ପୁରୀ : ସିଂହଦ୍ଵାର ଗୁମୁଟରେ ରୁପା ଛାଉଣୀ କାର୍ଯ୍ୟ ଆରମ୍ଭ । ଶ୍ରୀମନ୍ଦିର ସିଂହ ଦ୍ଵାର ଗୁମୁଟରେ ଲଗାଯାଉଛି ରୂପା ଚାଦର । ସୁକ୍ଷ୍ମ କାରିଗରୀରେ ବେଶ ଆକର୍ଷଣୀୟ ଦିଶୁଛି ରୁପା ମରାମତି କାର୍ଯ୍ୟ । କେବଳ ସିଂହଦ୍ୱାର ଗୁମୁଟ ନୁହେଁ ସେହିଭଳି ରତ୍ନଭଣ୍ଡାରକୁ ଜଗି ରହିଥିବା ଭଣ୍ଡାର ଲୋକନାଥଙ୍କ ମନ୍ଦିର ଦ୍ଵାର ରୁପା ଛାଉଣୀ ହେବ । ପ୍ରଭା ଓ ଖିଲଣ ବି ହେବ । ରୁପାର ୬ ଫୁଟ୍ ଉଚ୍ଚ ଓ ସାଢେ଼ ତିନି ଫୁଟ ଚଉଡ଼ାର ଏହି ଦ୍ଵାର ନୂଆ ସୌନ୍ଦର୍ଯ୍ୟ ପାଇବ । ବଡଦେଉଳ ରତ୍ନ ଭଣ୍ଡାରକୁ ଜଗି ରହିଥିବା ପ୍ରଭୁ ଶ୍ରୀ ଭଣ୍ଡାର ଲୋକନାଥଙ୍କ ମନ୍ଦିର ଦ୍ଵାରରେ ରୂପା ଛାଉଣୀ କରାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ନେଇଛି ପଦକ୍ଷେପ । ଆସନ୍ତା ଦୁଇ ମାସ ମଧ୍ୟରେ କାମ ଆରମ୍ଭ କରିବାକୁ ଲକ୍ଷ ରହିଛି ।
ସେହିପରି ମଦନ ମୋହନ,ଶ୍ରୀଦେବୀ ଭୂଦେବୀଙ୍କ ସମେତ ଦୋଳଗୋବିନ୍ଦ ପ୍ରଭୃତି ଠାକୁର ମାନଙ୍କ ୭ଟି ପ୍ରଭାକୁ ରୂପା ଛାଉଣୀ କରିବାକୁ ପ୍ରସ୍ତୁତି ଚଳାଇଛି ଶ୍ରୀମନ୍ଦିର ପ୍ରଶାସନ । ପତିତପାବନ ମନ୍ଦିର, ଖିଲଣ,ମହାପ୍ରଭୁଙ୍କ ଅଣସର ଖଟ ଆଦିକୁ ମଧ୍ୟ ରୂପା ଛାଉଣୀ କରିବାକୁ ପଦକ୍ଷେପ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ସୁଦ୍ଧା ସାରିବାକୁ ଲକ୍ଷ ରହିଛି । ଭଣ୍ଡାର ଘର ଦ୍ବାର ପ୍ରାୟ ୬ ଫୁଟ୍ ଉଚ୍ଚ ଓ ସାଢେ଼ ତିନି ଫୁଟ ପ୍ରସ୍ଥ ହୋଇଥିବା ବେଳେ ଏହାର ସୋନ୍ଦର୍ଯ୍ୟକରଣ ତଥା ରକ୍ଷଣାବେକ୍ଷଣ ପାଇଁ ରୂପା ଛାଉଣୀ କାର୍ଯ୍ୟକୁ ସବୁ ମହଲରେ ସ୍ଵାଗତ କରାଯାଇଛି । ସିଂହଦ୍ୱାର ଭଳି ଅନ୍ୟ ତିନି ଦ୍ଵାର ମଧ୍ୟ ରୂପା ଛାଉଣୀ ହେଉ ଦାବି କରିଛନ୍ତି ସେବାୟତ ।