପିଲାଙ୍କଠାରେ ଅତ୍ୟଧିକ ଥଣ୍ଡା, କାଶ ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ଯେଉଁଥି ପାଇଁ ଜାଇଫଳ ବେଷ୍ଟ ହୋଇଥାଏ । ଯଦି ଏଭଳି କିଛି ସମସ୍ୟା ପିଲାଙ୍କଠାରେ ଦେଖୁଛନ୍ତି ତେବେ ନିଶ୍ଚୟ ସେମାନଙ୍କୁ ଜାଇଫଳକୁ ଗୁଣ୍ଡ କରି ଦିଅନ୍ତୁ । କିଛି ଦିନ ମଧ୍ୟରେ ସକରାତ୍ମକ ପ୍ରଭାବ ଦେଖିପାରିବେ ।
ଏହା ବ୍ୟତୀତ ଯଦି ପିଲାଟିର ହଜମ ହେଉନଥିବ, ପାଟି ଘାଆ, ପେଟ ଯନ୍ତ୍ରଣା କିମ୍ବା କାନ ଯନ୍ତ୍ରଣା ଭଳି ସମସ୍ୟା ଦେଖା ଦେଉଥାଏ ତେବେ ଆପଣ ତାକୁ ଜାଇଫଳ ଗୁଣ୍ଡ ଖାଇବାକୁ ଦେଇ ପାରିବେ । ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିବାୟୋଟିକ୍ ଗୁଣ ଜାଇଫଳରୁ ମିଳିଥାଏ ଯାହା ସଂକ୍ରମଣକୁ ଭଲ କରିଥାଏ । ଏହାର ଗୁଣ୍ଡ ଖାଇବା ଦ୍ବାରା ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢାଇଥାଏ । ପିଲାମାନଙ୍କୁ ଜାଇଫଳ ଗୁଣ୍ଡ ଖାଇବାକୁ ଦେଲେ କେଉଁ ସବୁ ଫାଇଦା ହୋଇଥାଏ ଆଜି ଆମେ ଆପଣଙ୍କୁ ସେ ସମ୍ପର୍କରେ ଜଣାଇବୁ ।
ପିଲାମାନଙ୍କ ପାଇଁ ଲାଭଦାୟକ ଜାଇଫଳ ଗୁଣ୍ଡ :
ଥଣ୍ଡା ଏବଂ କାଶରୁ ମିଳିବ ମୁକ୍ତି : ଶୀତଦିନେ ସାଧାରଣତଃ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥାଏ । ଯେଉଁଥି ପାଇଁ ସେମାନଙ୍କୁ ଶୀଘ୍ର ରୋଗ ସଂକ୍ରମଣ ହୋଇଥାଏ । ଖାସ୍ କରି ଶୀତଦିନେ ପିଲାମାନଙ୍କୁ ଥଣ୍ଡା ଏବଂ କାଶ ଲାଗି ରହିଥାଏ । ଏଭଳି ସମସ୍ୟା ଥିଲେ ପିଲାକୁ ଗୋଟିଏ ଛୋଟ ଚାମଚରେ ଜାଇଫଳକୁ ଗୁଣ୍ଡ କରି ଖାଇବାକୁ ଦେଇପାରିବେ । ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଏହି ସବୁ ସମସ୍ୟାରୁ ଦୂରେଇ ରଖିବାରେ ସାହାଯ୍ୟ କରେ । ଜାଇଫଳ ଗରମ ହୋଇଥାଏ ଯାହା ପିଲାଙ୍କ ଥଣ୍ଡା ଏବଂ କାଶ ଦୂର କରିଥାଏ । ଏଥି ସହିତ ଜାଇଫଳ ଗୁଣ୍ଡକୁ ଘିଅ ସହିତ ମିଶାଇ ପିଲାଙ୍କ ଛାତିରେ ଲଗାଇଲେ ଅନେକ ରୋଗରୁ ଉପଶମ ମିଳିବ ।
ବଦହଜମିରୁ ମିଳିବ ଆରାମ : ପିଲାମାନେ ପ୍ରାୟତଃ ବଦହଜମିର ଶିକାର ହୁଅନ୍ତି । ଏଥିପାଇଁ ଆପଣ ଜାଇଫଳ ବ୍ୟବହାର କରିପାରିବେ । ତେବେ ଜାଇଫଳକୁ ଭାଙ୍ଗନ୍ତୁ ଏବଂ ଏହାକୁ ଘିଅ କିମ୍ବା ମହୁରେ ମିଶାଇ ଶିଶୁର ନାହିରେ ଲଗାନ୍ତୁ । ଯାହା ପେଟ ଯନ୍ତ୍ରଣା ଜନିତ ସମସ୍ୟାରୁ ମୁକ୍ତି ଦେବ । ଏହା କରିବା ଦ୍ୱାରା ପିଲାର ମେଟାବୋଲିଜିମ୍ ମଧ୍ୟ ଭଲ ରହିଥାଏ ।
ପାଟି ଘା’ରୁ ମୁକ୍ତି : ଅନେକ ଥର ପିଲାମାନଙ୍କ ପାଟିରେ ଘା ’ହୋଇଯାଏ । ଯେଉଁଥିପାଇଁ ସେମାନଙ୍କୁ ଖାଇବା ପିଇବାରେ ଅସୁବିଧା ହୋଇଥାଏ । ପିଲାଙ୍କ ପାଟିରେ ଘା’ ହୋଇଥିଲେ ତାଙ୍କୁ ଜାଇଫଳ ଗୁଣ୍ଡ ଖାଇବା ପାଇଁ ଦିଅନ୍ତୁ । ଜାଇଫଳ ଏବଂ ମିଶିରି ଖଣ୍ଡକୁ ମିଶ୍ରଣ କରି ପିଲାକୁ ଦିଅନ୍ତୁ । ଏହା ପେଟକୁ ଥଣ୍ଡା କରିବ ଏବଂପାଟିରେ ହୋଇଥିବା ଘା’କୁ ଭଲ କରିଦେବ ।
କାନ ଯନ୍ତ୍ରଣାରୁ ମୁକ୍ତି : ଜାଇଫଳରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ଥାଏ । ଯାହା କାନ ଯନ୍ତ୍ରଣାରୁ ଆରାମ ଦେଇଥାଏ । ଜାଇଫଳକୁ ଗ୍ରାଇଣ୍ଡ୍ କରି କାନ ପଛରେ ମଧ୍ୟ ଲଗାଇପାରିବେ । ସୋରିଷ ତେଲରେ ଜାଇଫଳ ମିଶାଇ ପିଲାଙ୍କ କାନରେ ଲଗାଇବା ଦ୍ବାରା ଏହା ତୁରନ୍ତ ଯନ୍ତ୍ରଣାରୁ ମୁକ୍ତି ଦେବ ।
ଭୋକ ବଢିଯାଏ : ଏହା ମେଟାବୋଲିଜିମ୍ କୁ ଭଲ ରଖେ । ଜାଇଫଳ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ଏବଂ ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆଣିଥାଏ । ଯାହାଫଳରେ ପିଲାମାନଙ୍କର ଭୋକ ବଢାଇଦେଇଥାଏ ।

