ଦୈନନ୍ଦିନ ଜୀବନର ଛୋଟ ଛୋଟ ଅଭ୍ୟାସ ହିଁ ସଫଳ ଜୀବନର ଭିତ୍ତିପ୍ରସ୍ତର ସ୍ଥାପନ କରିଥାଏ । ସଫଳତା କେବଳ ଭାଗ୍ୟରୁ ମିଳେ ନାହିଁ, ବରଂ ଆମର ପ୍ରତିଦିନର କାର୍ଯ୍ୟଶୈଳୀ ହିଁ ଆମକୁ ବଡ଼ ଏବଂ ସଫଳ ମଣିଷ କରିଥାଏ । ବିଶିଷ୍ଟ ପୁସ୍ତକ ‘ଦ ମଙ୍କ୍ ହୁ ସୋଲ୍ଡ ହିଜ୍ ଫେରାରୀ’ର ଲେଖକ ରବିନ୍ ଶର୍ମା ସଫଳ ହେବାର ୫ଟି ଅତି ଜରୁରୀ ଅଭ୍ୟାୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯଦି ଆପଣ ମଧ୍ୟ ଜୀବନରେ କିଛି ବଡ଼ ହାସଲ କରିବାକୁ ଚାହୁଁଛନ୍ତି, ତେବେ ଏହି ଅଭ୍ୟାସଗୁଡ଼ିକୁ ନିଶ୍ଚୟ ଆପଣାନ୍ତୁ ।
୧. ସକାଳ ୫ଟାରେ ଉଠନ୍ତୁ ଏବଂ ବ୍ୟାୟାମ କରନ୍ତୁ:
ରବିନ୍ ଶର୍ମାଙ୍କ ଅନୁସାରେ, ସାରା ଦୁନିଆ ଶୋଇଥିବା ବେଳେ ଯଦି ଆପଣ ନିଜ ସକାଳକୁ ନିୟନ୍ତ୍ରଣ କରିପାରିବେ, ତେବେ ତାହା ଜାଦୁ ଭଳି କାମ କରିବ । ପ୍ରତିଦିନ ସକାଳ ୫ଟାରେ ଉଠିବା ଏବଂ ବ୍ୟାୟାମ କରିବା ଅତ୍ୟନ୍ତ ଜରୁରୀ । ଏହା ଶରୀରରେ ଏଣ୍ଡୋର୍ଫିନ୍ ସ୍ତର ବଢ଼ାଇଥାଏ, ଯାହାଫଳରେ ଏକାଗ୍ରତା ବୃଦ୍ଧି ପାଏ ଏବଂ ଦିନଟି ଏକ ନୂତନ ଶକ୍ତିର ସହ ଆରମ୍ଭ ହୁଏ ।
୨. ପ୍ରତିଦିନ ଏକ ଘଣ୍ଟା ପଢ଼ନ୍ତୁ:
ପ୍ରତିଦିନ ଅତିକମରେ ଏକ ଘଣ୍ଟା ପଢ଼ିବା ଅଭ୍ୟାସ କରନ୍ତୁ । ଏହା ଆପଣଙ୍କ ଚିନ୍ତାଧାରାକୁ ବଦଳାଇବା ସହ ସୃଜନଶୀଳତା ବୃଦ୍ଧି କରେ ଏବଂ ଶବ୍ଦକୋଷ ବଢ଼ାଏ । ବହି ପଢ଼ିବା ଦ୍ୱାରା ମାନସିକ ଚାପ କମିଥାଏ ଏବଂ ମସ୍ତିଷ୍କର କାର୍ଯ୍ୟଦକ୍ଷତା ବଢ଼ିଥାଏ ।
୩. ଅଯଥା ଚିନ୍ତା କରନ୍ତୁ ନାହିଁ:
ଯେଉଁ ଜିନିଷ ଆପଣଙ୍କ ନିୟନ୍ତ୍ରଣ ବାହାରେ, ସେଥିପାଇଁ ଚିନ୍ତା କରି ଶକ୍ତି ଓ ସମୟ ନଷ୍ଟ କରନ୍ତୁ ନାହିଁ । ବରଂ ନିଜ କାର୍ଯ୍ୟ ଏବଂ ଆଭିମୁଖ୍ୟ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ । ଯଦି ଆପଣ ଅଧିକ ଚାପ ଅନୁଭବ କରୁଛନ୍ତି, ତେବେ ଧ୍ୟାନ କରିବା କିମ୍ବା ଡାଇରୀ ଲେଖିବା ଭଳି ଅଭ୍ୟାସ କରନ୍ତୁ । ଏହା ମନକୁ ଶାନ୍ତ ରଖିବା ସହ ଚିନ୍ତାଧାରାକୁ ସ୍ପଷ୍ଟ କରିବ।
