Thursday, October 22, 2026
30.1 C
Odisha

    ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ କମିଟି ବୈଠକ, ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟକୁ ମୋହର

    ଆଗକୁ ପଢନ୍ତୁ

    ପୁରୀ : ନୀଳାଦ୍ରି ଭକ୍ତ ନିବାସ ପରିସରରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ଆଗାମୀ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା ଯାତ୍ରା ପାଇଁ ନୀତିନିର୍ଘଣ୍ଟକୁ ଛତିଶାନିଯୋଗ ଓ ନୀତି ସବ୍ କମିଟି ମୋହର ମାରିଛି। ସଅଳ ଦ୍ୱାରଫିଟା ଓ ଭୋରରୁ ମଙ୍ଗଳ ଆଳତି ଉପରେ ଗୁରୁତ୍ବ ଦିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜେନ୍ଦ୍ରଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତିନିର୍ଘଣ୍ଟ ଅନୁମୋଦିତ ହୋଇଛି। ଏଥିସହ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବ୍ୟବସ୍ଥାବଳୀ ମଧ୍ୟ ଅନୁମୋଦନ ଲାଭ କରିଛି। ବୈଠକରେ ଅନେକ ପରାମର୍ଶ ମିଳିଛି। ଜୁନ ୫ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସେହି ପ୍ରସ୍ତାବ ଉପରେ ଆଲୋଚନା ହେବ।

    ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବ୍ୟବସ୍ଥାବଳୀ ନେଇ ପ୍ରଶାସନିକ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସମ୍ପର୍କରେ ଗୁରୁତ୍ବ ଦିଆଯାଇଛି। ଗତବର୍ଷର ଅଘଟଣ ଯେଭଳି ପୁନରାବୃତ୍ତି ନ ହେବ, ତା’ ଉପରେ ଗୁରୁତ୍ବ ଦିଆଯାଇଛି। ଚଳିତବର୍ଷ ଯୋଡ଼ା ଜ୍ୟେଷ୍ଠ ପାଇଁ ରଥ ନିର୍ମାଣ ଠିକ୍ ଭାବେ ଚାଲିଛି। ଏଥର ଭୋରରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ପାଢ଼ୀ ସୂଚନା ଦେଇଛନ୍ତି। ସ୍ନାନଯାତ୍ରାରେ ପହଣ୍ଡି ବିଜେ, ଜଳ ବିଜେ, ଜଳ ଲାଗି, ଛେରା ପହଁରା, ହାତୀବେଶକୁ ଶୃଙ୍ଖଳିତ କରିବା ପାଇଁ ସେବାୟତ ପ୍ରତିଶ୍ରୁତି ଦେଇଛନ୍ତି। ରଥଯାତ୍ରା ସମୟରେ ଶୃଙ୍ଖଳିତ ପହଣ୍ଡି ଓ ରଥଟଣା ସହିତ ଶୃଙ୍ଖଳିତ ଦର୍ଶନ ନେଇ ସମସ୍ତଙ୍କର ସହଯୋଗ ଲୋଡ଼ା ଯାଇଛି। ବିଗତ ବର୍ଷରେ ଘଟିଥିବା ଅଘଟଣକୁ ସଂଶୋଧନ କରି ଚଳିତବର୍ଷ ସମସ୍ତଙ୍କ ସହଯୋଗରେ କିଭଳି ଶୃଙ୍ଖଳିତ ଘୋଷଯାତ୍ରା ଅନୁଷ୍ଠିତ ହେବ, ସେନେଇ ମହାପ୍ରଭୁଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିଛନ୍ତି। ଛତିଶାନିଯୋଗ ବୈଠକରେ ହୋଇଥିବା ନୀତିନିର୍ଘଣ୍ଟ ଅନୁଯାୟୀ ଜୁନ ୨୪ରେ ରାଜେନ୍ଦ୍ରଭିଷେକ, ୨୫ରେ ରୁକ୍ମିଣୀ ହରଣ ଏକାଦଶୀ, ୨୬ରେ ଚମ୍ପକ ଦ୍ବାଦଶୀ, ୨୭ରେ ଦଇତା ପ୍ରବେଶ, ୨୯ରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ ୧୪ରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଏବଂ ୧୬ରେ ରଥଯାତ୍ରା ଅନୁଷ୍ଠିତ ହେବ। ୧୬ ତାରିଖ ସକାଳ ୯ଟାରେ ରଥ ପ୍ରତିଷ୍ଠା, ୯ଟା ୩୦ରେ ପହଣ୍ଡି ଆରମ୍ଭ ଓ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ସେହିପରି ଜୁଲାଇ ୨୦ରେ ହେରା ପଞ୍ଚମୀ, ୨୩ରେ ନବମୀ ସନ୍ଧ୍ୟା ଦର୍ଶନ, ୨୪ରେ ବାହୁଡ଼ା ଯାତ୍ରା, ୨୫ରେ ସୁନାବେଶ, ଏବଂ ୨୭ରେ ନୀଳାଦ୍ରି ବିଜେ ହେବ ବୋଲି ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଆରକ୍ଷୀ ଅଧୀକ୍ଷକ (ଏସପି) ପ୍ରତୀକ ସିଂ, ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ଛତିଶାନିଯୋଗର ପ୍ରମୁଖ ବରିଷ୍ଠ ସେବାୟତ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.1 ° C
    30.1 °
    30.1 °
    49 %
    1.8kmh
    38 %
    Thu
    30 °
    Fri
    29 °
    Sat
    29 °
    Sun
    28 °
    Mon
    27 °

    ସମ୍ବନ୍ଧିତ