Tuesday, January 6, 2026
15.3 C
Odisha

    ଶ୍ରୀ ଜଗନ୍ନାଥଙ୍କ ଧାମ ଅପରିବର୍ତ୍ତନୀୟ :ଗଜପତି ମହାରାଜା

    ଆଗକୁ ପଢନ୍ତୁ

    ଶ୍ରୀ ଜଗନ୍ନାଥ ଚିନ୍ତନ ଓ ଚେତନା ୱାର୍ଲଡ ୱାଇଡ୍ ତରଫରୁ ପୁରୀଠାରେ ଆୟୋଜିତ ତ୍ରି-ଦିବସୀୟ ତୃତୀୟ ଶ୍ରୀଜଗନ୍ନାଥ ବିଶ୍ଵ ଆଧ୍ୟାତ୍ମିକ ସମାବେଶର ଉଦଯାପନୀ ଦିନ ଗଜପତି ମହାରାଜାଙ୍କ ରେ ସମାପିତ ହୋଇଛି । ଶେଷଦିନର ପ୍ରଥମ ଅଧିବେଶନରେ ଚିନ୍ମୟ ମିଶନ, ପାଟିଆଲାର ସ୍ୱାମୀ ମାଧବାନନ୍ଦ ସରସ୍ଵତୀ ଅଧ୍ୟକ୍ଷତା କରିଥିଲେ । ଏଥିରେ ଆଲୋଚନାର ବିଷୟ ବସ୍ତୁ ଥିଲା “ ବିଶ୍ଵରେ ଶ୍ରୀ ଜଗନ୍ନାଥ ଚେତନାର ଜାଗରଣ” । ଏଥିରେ ସ୍ଵାମୀ ବ୍ରହ୍ମନିଷ୍ଠାନନ୍ଦ ସରସ୍ୱତୀ, ସ୍ଵାମୀ ଆତ୍ମପ୍ରଭାନନ୍ଦ ଜୀ ଓ ବାବା ସତ୍ୟାନନ୍ଦ ଦାସ ମହାରାଜ ବିଷୟ ଉପରେ ମତରଖି କହିଥିଲେ ଯେ ଶ୍ରୀ ଜଗନ୍ନାଥ ଚେତନାର ଜାଗରଣ ନିଜ ଘରୁ ଆରମ୍ଭ ହୋଇ ବିଶ୍ଵବ୍ୟାପୀ ହେଉ । ବିଶେଷତଃ ଯୁବଶକ୍ତିକୁ ସଂଗଠିତ କରି ଏହି ଯାତ୍ରାରେ ସମ୍ମିଳିତ କରାଯାଉ ।

    ମହିଳାମାନଙ୍କୁ ନେଇ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ କରାଯାଉ । ଏହି ଅଧିବେଶନରେ ଅଷ୍ଟ୍ରେଲିଆରୁ ଆସିଥିବା ଡ. ନଳିନୀ ପତି ଏବଂ ଆୟରଲ୍ୟାଣ୍ଡରୁ ଆସିଥିବା ଶ୍ରୀମତୀ ମଧୁସ୍ମିତା ବାରିକ ନିଜ ଦେଶରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କିପରି ପାଳିତ ହେଉଛି ସେ ବିଷୟରେ କହିଥିଲେ । ଅଦିନିଆ ରଥଯାତ୍ରାକୁ ଏଥିରେ ଦୃଢ ଭାବରେ ନିନ୍ଦା କରାଯାଇଥିଲା । ସ୍ଵାମୀ ମାଧବାନନ୍ଦ ସରସ୍ଵତୀ ଶ୍ରୀଜଗନ୍ନାଥଙ୍କୁ ନିର୍ଗୁଣ ନିରାକାର, ନିର୍ଗୁଣ ସାକାର ଓ ସଗୁଣ ସାକାର ରୂପେ କିପରି ଅନୁଭବ କରିହେବ ସେ ବିଷୟରେ ବୁଝାଇଥିଲେ ।