୪. ସପ୍ତାହରେ ଦିନଟିଏ ଫୋନ୍ଠାରୁ ଦୂରେଇ ରୁହନ୍ତୁ:
ରବିନ୍ ଶର୍ମା ଏହାକୁ ‘ଡିଜିଟାଲ୍ ଡିଟକ୍ସ’ ବୋଲି କହିଛନ୍ତି । ସପ୍ତାହରେ ଅତିକମ୍ରେ ଗୋଟିଏ ଦିନ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତୁ ନାହିଁ । ଏହି ସମୟକୁ ନିଜ ପରିବାର, ପ୍ରକୃତି କିମ୍ବା ନିଜ ପସନ୍ଦର କାମରେ ବିତାନ୍ତୁ । ଫୋନ୍ ନୋଟିଫିକେସନ୍ ମନର ଶାନ୍ତି ଛଡ଼ାଇ ନେଉଥିବା ବେଳେ ମୌନ ରହିବା ଦ୍ୱାରା ମନ ସତେଜ ରୁହେ ।
୫. ଦୟାଳୁ ହୁଅନ୍ତୁ:
ଦୟାଳୁ ମନୋଭାବ କୌଣସି ଦୁର୍ବଳତା ନୁହେଁ, ବରଂ ଏହା ଜଣେ ପ୍ରକୃତ ଭଲ ମଣିଷର ଗୁଣ । ଅନ୍ୟ ପାଇଁ ଦ୍ୱାର ଖୋଲିବା, କାହାର କଥାକୁ ଧ୍ୟାନ ଦେଇ ଶୁଣିବା ବା ଅନ୍ୟକୁ ସାହାଯ୍ୟ କରିବା ଭଳି ଛୋଟ ଛୋଟ କାର୍ଯ୍ୟ ଗଭୀର ପ୍ରଭାବ ପକାଇଥାଏ । ଏହା ଶରୀରରେ ‘ଅକ୍ସିଟୋସିନ୍’ ହର୍ମୋନ୍ ନିର୍ଗତ କରେ, ଯାହା ଆପଣଙ୍କୁ ଖୁସି ପ୍ରଦାନ କରିଥାଏ ।
ଏହି ୫ଟି ଜୀବନଶୈଳୀ କେବଳ ଶୃଙ୍ଖଳା ନୁହେଁ, ବରଂ ଏହା ଏକ ସଫଳ ଏବଂ ସନ୍ତୁଷ୍ଟ ଜୀବନର ମୂଳମନ୍ତ୍ର । ଯଦି ଜଣେ ବ୍ୟକ୍ତି ନିଜ ସକାଳକୁ ନିୟନ୍ତ୍ରଣ କରିବା ସହ ନିରନ୍ତର ଶିକ୍ଷା, ମାନସିକ ସ୍ଥିରତା ଏବଂ ସମାଜ ପ୍ରତି ଦୟାଭାବ ରଖନ୍ତି, ତେବେ ସେ ନିଜ ବ୍ୟକ୍ତିତ୍ୱରେ ଏକ ବଡ଼ ପରିବର୍ତ୍ତନ ଆଣିପାରିବେ । ଆଜିର ବ୍ୟସ୍ତବହୁଳ ଓ ଡିଜିଟାଲ୍ ଦୁନିଆରେ ନିଜ ପାଇଁ ସମୟ ବାହାର କରିବା ଏବଂ ସକାରାତ୍ମକ ଚିନ୍ତାଧାରା ସହ ଆଗକୁ ବଢ଼ିବା ହିଁ ଜଣେ ସାଧାରଣ ମଣିଷକୁ ଅସାଧାରଣ କରି ଗଢ଼ିତୋଳିଥାଏ । ଏହି ଛୋଟ ଛୋଟ ଅଭ୍ୟାସଗୁଡ଼ିକ ହିଁ ଦୀର୍ଘକାଳୀନ ସଫଳତା ଓ ପ୍ରକୃତ ଖୁସିର ଚାବିକାଠି ।