    ଦ୍ଵିତୀୟ ଅଧିବେଶନରେ ଜଗନ୍ନାଥ ଧାମ ନାମକରଣ ପ୍ରସଙ୍ଗରେ ଡ. ମହନ୍ତ ରାମଚନ୍ଦ୍ର ଦାସ ମହାରାଜ ଯୋଗଦେଇ କହିଥିଲେ ଯେ ସ୍ଵୟଂ ଜଗନ୍ନାଥ ହିଁ ପୁରୁଷୋତ୍ତମ କ୍ଷେତ୍ରର ନାମକରଣ କରିଛନ୍ତି, ଯାହା ଜଗନ୍ନାଥ ଧାମ, ପୁରୀ ନାମରେ ନାମିତ । ଏହି ସ୍ଥାନ ହେଉଛି ଜଗନ୍ନାଥଙ୍କର ନିବାସସ୍ଥଳ ଏବଂ ମୁକ୍ତିର ଧାମ । ସ୍ଵାମୀ ମାଧବାନନ୍ଦ ସରସ୍ଵତୀ ପ୍ରସଙ୍ଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରି କହିଥିଲେ ଜଗନ୍ନାଥ ଧାମ, ରଥଯାତ୍ରା ଆଦି ବିଶେଷ ଉତ୍ସବ ବିଷୟରେ ସ୍କନ୍ଦ ପୁରାଣରେ ବିଶଦ ଭାବରେ ଲିଖିତ । ଶାସ୍ତ୍ର ଅଧ୍ୟୟନ ଦ୍ବାରା ଆମେ ତତ୍ତ୍ଵକୁ ଜାଣିପାରିବା ଓ ନିଜର ଯୁକ୍ତିକୁ ବଳିଷ୍ଠ କରିପାରିବା । ଏହି ଅଧିବେଶନରେ ଆମେରିକାରୁ ଆସିଥୁବା ଡ. ପଠନନ ଶତପଥୀ ଓ ଦୁବାଇରୁ ଆସିଥିବା ଶ୍ରୀ ହିମାଂଶୁ ଶେଖର ମହାପାତ୍ର ବିଦେଶରେ ଜଗନ୍ନାଥ ଚେତନାର କିପରି ଉତ୍ତରଣ ହୋଇଛି ସେ ବିଷୟରେ ଆଲୋକପାତ କରିଥିଲେ ।

    ନିଜର ବଚନରେ ପୂଜ୍ୟ ଗଜପତି ମହାରାଜା କହିଥିଲେ ଯେ ପୁରୀ ହେଉଛି ଶ୍ରୀଜଗନ୍ନାଥଙ୍କର ମୂଳପୀଠ । ତେଣୁ ମୂଳପୀଠରେ ଯାହା ହେଉଛି ତାହା ସର୍ବତ୍ର କରଣୀୟ । ରଥଯାତ୍ରା ପରି ବିଶେଷ ପର୍ବମାନଙ୍କରେ ଏହାର ବ୍ୟତିକ୍ରମ ହେବା ଆଦୌ ଉଚିତ ନୁହେଁ । କାରଣ ଏହା ମହାପ୍ରଭୁଙ୍କ ଇଚ୍ଛା ଏବଂ ତିଥି ଅନୁସାରେ ହେବା ଉଚିତ । ଅଦିନରେ ରଥଯାତ୍ରା କରିବା ଶାସ୍ତ୍ର ବିରୁଦ୍ଧ ବୋଲି ପ୍ରମାଣିତ କରି ଏକ ୯୭ ପୃଷ୍ଠାର ଦସ୍ତାବିଜ ପ୍ରସ୍ତୁତ କରାଯାଇଛି ଯାହାକୁ ସମସ୍ତେ ପଢିବା ଉଚିତ । ତାହା ହେଲେ ଶ୍ରୀଜଗନ୍ନାଥଙ୍କ ଚେତନାର ଜାଗରଣ ହେବ । ପ୍ରତ୍ୟେକ ଧର୍ମରେ ମୂଳପୀଠର ସ୍ଵତନ୍ତ୍ର ସ୍ଥାନ ରହିଛି । ଏଣୁ ଶ୍ରୀ ଜଗନ୍ନାଥଙ୍କ ଧାମ ଅପରିବର୍ତ୍ତନୀୟ । ପରିଶେଷରେ ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ରମେଶ ଚନ୍ଦ୍ର ବିଶ୍ଵାଳ, ମୁଖ୍ୟ ଆୟୋଜକ ଡ ଭଗବାନ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇ ସମାବେଶର ସମାପନ କରିଥିଲେ । ଏହା ସହିତ ଟ୍ରଷ୍ଟି ଡ ହର ପ୍ରସନ୍ନ ଦାସ, ଶ୍ରୀ ସଂଗ୍ରାମ କେଶରୀ ପଟ୍ଟନାୟକ, ଶ୍ରୀ ସୁକାନ୍ତ କୁମାର ସାହୁ, ଶ୍ରୀ ମନୋଜ କୁମାର ପାତ୍ର ଓ ଶ୍ରୀମତୀ ସ୍ଵାତୀ ତ୍ରୀପାଠୀ ସମାବେଶର ସୁପରିଚାଳନାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.3 ° C
    15.3 °
    15.3 °
    36 %
    1.4kmh
    0 %
    Tue
    15 °
    Wed
    27 °
    Thu
    27 °
    Fri
    26 °
    Sat
    27 °

    ସମ୍ବନ୍ଧିତ